ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରୁପ୍ ଶୀର୍ଷ ସ୍ଥାନ ପାଇଁ ଭାରତ-ବେଲଜିୟମ ମଧ୍ୟରେ ହେବ କଡ଼ା ଟକ୍କର।
ଓଡ଼ିଶା ପୁରୁଷ ହକି ବିଶ୍ୱକପର ପଞ୍ଚମ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ। ବିଶ୍ୱକପର ଦଶମ ମ୍ୟାଚରେ ଭାରତ-ବେଲଜିୟମ ମଧ୍ୟରେ ଲଢ଼େଇ ହେବ। ରାତି ୭ଟାରେ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଟିମ୍। ପୁଲ୍-ସିରେ ଘରୋଇ ଭାରତ ସମେତ ବେଲଜିୟମ, ଦକ୍ଷିଣ ଆଫ୍ରିକା ଓ କାନାଡା ଦଳ ସ୍ଥାନ ପାଇଛନ୍ତି।
ଗ୍ରୁପରେ ରହିଥିବା ଦଳଗୁଡ଼ିକ ମଧ୍ୟରୁ ବେଲଜିୟମ ଓ ଭାରତ ଗ୍ରୁପ ଶୀର୍ଷ ସ୍ଥାନ ନେଇ ମୁହାଁମୁହିଁ ହେବେ। କାରଣ ଉଦଘାଟନୀ ମ୍ୟାଚରେ ଦୁଇ ଦଳ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ବିଶ୍ୱର ୩ ନମ୍ବର ଦଳ ବେଲଜିୟମ ୨-୧ ଗୋଲରେ କାନାଡାକୁ ପରାସ୍ତ କରିଥିଲା। ଦମଦାର ବିଜୟ ଫଳରେ ବେଲଜିୟମ ୨ ପଏଣ୍ଟ ପାଇଥିଲା ବେଳେ କାନାଡାକୁ କୌଣସି ପଏଣ୍ଟ ମିଳିନାହିଁ।
ସେହିପରି ଭାରତ ମଧ୍ୟ ବିଜୟରୁ ତାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି। କଳିଙ୍ଗରେ ଭାରତର ଗୋଲବର୍ଷାରେ ୫-୦ରେ ଦକ୍ଷିଣ ଆଫ୍ରିକା ଧରାଶାୟୀ ହୋଇଥିଲା। ଦୁଇ ଦଳ ଭଲ ପ୍ରଦର୍ଶନ କରିଥିବାରୁ ରବିବାର ମ୍ୟାଚ ରୋମାଞ୍ଚକର ହେବ ବୋଲି କ୍ରୀଡ଼ା ସମୀକ୍ଷକ ଆକଳନ କରିଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିଲପ୍ରୀତ ସିଂ, ମନପ୍ରୀତ ସିଂ, ଆକାଶଦୀପ ସିଂ, ସିମ୍ରନଜିତ ସିଂଙ୍କ ଦମଦାର ପ୍ରଦର୍ଶନ ବେଲଜିୟମ ପାଇଁ ଅଡ଼ୁଆ ପକାଇପାରେ। ବିଶ୍ୱର ୩ ନମ୍ବର ଦଳକୁ ହରାଇବାକୁ ହେଲେ ଭାରତକୁ ରଣକୌଶଳ ସହ ସଂଘବଦ୍ଧ ଆକ୍ରମଣ କରିବାକୁ ପଡ଼ିବ।
ଅନ୍ୟପକ୍ଷରେ ଅଲିମ୍ପିକ୍ ରୌପ୍ୟ ବିଜେତା ବେଲଜିୟମ ମଧ୍ୟ ଭାରତକୁ କଡ଼ା ଟକ୍କର ଦେବା ପାଇଁ ପଡ଼ିଆକୁ ଓହ୍ଲାଇବ। ଘରୋଇ ପରିବେଶରେ ଭାରତର ସମର୍ଥନ ସତ୍ତ୍ୱେ ପ୍ରତିପକ୍ଷ ଉପରେ ଚାପ ପକାଇବାକୁ ଚେଷ୍ଟା କରିବ ବେଲଜିୟମ। ଦଳରେ ଟମ୍ ବୁନ୍, ଆର୍ଥର ଭାନ୍ ଡୋରେନ, ଭିନସେଣ୍ଟ ଭନାଶ୍ଚଙ୍କ ଭଳି ଖେଳାଳି ରହିଛନ୍ତି।
କାନାଡ଼ା ବିପକ୍ଷ ମ୍ୟାଚରେ ବେଲଜିୟମର ସେଡ୍ରିକ ଚାର୍ଲିୟର, ଥୋମାସ ବ୍ରିଏଲ୍ସ, ଆଲେକଜାଣ୍ଡର ହେଣ୍ଡ୍ରିକିସ ଭଲ ପ୍ରଦର୍ଶନ କରିଥିଲେ। ତିନି ଦିନର ବ୍ରେକ୍ ପରେ ଦୁଇ ଦଳ ବିଜୟ ଧାରା ବଜାୟ ରଖିବା ନେଇ ପଡ଼ିଆକୁ ଓହ୍ଲାଇବେ।