ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ପୁରୁଷ ବିଶ୍ଵକପ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହକି ତାରକା ଏବଂ ଦେଶ ବିଦେଶରୁ ଆସିଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ।
ଆତିଥ୍ୟ ଦେବାରେ ଓଡ଼ିଶାର ରହିଛି ସ୍ୱତନ୍ତ୍ର ପରିଚୟ
ଜୟ ଜଗନ୍ନାଥ କହି ହକି ପ୍ରେମୀଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଥିଲେ, “ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ମୁଁ ଦେଶ ବିଦେଶରୁ ଆସିଥିବା ପ୍ରତିନିଧିମାନଙ୍କୁ ଓଡ଼ିଶାକୁ ସ୍ୱାଗତ କରୁଛି। ୧୮ ଦିନ ଧରି ହେବାକୁ ଏହି ମେଗା ଇଭେଣ୍ଟକୁ ସମସ୍ତେ ଉପଭୋଗ କରନ୍ତୁ। ଆତିଥ୍ୟ ଦେବାରେ ଓଡ଼ିଶାର ସ୍ୱାତନ୍ତ୍ର ପରିଚୟ ରହିଛି।”
ଏହି ଅବସରରେ ମୁଖ୍ୟମନ୍ତ୍ରୀ ହକି ତାରକାମାନଙ୍କ ସହ କରମର୍ଦ୍ଦନ କରିଥିଲେ। ବିଶ୍ଵକପ୍ ଲୋକାର୍ପିତ ବେଳେ ଆତସବାଜିରେ ଝଲସିଥିଲା କଳିଙ୍ଗ ଷ୍ଟାଡିୟମ। ଦର୍ଶକଙ୍କ କରତାଳି ଏବଂ କୋଳାହଳରେ ଉଛୁଳି ପଡ଼ିଥିଲା ଷ୍ଟାଡିୟମ। ଓସ୍କାର ବିଜେତା ଏ ଆର ରେହମାନ ହକି ବିଶ୍ଵକପ୍ ପାଇଁ ଗାଇଥିବା ‘ଜୟ ହିନ୍ଦ୍ ହିନ୍ଦ୍ ଜୟ ଇଣ୍ଡିଆ’ ସଙ୍ଗୀତରେ ପୂରା ପରିବେଶ କମ୍ପିଥିଲା।
ଓଡ଼ିଶାକୁ ପ୍ରଶଂସା
ଓଡ଼ିଶାକୁ ପ୍ରଶଂସା କଲେ ହକି ଫେଡେରେସନର ମୁଖ୍ୟ ନରିନ୍ଦର ବାତ୍ରା। ହକି ବିଶ୍ଵକପ୍ ଉଦଘାଟନୀ ଉତ୍ସବରେ ବାତ୍ରା ଯୋଗଦେଇ ହକି ବିଶ୍ଵକପ୍ର ସଫଳ ଆୟୋଜନ ପାଇଁ ଓଡ଼ିଶାକୁ ଭୂୟଶୀ ପ୍ରଶଂସା କରିଥିଲେ।
“ହକି ବିଶ୍ଵକପ୍କୁ ସଫଳ ଭାବେ ଆୟୋଜନ କରିଥିବାରୁ ଓଡ଼ିଶାର ଖ୍ୟାତି ବଢ଼ିଛି। ବଳିଙ୍ଗ ଷ୍ଟାଡିୟମର ସୁନାମ ରହିଛି। ବିଶ୍ୱର ଶ୍ରେଷ୍ଠ ତିନୋଟି ଷ୍ଟାଡିୟମ ଭିତରୁ କଳିଙ୍ଗ ହେଉଛି ଅନ୍ୟତମ। ଭୁବନେଶ୍ୱର ହକି କ୍ୟାପିଟାଲ ପାଲଟିଛି”, କହିଛନ୍ତି ବାତ୍ରା।

















