ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ତେଲେଙ୍ଗାନା ପରେ ଏବେ ସମସ୍ତଙ୍କ ନଜର ଓଡ଼ିଶା ଉପରେ। ଓଡ଼ିଶାରେ ଆଗୁଆ ଭୋଟ ହେବା ନେଇ ଜୋର୍ ଧରିଛି ଚର୍ଚ୍ଚା।

୯ ମାସ ପୂର୍ବରୁ ଭାଙ୍ଗିଛି ତେଲେଙ୍ଗନା ବିଧାନସଭା। ଡିସେମ୍ବରରେ ତେଲେଙ୍ଗନାରେ ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ତେଲେଙ୍ଗନାରେ ବିଧାନସଭା ନିର୍ଦ୍ଧାରତ ସମୟ ପୂର୍ବରୁ କେ ଚନ୍ଦ୍ର ଶେଖର ରାଓ ଭାଙ୍ଗି ଦେଇଥିବାରୁ ରାଜନୀତି ପାଣିପାଗ ଉଷ୍ମ ରହିଥିବା ବେଳେ ଏବେ ଓଡ଼ିଶା ଉପରେ ସମସ୍ତଙ୍କ ନଜର ରହିଛି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ଭାଙ୍ଗିବେ କି ବୋଲି ରାଜନୀତି କରିଡ଼ରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେଲେଙ୍ଗନା ବିଧାନସଭା ଯେବେ ଭାଙ୍ଗିଲା ଠିକ୍ ତାର ପୂର୍ବଦିନ ବିଜେଡି ସାଂସଦ ପିନାକୀ ମିଶ୍ର ଭାରତୀୟ ନିର୍ବାଚନ କମିଶନଙ୍କୁ ନୂଆଦିଲ୍ଲୀରେ ଭେଟିଥିଲେ। କେନ୍ଦ୍ର ସରକାର ଯଦି ଆଗୁଆ ନିର୍ବାଚନ କରିବେ ତାହାଲେ ସେଥିରେ ଓଡ଼ିଶା ସାମିଲ ହେବ ବୋଲି ପିନାକୀ କହିଥିଲେ।

ବିଜେଡି ସାଂସଦ ନିର୍ବାଚନ କମିଶନଙ୍କୁ ଭେଟିବାର ଦିନକ ପରେ ହିଁ କେସିଆର୍ ତେଲେଙ୍ଗାନା ବିଧାନସଭା ଭାଙ୍ଗିଛନ୍ତି। ଏଣୁ ଓଡ଼ିଶା ରାଜନୀତିରେ ହଟଚମଟ ଲାଗି ରହିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟ ସରକାର ବିଧାନସଭା ଭାଙ୍ଗି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

“କେନ୍ଦ୍ର ସରକାର ଆଗୁଆ ନିର୍ବାଚନକୁ ଯିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବୁଦ୍ଧିଜୀବୀମାନେ ମଧ୍ୟ ଏନେଇ ଆକଳନ କରୁଛନ୍ତି। ଯଦି କେନ୍ଦ୍ର ଆଗୁଆ ନିର୍ବାଚନକୁ ଯାଏ ତାହାଲେ ଓଡ଼ିଶା ମଧ୍ୟ ଆଗୁଆ ନିର୍ବାଚନକୁ ଯିବ। ଏକାଠି ଲୋକସଭା ଏବଂ ବିଧାନସଭା ନିର୍ବାଚନ କରିବା ପାଇଁ ବିଜେଡି ସବୁବେଳେ ଚାହୁଁଛି”, କହିଛନ୍ତି ବିଜେଡି ବିଧାୟକ ତଥା ସାଧାରଣ ସମ୍ପାଦକ ଡକ୍ଟର ଅରୁଣ ସାହୁ।

ଅରୁଣ ଆହୁରି କହିଛନ୍ତି ଯେ ୨୦୦୪ରୁ ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି ହୋଇ ଆସୁଛି।

ଆଗୁଆ ନିର୍ବାଚନକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେପିକୁ ପରାଜୟ ଚିନ୍ତା ଘାରିଛି। ପରାଜୟକୁ ଭୟ କରି ବିଜେପି ୧୨ଟି ରାଜ୍ୟରେ ଆଗୁଆ ନିର୍ବାଚନ କରିବାକୁ ଚାହୁଁଛି।

“ବିଜେଡି ସବୁବେଳେ କେନ୍ଦ୍ରର ଏନଡିଏ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇ ଆସୁଛି। ଏଣୁ ଆମେ ଆଶା କରୁଛୁ ଯେ ଯଦି କେନ୍ଦ୍ର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହୁଏ ତାହାଲେ ବିଜେଡି ମଧ୍ୟ ଏଥିରେ ସାମିଲ ହେବ”, କହିଛନ୍ତି ନରସିଂହ ମିଶ୍ର।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଗୁଆ ନିର୍ବାଚନ ଉପରେ ଟିପ୍ପଣୀ ଦେଇଛନ୍ତି।

“୨୦୦୪ରୁ ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି ହୋଇ ଆସୁଛି। କେନ୍ଦ୍ର ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ କରିବ ନାହିଁ। ୨୦୯ରେ ହିଁ ନିର୍ବାଚନ ହେବ। ଯଦି ବିଜେଡି ଚାହୁଁଛି ଆଗୁଆ ନିର୍ବାଚନ ସେଥିରେ ଆମର କିଛି ଅସୁବିଧା ନାହିଁ। ବିଜେପି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିଛି”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଏଡ଼ାଇ ଯାଇଥିଲେ। ସେ କହିଥିଲେ ଯେ ୨୦୧୯ରେ ସାଧାରଣ ନିର୍ବାଚନ ହେବ। ହେଲେ ବିଜେଡି ଯେମିତି ସଜବାଜ ହେଲାଣି ଏବଂ ନିର୍ବାଚନ କମିଶନଙ୍କୁ ଭେଟିଲାଣି ତେଲେଙ୍ଗାନା ପରି ଏଠି ମଧ୍ୟ ଆଗୁଆ ବିଧାନସଭା ଭାଙ୍ଗିପାରେ ବୋଲି ଆଲୋଚନା ହେଉଛି।

୨୦୧୮ ଡିସେମ୍ବରରେ ମିଜୋରାମ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ଏବେ ତେଲେଙ୍ଗାନା ବିଧାନସଭା ଭଙ୍ଗ କରାଯାଇ ଥିବାରୁ ଏହି ଚାରି ରାଜ୍ୟ ସହ ତେଲେଙ୍ଗନା ବିଧାନସଭା ଭୋଟ ଡିସେମ୍ବରରେ ହେବ। ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଟିଆର୍‌ଏସ୍‌ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ ୧୦୫ ଜଣ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରି ସାରିଛନ୍ତି।

Comment