ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ମାସରେ ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରି ଭାରତୀୟ ନ୍ୟାୟପାଳିକା ଇତିହାସରେ ରେକର୍ଡ ସୃଷ୍ଟି କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। ଆଧାରର ବୈଧତା, ସମଲିଙ୍ଗୀ ସମ୍ପର୍କ, ପରକୀୟା ପ୍ରୀତି ଭଳି ସମ୍ବେଦନଶୀଳ ମାମଲାର ବିଚାର କରି ସେ ଐତିହାସିକ ରାୟ ଦେଇ ଚର୍ଚ୍ଚାରେ ରହିଛନ୍ତି।

ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ପରେ ଦ୍ୱିତୀୟ ଓଡ଼ିଆ ଭାବେ ଦୀପକ ମିଶ୍ର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାର ସୁଯୋଗ ପାଇଥିଲେ। ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନରୁ ଆଇନଜୀବୀ ଭାବେ କ୍ୟାରିଅର ଆରମ୍ଭ କରିଥିବା ଜଷ୍ଟିସ୍ ମିଶ୍ରଙ୍କ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାତ୍ରା କେମିତି ଥିଲା ଜାଣନ୍ତୁ ଏହି ରିପୋର୍ଟରୁ।

କିଏ ଜଷ୍ଟିସ୍ ଦୀପକ ମିଶ୍ର?

ପ୍ରଖ୍ୟାତ କବି ସ୍ୱର୍ଗତ ଗୋଦାବରୀଶ ମିଶ୍ରଙ୍କ ନାତି ଏବଂ ବାଣପୁରର ପୂର୍ବତନ ବିଧାୟକ ରଘୁନାଥ ମିଶ୍ରଙ୍କ ପୁଅ ହେଉଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର।୧୯୫୩ ଅକ୍ଟୋବର ୩ ତାରିଖରେ ବାଣପୁରରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ ମିଶ୍ର। ବାଣପୁରସ୍ଥିତ ଗୋଦାବରୀଶ ବିଦ୍ୟାପୀଠରେ ସେ ସ୍କୁଲ ଶିକ୍ଷା ଶେଷ କରି କଟକ ଆସିଥିଲେ।

କଟକରେ ଆଇନଶିକ୍ଷା ଶେଷ କରିବା ପରେ ସେ ୧୯୭୭ ଫେବ୍ରୁଆରି ୧୪ରେ ଓଡ଼ିଶା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ଲମ୍ବା ସମୟ ଧରି ଆଇନଜୀବୀ ରହିବା ପରେ ଜଷ୍ଟିସ୍ ମିଶ୍ର ୧୯୯୬ରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ପରେ ମଧ୍ୟପ୍ରଦେଶ ହାଇକୋର୍ଟକୁ ସେ ବଦଳି ହୋଇଥିଲେ।

ମଧ୍ୟପ୍ରଦେଶ ହାଇକୋର୍ଟରେ ୧୯୯୭ ଡିସେମ୍ବର ୧୯ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ଜଷ୍ଟିସ୍ ମିଶ୍ର। ୨୦୦୯ ଡିସେମ୍ବରରେ ସେ ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ପରେ ଦିଲ୍ଲୀ ହାଇକୋର୍ଟକୁ ବଦଳି ହୋଇ ଆସିଲେ।

ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିବା ପରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ସେ। ସୁପ୍ରିମକୋର୍ଟରେ ନିଯୁକ୍ତି ପାଇବାର ୧୪ ମାସ ପରେ ୨୦୧୭ ଅଗଷ୍ଟ ୨୮ରେ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ଜଷ୍ଟିସ ଦୀପକ ମିଶ୍ରଙ୍କ ଦାଦା ରଙ୍ଗନାଥ ମିଶ୍ର ୧୯୯୦ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୧୪ ମାସ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ।

