ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଲନ୍ଦସହର ହିଂସାକାଣ୍ଡରେ ବଳି ପଡ଼ିଲେ ପୋଲିସ୍ ଅଧିକାରୀ ସୁବୋଧ କୁମାର।

ବୁଲନ୍ଦସହର ହିଂସାକାଣ୍ଡରେ ପୋଲିସ୍ ୪ଜଣଙ୍କୁ ଗିରଫ କରିଛି। ଏହି ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ପୋଲିସ୍ ଏଡିଜି ଆନନ୍ଦ କୁମାର। ଘଟଣାରେ ମୋଟ ୭ ଜଣଙ୍କ ନାଁରେ ଏଫ୍ଆଇଆର୍ ଦାଖଲ ହୋଇଥିବା କହିଛନ୍ତି ଏଡିଜି।

ଏହି ହିଂସାକାଣ୍ଡରେ ବଜରଙ୍ଗୀ ଦଳର ହାତ ଥିବା ସନ୍ଦେହ କରାଯାଉଛି।

ବୁଲନ୍ଦସହର ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ଇନ୍‌ସପେକ୍ଟର ସୁବୋଧ କୁମାରଙ୍କ ପାର୍ଥିବ ଶରୀର ପଞ୍ଚତତ୍ତ୍ଵରେ ଲୀନ ହୋଇଛି। ମଙ୍ଗଳବାର ତାଙ୍କ ଅନ୍ତିମ ଯାତ୍ରାରେ ସାଂସଦ, ବିଧାୟକ, ବହୁ ପୋଲିସ୍ ଅଧିକାରୀ ହଜାର ହଜାର ଜନ ସାଧାରଣ ଯୋଗ ଦେଇଥିଲେ।

ଅନ୍ୟପକ୍ଷରେ ପରିବାର ଲୋକ ସରକାରଙ୍କ ଦ୍ଵାରା ଦିଆଯାଇଥିବା ଅନୁକମ୍ପା ରାଶି ଗ୍ରହଣ କରିବାକୁ ମନା କରିଦେଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇନ୍‌ସପେକ୍ଟରଙ୍କ ଅନ୍ତିମ ସଂସ୍କାରରେ ସାମିଲି ହୁଅନ୍ତୁ ଦାବି କରିଥିଲେ ପରିବାର ଲୋକେ।

ସରକାରଙ୍କ ଦ୍ଵାରା  ମୃତକଙ୍କ ପରିବାରକୁ ୫୦ ଲକ୍ଷ ଅନୁକମ୍ପା ରାଶି ଦେବାକୁ ଘୋଷଣା ହୋଇଥିଲା। ଏଥିସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦିଆଯିବ।

ସୋମବାର ଉତ୍ତରପ୍ରଦେଶର ବୁଲନ୍ଦସହରରେ ଗୋହତ୍ୟା ଅଭିଯୋଗ ଆସିଥିଲା। ଏଭଳି ଅଭିଯୋଗ ଆସିବା ପରେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ ସ୍ଥାନୀୟ ଲୋକ।

ଉତ୍ତ୍ୟକ୍ତ ଲୋକେ ସେହି ଅଞ୍ଚଳରେ ହିଂସାକାଣ୍ଡ ଉପୁଜାଇଥିଲେ। ଏହି ହିଂସାକାଣ୍ଡରେ ଜଣେ ପୋଲିସ୍ ଇନ୍‌ସପେକ୍ଟର ଓ ଅନ୍ୟ ଜଣେ ସାଧାରଣ ଲୋକ ମୃତ୍ୟୁବରଣ କରିଥିଲେ।

ଉତ୍ତ୍ୟକ୍ତ ଲୋକେ ପୋଲିସ୍ ଫାଣ୍ଡିରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଏଥିସହ ସେମାନେ ଗାଡ଼ି ଜାଳି ମଧ୍ୟ ଦେଇଥିଲେ।

ଘଟଣାକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିଥିଲା। ସେହି ସ୍ଥାନରେ ବହୁତ ଭିଡ଼ ରହିଥିବାରୁ ପୋଲିସ୍ ଫାଙ୍କାରେ ଗୁଳି ଚାଳନା କରିଥିଲା। ଉତ୍ତ୍ୟକ୍ତ ଲୋକ କିନ୍ତୁ ନିୟନ୍ତ୍ରଣରେ ରହିବାକୁ ପ୍ରସ୍ତୁତ ନଥିଲେ। ଓଲଟା ପୋଲିସ ଉପରକୁ ପଥର ଫିଙ୍ଗିଥଲେ।

ତେବେ ହିଂସାକାଣ୍ଡର ତଦନ୍ତ ପାଇଁ ଏକ ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

Comment