ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ନିଜର ବିବାଦୀୟ ବୟାନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ହେଁ ତାଙ୍କର ଆୟ କିଛି କମ୍ ନୁହେଁ। ଆସନ୍ତୁ ଜାଣିବା ଡ୍ରାମା କୁଇନ୍ ରାକ୍ଷୀ କେତେ ଟଙ୍କାର ମାଲିକାଣୀ?
ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ଗତ କିଛି ଦିନ ହେବ ବିଭିନ୍ନ ପ୍ରକାରର ବୟାନବାଜି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ ‘ମି ଠୁ’ ପ୍ରସଙ୍ଗରେ ତନୁଶ୍ରୀ ଦତ୍ତଙ୍କ ବିରୋଧରେ ବିଷୋଦ୍ଗାର କରି ଚର୍ଚ୍ଚିତା ହୋଇଛନ୍ତି।
ଏବେ ଅବଶ୍ୟ ରାକ୍ଷୀ ବଲିଉଡରୁ ଦୂରେଇ ଯାଇଛନ୍ତି। ତାଙ୍କ ପାଖରେ ନା ଫିଲ୍ମ ଅଛି ନା କୌଣସି ବିଜ୍ଞାପନ, ତଥାପି ଜାଣନ୍ତି ସେ କେତେ କୋଟି ଟଙ୍କାର ମାଲିକାଣୀ!
ରାକ୍ଷୀ ସାୱନ୍ତଙ୍କ ପିତା ଆନନ୍ଦ ସାୱନ୍ତ ମୁମ୍ବାଇ ପୋଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ। ସେ ମୁମ୍ବାଇରେ ମାଆଙ୍କ ସହିତ ରହୁଥିଲେ। ରାକ୍ଷୀ ସାୱନ୍ତଙ୍କ ସମ୍ପତ୍ତି ବିଷୟରେ ଜାଣିବାକୁ ଚାହାଁନ୍ତି ତ ଜାଣି ରଖନ୍ତୁ କି ତାଙ୍କ ପାଖରେ ମୁମ୍ବାଇରେ ଦୁଇଟି ଫ୍ଲାଟ୍ ଓ ଗୋଟିଏ ବଙ୍ଗଳା ରହିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ହେବ।
ଯଦି ଇଣ୍ଟରନେଟ୍ରେ ଉପଲବ୍ଧ ତଥ୍ୟକୁ ହିସାବକୁ ନିଆଯାଏ, ତେବେ ରାକ୍ଷୀ ସାୱନ୍ତ ଏବେ ପ୍ରାୟ ୩୦ କୋଟିର ମାଲିକାଣୀ ବୋଲି ଧରିବାକୁ ପଡ଼ିବ। ତା’ ଛଡ଼ା ରାକ୍ଷୀଙ୍କ ପାଖରେ ୨୧ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ଏକ ଫୋର୍ଡ ଏଣ୍ଡେଭର୍ କାର୍ ମଧ୍ୟ ଅଛି। ରାକ୍ଷୀଙ୍କ ଅଧିକାଂଶ ରୋଜଗାର ତାଙ୍କର ଷ୍ଟେଜ୍ ପରଫରମାନ୍ସରୁ ଆସିଥାଏ। ଏହାଛଡ଼ା ରାକ୍ଷୀ ବିଭିନ୍ନ ଫିଲ୍ମରେ ଆଇଟମ୍ ନମ୍ବର କରି ମଧ୍ୟ ପ୍ରଚୁର ଅର୍ଥ ଉପାର୍ଜନ କରିଥାନ୍ତି।
ଓଡ଼ିଆ ଫିଲ୍ମରେ ବି ରାକ୍ଷୀ
ବଲିଉଡର ନାମୀ ଆଇଟମ୍ ଗାର୍ଲ ରାକ୍ଷୀ ସାୱନ୍ତ ଏକ ଓଡ଼ିଆ ଫିଲ୍ମରେ ବି ଆଇଟମ୍ ନମ୍ବର କରିଥିଲେ। ସେ ଏହା ବାବଦରେ ବି ଭଲ ପଇସା ନେଇଥିଲେ ବୋଲି କୁହାଯାଏ। ହଁ, ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା, ଗଡ୍ଫାଦରରେ ରାକ୍ଷୀ ସାୱନ୍ତ ଆଇଟମ୍ ନମ୍ବରରେ ନୃତ୍ୟ କରିଥିଲେ।
ତେବେ ଏହି ଗୀତଟି ସେତେଟା ଚର୍ଚ୍ଚିତ ହୋଇ ପାରିନଥିଲା। ଏହାର କାରଣ ହେଲା ‘ଗଡ଼ଫାଦର’ ଫିଲ୍ମଟି ଭଲ ଚାଲିନଥିଲା। ଏହି ଫିଲ୍ମରେ ସିଦ୍ଧାନ୍ତ, ଅନୁ ଚୌଧୁରୀ, ନବାଗତ ସତ୍ଶ୍ରୀ, ଅନନ୍ୟା ଓ ମନୋଜ ମିଶ୍ର ଓ ହରି ପ୍ରମୁଖ ଅଭିନୟ କରିଥିଲେ।
କେଉଁଥିପାଇଁ କେତେ ଟଙ୍କା ନିଅନ୍ତି?
ବଲିଉଡର ହଟ୍ ଆଇଟମ୍ ଗାର୍ଲ ରାକ୍ଷୀ ସାୱନ୍ତ କୌଣସି ଷ୍ଟେଜ୍ରେ ଫରଫରମ୍ କରିବା ପାଇଁ ମୁମ୍ବାଇ ବାହାରକୁ ଗଲେ ଗୋଟିଏ ଶୋ’ ପାଇଁ ୧୧ ଲକ୍ଷ ଟଙ୍କା ନେଇଥିବା କୁହାଯାଏ।
ହିନ୍ଦୀ ସିନେମାରେ ଗୋଟିଏ ଆଇଟମ୍ ନମ୍ବର ପାଇଁ ସେ ଦାବି କରନ୍ତି ୧୦ ଲକ୍ଷ। ଭୋଜପୁରୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ସିନେମା ପାଇଁ ସେ ୧୦ ଲକ୍ଷ ଟଙ୍କା ପ୍ରାଇସ୍ ପାଇ ଥାଆନ୍ତି ବୋଲି କୁହାଯାଉଛି।
ରାକ୍ଷୀ ସାୱନ୍ତଙ୍କୁ ବିଶେଷ ବିଜ୍ଞାପନ ମିଳୁ ନଥିଲେ ବି ସେ ୩୦ରୁ ୪୦ ଲକ୍ଷ ଟଙ୍କା ଯାଏଁ ଗୋଟିଏ ବିଜ୍ଞାପନ ପାଇଁ ଦାବି କରିଥାନ୍ତି ବୋଲି କୁହାଯାଏ।
ଏହାଛଡ଼ା ବିଭିନ୍ନ ଟେଲିଭିଜନ ପ୍ରୋଗ୍ରାମ୍ ମାଧ୍ୟମରେ ବି ରାକ୍ଷୀ ସାୱନ୍ତ ନିୟମିତ ରୋଜଗାର କରନ୍ତି। ରାକ୍ଷୀ ସାୱନ୍ତ ନିଜର କ୍ୟାରିଅରକୁ ନେଇ ଆଦୌ ଅସନ୍ତୁଷ୍ଟ ନୁହଁନ୍ତି।