ଜଷ୍ଟିସ ଦୀପକ ମିଶ୍ରଙ୍କ ବଡ଼ବାପା ଲୋକନାଥ ମିଶ୍ର ୧୯୬୦ରୁ ୧୯୭୮ ପର୍ଯ୍ୟନ୍ତ ରାଜସଭ୍ୟ ସଦସ୍ୟ ରହିଥିଲେ। ଏହାସହ ସେ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ।

ଜଷ୍ଟିସ୍ ଦୀପକ ମିଶ୍ର ୧୩ ମାସ ୬ ଦିନ ଧରି ସୁପ୍ରିମକୋର୍ଟ ବିଚାରପତି ରହିବା ପରେ ଆଜି ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି।

ଐତିହାସିକ ରାୟ ଓ ଜଷ୍ଟିସ ମିଶ୍ର

ଦାଗୀ ନେତାଙ୍କ ଉପରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୫ରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। କେଉଁ ରାଜନୈତିକ ଦଳରେ କେତେ ଦାଗୀ ନେତା ଅଛନ୍ତି ତାହା ସର୍ବସାଧାରଣରେ ଖୁଲାସା କରିବାକୁ ସୁପ୍ରିମକୋର୍ଟ ବିଭିନ୍ନ ରାଜନୀତିକ ଦଳକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଦାଗୀ ନେତା ନିର୍ବାଚନ ଲଢ଼ି ପାରିବେ କି ନାହିଁ ସେ ଉପରେ ମଧ୍ୟ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। କୌଣସି ମାମଲାରେ ଯଦି ପ୍ରାର୍ଥୀଙ୍କ ବିରୋଧରେ କେବଳ ଚାର୍ଜସିଟ୍ ଦାଖଲ ହୋଇଥିବ ତାହାଲେ ସେମାନେ ନିର୍ବାଚନ ଲଢ଼ି ପାରିବେ। ଯଦି ଦୋଷୀ ସାବ୍ୟସ୍ତ ହୋଇଥିବେ ତାହାଲେ ନିର୍ବାଚନ ଲଢ଼ି ପାରିବେ ନାହିଁ। ଦୋଷୀ ସାବ୍ୟସ୍ତ ହୋଇ ନଥିଲେ ନିର୍ବାଚନ ଲଢ଼ିବରେ କିଛି ପ୍ରତିବନ୍ଧକ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।

ସେପ୍ଟେମ୍ବର ୨୬ ତାରିଖରେ ସୁପ୍ରିମକୋର୍ଟ ଆଧାର କାର୍ଡର ବୈଧତା ଉପରେ ଐତିହାସିକ ରାୟ ଦେଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ୍ ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ୍ ସିମ୍ କାର୍ଡ ପାଇଁ ଆଧାର ଲିଙ୍କ ଜରୁରୀ ନୁହେଁ ବୋଲି କହିଥିଲେ। ଖାଲି ସେତିକି ନୁହେଁ, ୬ରୁ ୧୪ ବର୍ଷର ପିଲା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ଏବଂ ସିବିଏସ୍‌ଇ, ୟୁଜିସି ଏବଂ ନିଟ୍ ପରୀକ୍ଷା ବେଳେ ଆଧାର କାର୍ଡ ଜରୁରୀ ନୁହେଁ ବୋଲି ଐତିହାସିକ ରାୟ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ।

ସୁପ୍ରିମକୋର୍ଟ ୨୬ ତାରିଖରେ ଆଉ ଏକ ଐତିହାସିକ ରାୟ ଶୁଣାଇଥିଲେ। ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ସିଧାପ୍ରସାରଣ ଏବଂ ଭିଡିଓ ରେକର୍ଡିଂ କରିବାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଥିଲେ। ସୁପ୍ରିମକୋର୍ଟର ବରିଷ୍ଠ ସକିଲ ଇନ୍ଦିରା ଜୟସିଂହ ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହାକୁ ବିଚାର କରି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ଲାଇଭ୍ ଷ୍ଟ୍ରିମିଂ କରିବାକୁ ରାଜି ହୋଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇ କହିଛନ୍ତି ଯେ ସିଧାପ୍ରସାରଣ ଏବଂ ଭିଡିଓ ରେକର୍ଡିଂ ପ୍ରକ୍ରିୟା ପ୍ରଥମେ ସୁପ୍ରିମକୋର୍ଟରୁ ଆରମ୍ଭ ହେବ। ଏଥିପାଇଁ ନିୟମ ତିଆରି କରିବାକୁ ପଡ଼ିବ। ଯେଉଁ ନିୟମ ପ୍ରଣୟନ ହେବ ଏହାକୁ ସମସ୍ତେ ମାନିବାକୁ ପଡ଼ିବ। ଲାଇଭ୍ ଷ୍ଟ୍ରିମିଂ ହେଲେ ନ୍ୟାୟପାଳିକାର ଉତ୍ତଦାୟିତ୍ୱ ବଢ଼ିବ।

