ମିନତି ମିଶ୍ର

ଏଇ କିