ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ନୂଆ ବଲିଉଡ ସିନେମା ‘ମଣ୍ଟୋ’ ସମ୍ପର୍କରେ କିଛି ରୋଚକ ତଥ୍ୟ ଜାଣନ୍ତୁ…
ପ୍ରଖ୍ୟାତ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ନୂଆ ହିନ୍ଦୀ ସିନେମା ‘ମଣ୍ଟୋ’ ଆଗାମୀ ସେପ୍ଟେମ୍ବର ୨୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଭାୟାକମ୍ ୧୮ ମୋସନ୍ ପିକଚର୍ସ, ଏଚପି ଷ୍ଟୁଡିଓଜର ମିଳିତ ପ୍ରଯୋଜନାରେ ତିଆରି ହୋଇଛି ‘ମଣ୍ଟୋ’ ସିନେମା।
ଷ୍ଟାରକାଷ୍ଟ
‘ମଣ୍ଟୋ’ ସିନେମାର ଟାଇଟଲ୍ ରୋଲରେ ଅଛନ୍ତି ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକି। ଏଥିରେ ତାଙ୍କର ନାଁ ରହିଛି ‘ସଦ୍ଦାତ୍ ହାସନ୍ ମଣ୍ଟୋ’। ବରିଷ୍ଠ ଅଭିନେତା ଋଷି କପୁରଙ୍କୁ ଦର୍ଶକ ଏହି ସିନେମାରେ ଜଣେ ସିନେମା ନିର୍ମାତାଙ୍କ ଭୂମିକାରେ ଦେଖିବାକୁ ମିଳିବ।
୨୦୧୫ ନଭେମ୍ବର ମାସରେ ନିର୍ଦ୍ଦେଶିକା ନନ୍ଦିତା ତାଙ୍କର ନୂଆ ଫିଲ୍ମ ‘ମଣ୍ଟୋ’ରେ ଟାଇଟଲ୍ ରୋଲ୍ କରିବାକୁ ପ୍ରଖ୍ୟାତ ଅଭିନେତା ଇରଫାନ ଖାନଙ୍କୁ ଅନୁରୋଧ କରିଥିଲେ। ସେ ଅନୁଭବ କରିଥିଲେ ‘ମଣ୍ଟୋ’ ଭୂମିକା ପାଇଁ ଇରଫାନ୍ ଫିଟ୍। ହେଲେ ଇରଫାନ୍ ମନା କରିଥିଲେ। ୨୦୧୬ ମେ ମାସରେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ନନ୍ଦିତା ଦାସ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ନେଇ ‘ମଣ୍ଟୋ’ ନିର୍ମାଣ କରୁଥିବା ଘୋଷଣା କରିଥିଲେ।
‘ଏହି ସିନେମାର କାହାଣୀ ଲେଖିଛନ୍ତି ନିର୍ଦ୍ଦେଶିକା ନନ୍ଦିତା ଦାସ। ଏହା ହେଉଛି ଭାରତ-ପାକ୍ ଲେଖକ ସଦ୍ଦାତ୍ ହାସନ୍ ମଣ୍ଟୋଙ୍କ ଜୀବନୀ ଆଧାରିତ ସିନେମା।
ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ସଦ୍ଦାତ୍ ହାସନ୍ ମଣ୍ଟୋ ଥିଲେ ଜଣେ ସୁପ୍ରତିଷ୍ଠିତ ଲେଖକ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଥିଲେ। ବମ୍ବେ ଚଳଚ୍ଚିତ୍ର ଜଗତରେ ଜଣେ ସ୍କ୍ରିପ୍ଟ ରାଇଟର୍ ଭାବେ ମଧ୍ୟ କାମ କରୁଥିଲେ ମଣ୍ଟୋ। ଅଭିନେତା ଅଶୋକ କୁମାର, ଶ୍ୟାମ ଚଢ଼ା ପ୍ରମୁଖଙ୍କର ମଧ୍ୟ ଖୁବ୍ ଅନ୍ତରଙ୍ଗ ଥିଲେ ମଣ୍ଟୋ। ତାଙ୍କର ସବୁଠାରୁ ବଡ଼ ସହାୟିକା ଥିଲେ ପତ୍ନୀ ସାଫିଆ।
ଭାରତର ସ୍ୱାଧୀନତା ବେଳେ ପାକିସ୍ତାନ ଜନ୍ମ ହୋଇଥିଲା। ମଣ୍ଟୋଙ୍କ ପତ୍ନୀ ସାଫିଆ ଲାହୋର ଗଲେ ତାଙ୍କ ଭଉଣୀର ବାହାଘର ପାଇଁ। ତା’ପରେ ମଣ୍ଟୋ ମଧ୍ୟ ପାରିପାର୍ଶ୍ୱିକ ଚାପରେ ପାକିସ୍ତାନ ଚାଲିଗଲେ। ମଣ୍ଟୋ ୨୨ଟି କ୍ଷୁଦ୍ର ଗଳ୍ପ ସଂକଳନ ଓ ପାଞ୍ଚଟି ବେତାର ନାଟକ, ତିନିଟି ପୁସ୍ତକ ରଚନା କରିଛନ୍ତି। ମଣ୍ଟୋଙ୍କ ଶେଷ ଜୀବନ ଦୁଃଖମୟ ଥିଲା।
‘ମଣ୍ଟୋ’ ସିନେମାର ସୁଟିଂ ପାଇଁ ମୋଟ୍ ୪୧ ଦିନ ସମୟ ଲାଗିଥିଲା। ଏହାର ସୁଟିଂ ୨୦୧୭ ଜୁଲାଇରେ ଶେଷ ହୋଇଥିଲା। ଫିଲ୍ମର ଟ୍ରେଲର୍ ଗତ ଅଗଷ୍ଟ ୧୪ ତାରିଖରେ ରିଲିଜ୍ ହୋଇଥିଲା। ଏକ ଭିନ୍ନ ସ୍ୱାଦର ସିନେମା ହୋଇଥିବାରୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ‘ମଣ୍ଟୋ’ ସିନେମାର ରିଲିଜକୁ।








ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ନୂଆ ବଲିଉଡ ସିନେମା ‘ମଣ୍ଟୋ’ ସମ୍ପର୍କରେ କିଛି ରୋଚକ ତଥ୍ୟ ଜାଣନ୍ତୁ…