ସେପ୍ଟେମ୍ବର ୨୭ରେ ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପରକୀୟା ପ୍ରୀତି ମାମଲା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ପରକୀୟା ସମ୍ପର୍କକୁ ଅପରାଧ ନୁହେଁ ବୋଲି ରାୟ ଦେଇଥିଲେ କୋର୍ଟ। ଏହାସହ ୧୫୭ ବର୍ଷ ଧରି ପ୍ରଚଳିତ ଥିବା ପୁରୁଣା ବ୍ୟଭିଚାର ଆଇନକୁ ଉଚ୍ଛେଦ କରିଛନ୍ତି ସୁପ୍ରିମକୋର୍ଟ। ପରକୀୟା ପ୍ରୀତିକୁ ଅପରାଧ ବିବେଚନା କରାଯାଉଥିବା ଆଇପିସି ଧାରା ୪୯୭କୁ ଅସାମ୍ବିଧାନିକ ବୋଲି କହିଛନ୍ତି ଖଣ୍ଡପୀଠ।

ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟ ଆଉ ଏକ ଐତିହାସିକ ରାୟ ଦେଇ ସମଲିଙ୍ଗୀଙ୍କ ଜୀବନରେ ରଙ୍ଗ ଭରିଥିଲେ। ଜଷ୍ଟିସ ଦୀପକ ମିଶ୍ରଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ସମଲିଙ୍ଗୀଙ୍କ ସମ୍ପର୍କ ଅପରାଧ ନୁହେଁ ବୋଲି କହିଥିଲେ। ଦୀର୍ଘ ବର୍ଷ ଧରି ନ୍ୟାୟ ପାଇଁ ସମଲିଙ୍ଗୀମାନେ ଯେଉଁ ଲଢ଼େଇ କରୁଥିଲେ ସେମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ଅଧିକାର ଦେଲେ ସୁପ୍ରିମକୋର୍ଟ। ଧାରା ୩୭୭କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଥିଲେ ସୁପ୍ରିମକୋର୍ଟ।

ଏସସି/ଏସଟିଙ୍କ କ୍ଷେତ୍ରରେ ସରକାରୀ ଚାକିରୀରେ ପଦୋନ୍ନତିରେ ସଂରକ୍ଷଣ ନ ରଖିବାକୁ ସୁପ୍ରିମକୋର୍ଟ କହିଥିଲେ। ଏ ସମ୍ପର୍କରେ ସଂପୃକ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ।

କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା ଶ୍ରଦ୍ଧାଳୁ। ଏହି ଐତିହାସିକ ରାୟ ସେପ୍ଟେମ୍ବର ୨୮ରେ  ଦେଇଥିଲେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ନରିମନ୍, ଜଷ୍ଟିସ୍ ଖାନୱିଲିକର, ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଥିଲେ। ଫଳରେ ସାବରିମାଲା ମନ୍ଦିରରେ ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରା ଭାଙ୍ଗିଛି। ୧୦ରୁ ୫୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ସାବରିମାଲା ମନ୍ଦିରରେ ପ୍ରବେଶ ଉପରେ କଟକଣା ରହିଥିଲା। ଏହାକୁ ସୁପ୍ରିମକୋର୍ଟ ବେଞ୍ଚ୍ ବେଆଇନ ଏବଂ ଆସାମ୍ବିଧାନିକ କହିଛନ୍ତି।

