ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଚାଲିଥିବା ଓକିଲ ସଂଘର ଧର୍ମଘଟ ଯୋଗୁଁ ଜଣେ ଯୁବକ ତାଙ୍କ ମୃତ ମାତାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇ ନ ପାରିବା ଭଳି ଏକ ଦୁଃଖଦ ଖବର ମିଳିଛି। ଆଇନଜୀବୀମାନେ ଢେର ଦିନ ଧରି ଧର୍ମଘଟ ଚଲାଇ ରଖିଛନ୍ତି। ଏହି ଧର୍ମଘଟ ଯୋଗୁଁ ଅଭିଯୁକ୍ତମାନେ ଜାମିନରେ ଆସି ପାରୁନାହାନ୍ତି। ତା ଛଡ଼ା ରାଜ୍ୟର ବିଭିନ୍ନ ଜେଲରେ ବିଚାରାଧୀନ ବନ୍ଦୀଙ୍କ ହାଉଜାଉ କାରଣରୁ ଜେଲ କର୍ତ୍ତୃପକ୍ଷ ନାକେଦମ ହୋଇସାରିଲେଣି।

ଖବର ଅନୁସାରେ ବାରିପଦା ଜେଲରେ ଥିବା ଜଣେ ବିଚାରାଧୀନ ବନ୍ଦୀ ତାଙ୍କ ମାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ଇଚ୍ଛା କରୁଥିଲେ ମଧ୍ୟ ଓକିଲ ଧର୍ମଘଟ ଯୋଗୁଁ ସେ ଜାମିନ ଆବେଦନ କରିପାରିଲେ ନାହିଁ।ପୁଅ ଆସିବ ବୋଲି ଦୁଇ ଦିନ ମୃତ ଦେହକୁ ରଖି ପରିବାର ଲୋକେ ହନ୍ତସନ୍ତ ହେଲେ ଅଥଚ ପୁଅ ଆସିପାରିଲା ନାହିଁ। ବାରିପଦା ସିକାରଘଟି ଅଞ୍ଚଳରେ ଏହି ଘଟଣା ଘଟିଛି।ଚୋରା ମଦ କାରବାରରେ ଲିପ୍ତ ଥିବା ଅଭିଯୋଗରେ ସଞ୍ଜୟ ସୋରେନଙ୍କୁ ପୁଲିସ ଗିରଫ କରିବା ପରେ ସେ ନ୍ୟାୟିକ ହାଜତରେ ଥିଲା। କେବଳ ସୋରେନ୍ ନୁହନ୍ତି ହଜାର ହଜାର ଲୋକ ଏହି ଧର୍ମଘଟ ଯୋଗୁଁ ହଇରାଣ ହେଉଛନ୍ତି ଓ କୋର୍ଟ କଚେରୀରେ ମାମଲା ଗଦା ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟର ତଳ କୋର୍ଟଗୁଡ଼ିକରେ ଓକିଲମାନେ କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି।କଟକରେ ଜଣେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗରେ ଏବଂ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଓକିଲ ମାନେ ଦୀର୍ଘ ଏକ ମାସ ଧରି କୋର୍ଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ।ସେ ଅନୁଯାୟୀ ଧର୍ମଘଟକୁ ଚଳାଇ ରଖିଛନ୍ତି।ପୂଜା ଛୁଟି ପରେ ଗୁରୁବାରଠାରୁ କୋର୍ଟ ଖୋଲୁଥିବାରୁ ସେ ପର୍ଯ୍ୟନ୍ତ କୌଣସି କୋର୍ଟ କଚେରୀ କାମ ସମ୍ଭବ ନୁହେଁ ଏହା ସ୍ପଷ୍ଟ।

LEAVE A REPLY

Please enter your comment!
Please enter your name here