ଓଡ଼ିଶାଲାଇଭ୍ ବ୍ୟୁରୋ
ଗଜରାଜ ଏବେ ବିପଦରେ। ହାତୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଏବଂ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ସଚେତନତା କରାଯାଉଥିଲେ ମଧ୍ୟ ହାତୀ ବିପଦମୁକ୍ତ ନୁହନ୍ତି। କେଉଁଠି ହାତୀ-ମଣିଷ ଲଢ଼େଇ ଭିତରେ ହାତୀ ବଳି ପଡ଼ୁଛନ୍ତି ତ ପୁଣି ଆଉ କେଉଁଠି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅକାଳରେ ହାତୀ ପ୍ରାଣ ହରାଉଛନ୍ତି। ତେବେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗତ ୧୮ ବର୍ଷ ଭିତରେ ପ୍ରାୟ ୧୭୫ ହାତୀଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।
ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ବର୍ଷକୁ ହାରାହାରି ୧୧ରୁ ଅଧିକ ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି।
ଗତ ସେପ୍ଟେମ୍ବର ୫ ତାରିଖରେ ଯାଜପୁର ଡାଲିଯୋଡ଼ା ରେଞ୍ଜର ବଡ଼ପୋଖରୀ ଗାଁରେ ବିଦ୍ୟୁତ ଆଘାତରେ ୨ଟି ହାତୀର ମୃତ୍ୟୁ ହୋଇଥିଲା। ସେପ୍ଟେମ୍ବର ୧୯ରେ ବଲାଙ୍ଗିର ଜିଲ୍ଲାର ଦେଓଗାଁରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା।
୨୦୧୭ରେ ଝାରସୁଗୁଡ଼ାରେ ୧୩ଟି ହାତୀ ପ୍ରାଣ ହରାଇଥିଲେ। ସେହିବର୍ଷ ଜୁନ୍ ୧୦ରେ ଢେଙ୍କାନାଳ ରେଞ୍ଜରେ ୩ଟି ହାତୀ, ୨୦୧୬ ଜୁନ୍ ୭ରେ ହିନ୍ଦୋଳରେ ଗୋଟିଏ ହାତୀ, ୨୦୧୬ ଜୁଲାଇ ୧୦ରେ ଡାଲିଯୋଡ଼ା ରେଞ୍ଜରେ ଦୁଇଟି ହାତୀର ପ୍ରାଣ ଯାଇଥିଲା।
କେବଳ ଓଡ଼ିଶାରେ ନୁହେଁ, ଜାତୀୟ ସ୍ତରରେ ମଧ୍ୟ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କେନ୍ଦ୍ର ପରିବେଶ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୦୦୯ରୁ ୨୦୧୭ ମଧ୍ୟରେ ୬୫୫ ହାତୀଙ୍କର ମୃତ୍ୟୁ ହୋଇଛି। ପ୍ରତିବର୍ଷ ଭାରତରେ ହାରାହାରି ପ୍ରାୟ ୮୭ ହାତୀଙ୍କର ଜୀବନ ଯାଉଥିବା ଜଣାପଡ଼ିଛି। ପ୍ରତି ମାସରେ ୭ଟି ଏବଂ ପ୍ରତି ୪ ଦିନରେ ଗୋଟିଏ ହାତୀଙ୍କର ଜୀବନ ଯାଉଥିବା ରିପୋର୍ଟରୁ ଜଣାପଡ଼ିଛି।
ବିଦ୍ୟୁତ ସଂସ୍ପର୍ଶ, ଟ୍ରେନ ଲାଇନ, ଶିକାରୀ ଏବଂ ବିଷକ୍ରିୟା ଯୋଗୁଁ ହାତୀ ମୃତ୍ୟୁ ବଢ଼ୁଥିବା କୁହାଯାଉଛି।
୧୯୮୭ରୁ ୨୦୧୦ ମଧ୍ୟରେ ୧୫୦ରୁ ଅଧିକ ହାତୀ ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି। ଗତ ଏପ୍ରିଲ ମାସରେ ମଧ୍ୟ ଓଡ଼ିଶାରେ ଏଭଳି ଏକ ଦୁର୍ଘଟଣା ଘଟିଥିଲା। ଝାରସୁଗୁଡ଼ାର ବାଘଡିହି ଲେବଲକ୍ରସିଂ ନିକଟରେ ଏକ ଦ୍ରୁତଗାମୀ ଟ୍ରେନ ହାତୀପଲଙ୍କୁ ଧକ୍କା ଦେବାରୁ ୪ ହାତୀଙ୍କର ମୃତ୍ୟୁ ଘଟିଥିଲା।


