ଜୁଲାଇ ୧୭ରେ ପିଟି ପିଟି ହତ୍ୟା ଏବଂ ହିଂସାକାଣ୍ଡ ଉପରେ ରାୟ ଦେଇଥିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍‌ ଖାନୱିଲକର ଏବଂ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ଗୋଚାଲାଣ ଅଭିଯୋଗ ହେଉ କିମ୍ବା ପିଲା ଚୋରି ଗୁଜବ, କାରଣ ଯାହା ହେଉନା କାହିଁକି ଆଇନ ହାତକୁ ନେବାର ଅଧିକାର କାହାରି ନାହିଁ। ସଂଘବଦ୍ଧ ଆକ୍ରମଣ ଭଳି ବର୍ବର ଏବଂ ଭୟଙ୍କର ହିଂସାକୁ ବରଦାସ୍ତ କରିବା ଉଚିତ ନୁହେଁ। ଏଭଳି ହିଂସାରେ ସଂପୃକ୍ତ ଲୋକଙ୍କୁ କଠୋର ଦଣ୍ଡ ଦେବା ପାଇଁ ନୂତନ ଆଇନ ଗଢ଼ିବାର ଆବଶ୍ୟକତା ରହିଛି ବୋଲି ସର୍ବୋଚ୍ଚ ଅଦାଲତ ମତ ଦେଇଥିଲେ।

୨୦୧୨ରେ ଦିଲ୍ଲୀର ଜଘନ୍ୟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ। ମୃତ୍ୟୁ ଦଣ୍ଡ ପାଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ଦଣ୍ଡର ପୁନର୍ବିଚାର ପାଇଁ ଆବେଦନ କରିଥିଲେ। ଜୁଲାଇ ୯ରେ ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଅଭିଯୁକ୍ତଙ୍କ ପୁନର୍ବିଚାର ଆବେଦନ ଖାରଜ କରି ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପିଠ ଏହି ଘଟଣାରେ ଅଭିଯୁକ୍ତ ମୁକେଶ(୨୯), ପବନ ଗୁପ୍ତା(୨୨) ଓ ବିନୟ ଶର୍ମା ଏହି ମାମଲାରେ ଚୂଡ଼ାନ୍ତ ଶୁଣାଣି କରିଥିଲେ।

ବିବାଦରେ ଜଷ୍ଟିସ ଦୀପକ ମିଶ୍ର

ଜାନୁଆରୀ ୧୨ ତାରିଖରେ ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ମୁହଁ ଖୋଲିଥିଲେ ସୁପ୍ରିମକୋର୍ଟର ୪ ଜଣ ବିଚାରପତି। ସୁପ୍ରିମକୋର୍ଟରେ କିଛି ଠିକ୍ ଚାଲିନି ବୋଲି ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଜଷ୍ଟିସ୍‌ ଜେ ଚେଲାମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ବି ଲୋକୁର ଏବଂ କୁରିଏନ୍ ଯୋଶେଫ୍‌ ସାମ୍ବାଦିକ ସମ୍ମିଳନୀ ଡାକି ସୁପ୍ରିମକୋର୍ଟରେ ଗଡ଼ବଡ଼ ଚାଲିଥିବା କହିଥିଲେ। ଏହାକୁ ନେଇ ଝଡ଼ ଉଠିଥିଲା। ବିରୋଧୀ କଂଗ୍ରେସ ଏହାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଘେରିଥିଲା।

ଏପଟେ ଜଷ୍ଟିସ ମିଶ୍ରଙ୍କ ବିରୋଧରେ ରାଜ୍ୟସଭାରେ ବିରୋଧୀ ଦଳ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ। ହେଲେ କୌଣସି ଠୋସ୍ ପ୍ରମାଣ ନଥିବାରୁ ଏହାକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଖାରଜ କରି ଦେଇଥିଲେ।

Comment