ଓଡ଼ିଶାଲାଇଭ୍ ବ୍ୟୁରୋ
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ମିଳିଛି କ୍ଲିନଚିଟ୍। ଓଡ଼ିଶା ହାଇକୋର୍ଟ ପକ୍ଷରୁ ତାଙ୍କୁ ଏହି କ୍ଲିନଚିଟ୍ ମିଳିଛି। ତଳ କୋର୍ଟରେ ପ୍ରତାପ ଜେନାଙ୍କ ନାଁରେ ରହିଥିବା ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ।
ଗତ ୨୦୨୧ ଜାନୁଆରି ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୋଟ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ମାମଲାରେ ପ୍ରତାପ କୁମାର ଜେନାଙ୍କୁ ୧୩ ନମ୍ବର ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା।
ଗତ ୨୦୨୩ ମସିହା ସେପ୍ଟେମ୍ବର ୨୫ ତାରିଖରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ କୁମାର ଜେନାଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତଳ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ପ୍ରତାପ ଜେନା। ମାମଲାର ବିଚାର କରି ତଳକୋର୍ଟଙ୍କ ରାୟକୁ ଖାରଜ କରିବା ସହ ପ୍ରତାପ କୁମାର ଜେନାଙ୍କୁ କ୍ଲିନଚିଟ୍ ଦେଇଛନ୍ତି ହାଇକୋର୍ଟ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ଗତ ଅଗଷ୍ଟ ୨୮ ତାରିଖରେ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ସାଲେପୁର ଏଡିଜେ କୋର୍ଟ। ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।
Tags: #MahangaDoubleMurderCase #OdishaHigh #SalipurADJCourt #LifeImprisonment #Odisha #cleanchit