ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ବିଭିନ୍ନ ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ନବରଙ୍ଗପୁର ବିଡିଓଙ୍କୁ ପ୍ରଦାନ କରିଛି। ଏହି ଅବସରରେ ଦଳୀୟ ନେତା ଓ କର୍ମୀମାନେ ନବରଙ୍ଗପୁର ସ୍ଥାନୀୟ ଚାମୁରିଆଗୁଡ଼ାଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ।

ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମୁଖ୍ୟ ଫାଟକ ନିକଟରେ ଧାରଣ ଦେଇଥିଲେ। ନବରଙ୍ଗପୁର ବ୍ଳକରେ ଗୁହାଳ ଯୋଜନାରେ ଗୋଟିଏ ବି ହିତାଧିକାରୀ ଉପକୃତ ହୋଇ ପାରିଲେ ନାହିଁ। ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ନିର୍ମାଣ ହୋଇଥିବା ପାଇଖାନାଗୁଡ଼ିକ ବିନା ୨୦୦୦ ଟଙ୍କା ଲାଞ୍ଚରେ ତିଆରି ହୋଇ ପାରୁନାହିଁ।

ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବରମାନଙ୍କ ଦ୍ୱାରା କମିଟି ଗଠନ କରି ଚୟନ କରିବା ଏବଂ ‘ଆମ ଗାଁ ଆମ ବିକାଶ’ରେ ହେଉଥିବା ଉନ୍ନୟନ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ କରାଯିବାକୁ ଜିଲ୍ଲା ଭାଜପା ପକ୍ଷରୁ ଦାବି ହୋଇଛି।

ପ୍ରତି ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ସୁବ୍ୟବସ୍ଥା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ହେଉଥିବା ପିସି ଓ ଅର୍ଥ କାରବାର ବନ୍ଦ କରିବା ପାଇଁ ଭାଜପା ପକ୍ଷରୁ ଦାବି ହୋଇଛି। ବ୍ଲକ ପରିସର ମଧ୍ୟରେ ଏକ ଉନ୍ନତ ମାନର ବିଶ୍ରାମ ଗୃହ ନିର୍ମାଣ କରାଯିବାକୁ ଦାବି ହୋଇଛି।

ଏହି ବିଶାଳ ଶୋଭାଯାତ୍ର ଏବଂ ବ୍ଲକ୍ କାର୍ଯ୍ୟାଳୟର ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ସମୟରେ ସଭାପତି ଗୋବିନ୍ଦ ଜୈନ ଊପସ୍ଥିତ ଥିଲେ। ଏଥିସହ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଦାଶ, ରାଜେନ୍ଦ୍ର ତ୍ରିପାଠୀ, ମୃତୁଞ୍ଜୟ ଦାସ, ସଞ୍ଜୀବ ନନ୍ଦ, ମୃତ୍ୟୁଞ୍ଜୟ ମହାରଣା, ଡମ୍ବୁରୁ ମାଝି, କୁଞ୍ଜ ବିହାରୀ ଦାଶ, ଅନନ୍ତ ପଣ୍ଡା, ବିରେନ୍ଦ୍ର ପୂଜାରୀ, ଦିବାକର ପୂଜାରୀ, ମନୋଜ ମହାଙ୍କୁଡ଼ାଙ୍କ ସମେତ ବହୁସଂଖ୍ୟକ କର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here