ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ପ୍ରତିକ୍ଷୀତ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ ପରିବେଶରେ ଆରମ୍ଭ ହୋଇଯାଇଛି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ। ୧୬ଟି ରାଷ୍ଟ୍ର ଏହି ୧୯ ଦିନିଆ ପ୍ରତିଯୋଗିତାରେ ଟ୍ରଫି ପାଇଁ ଲଢ଼ିବେ।
ପୁଲ୍ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ଦଳ ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବ। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପାଇଁ କ୍ରସଓଭର ମ୍ୟାଚ ଖେଳିବେ। ଅନ୍ୟପକ୍ଷେ ପ୍ରତି ପୁଲର ଶେଷ ସ୍ଥାନ ପାଇଥିବା ଦଳମାନଙ୍କର ବିଶ୍ୱକପ୍ ଅଭିଯାନ ସେହିଠାରୁ ହିଁ ଶେଷ ହୋଇଯିବ।
ଆତ୍ମବିଶ୍ଵାସରେ ଭରପୂର ଭାରତୀୟ ହକି ଦଳ ନିଜର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁଧବାର ପଡ଼ିଆକୁ ଓହ୍ଲାଇବ। ଦଳ ୪୩ ବର୍ଷ ପରେ ବିଶ୍ଵକପରେ ପଦକ ଜିତିବା ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିବ। ଆଠ ଥର ଅଲିମ୍ପିକ ଚମ୍ପିୟାନ ଭାରତୀୟ ଦଳ ୧୯୭୫ରେ ବିଶ୍ଵକପ୍ ଜିତିଥିଲା। ଅଜିତ ପାଲ ସିଂହଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ଇତିହାସ ରଚିଥିଲା।
ପୁଲ୍-ସିରେ ଥିବା ଭାରତ ନିଜର ଅଭିଯାନ ଆରମ୍ଭ କରିବ। ୧୯୭୫ଠୁ ନେଦରଲାଣ୍ଡ, ଜର୍ମାନୀ ଓ ଅଷ୍ଟ୍ରେଲିଆ ପରି ଦଳ ପାଖରେ ପହଞ୍ଚିବାରେ ବିଫଳ ହୋଇଥିଲା ଭାରତ। ଗତ ଚାରି ଦଶନ୍ଧିରେ ୟୁରୋପୀୟ ଦଳ ହକି ବିଶ୍ଵ କପରେ ନିଜର ଦବଦବା ଜାରି ରଖିଥିଲେ। ୧୯୭୫ ପରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୯୯୨ ମୁମ୍ବାଇରେ ଆୟୋଜିତ ବିଶ୍ଵକପରେ ଥିଲା। ଏଥିରେ ଭାରତ ପଞ୍ଚମ ସ୍ଥାନ ହାସଲ କରିଥିଲା। ୮ ଥର ସ୍ୱର୍ଣ୍ଣ ସହିତ ମୋଟ ୧୧ ଅଲମ୍ପିକ୍ ପଦକ ଜିତିଛି ଭାରତ।
ଗତ ୪୩ ବର୍ଷର ବିଶ୍ଵକପରେ କୌଣସି ପଦକ ଜିତିବାରେ ଭାରତ ସଫଳ ହୋଇନାହିଁ। ବିଶ୍ଵ ମାନ୍ୟତାରେ ପଞ୍ଚମ ସ୍ଥାନରେ ଥିବା ଭାରତ ଏଥର ପଦକ ଜିତି ଶୀର୍ଷସ୍ତରକୁ ଯିବାକୁ ଉଦ୍ୟମ କରିବ। ମାତ୍ର ଦଳକୁ ସେତେଟା ସହଜ ହେବ ନାହିଁ। କାରଣ ଦଳକୁ ଦୁଇ ଥରର ଚମ୍ପିୟାନ ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ଜର୍ମାନୀ ଓ ଅଲିମ୍ପିକ ଚମ୍ପିଆନ ଆର୍ଜେଣ୍ଟିନା ପରି ଦଳକୁ ମୁକାବିଲା କରିବାକୁ ପଡ଼ିବ। ଏହାଛଡ଼ା ଦର୍ଶକଙ୍କ ଅହେତୁକ ଆଶା ଓ ଆକାଂକ୍ଷା ପୂରଣ କରିବାର ଚାପ ହରେନ୍ଦ୍ର ସିଂଙ୍କ ଟିମ୍ ଉପରେ ରହିବ।
ଗତ ୨୦୧୦ରେ ଦିଲ୍ଲୀରେ ଆୟୋଜିତ ବିଶ୍ଵକପରେ ଭାରତ ଅଷ୍ଟମ ସ୍ଥାନରେ ଥିଲା। ଏ ପର୍ଯ୍ୟନ୍ତ ୯ଟି ଦେଶ ବିଶ୍ଵକପ ଆୟୋଜନ କରିଛନ୍ତି। ମାତ୍ର ପ୍ରତି ଥର ଆୟୋଜକ ଦଳ ଘରୋଇ ମାଟିରେ ଆଶା ମୁତାବକ ପ୍ରଦର୍ଶନ କରିପାରି ନାହାନ୍ତି। ୧୬ଟି ଦେଶକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ଦକ୍ଷିଣ ଆଫ୍ରିକା, ବେଲଜିୟମ ଓ କାନାଡା ସି ଗ୍ରୁପରେ ଅଛନ୍ତି।
ବିଶ୍ୱର ତୃତୀୟ ନମ୍ବରର ଦଳ ବେଜଲିୟମ ପ୍ରତି ଭାରତକୁ ସତର୍କ ରହିବାର ଆବଶ୍ୟକତା ରହିଛି। ଦକ୍ଷିଣ ଆଫ୍ରିକାର ମାନ୍ୟତା ୧୫ ଓ କାନାଡା ମାନ୍ୟତାର ୧୧ତମ ସ୍ଥାନରେ ରହିଛି। ମାତ୍ର ଭାରତ ଅସଲ ମୁକାବିଲା ବେଲଜିୟମ ସହିତ ଗ୍ରୁପ ପର୍ଯ୍ୟାୟରେ ହେବ। ମ୍ୟାଚ ଜିତି ଭାରତ ସିଧାସଳଖ କ୍ଵାର୍ଟର ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିବାକୁ ଚାହିଁବ। ଡିସେମ୍ବର ୨ରେ ଭାରତ-ବେଲଜିୟମ ଓ ଡିସେମ୍ବର ୮ରେ କାନାଡା ସହ ମୁକାବିଲା ହେବ।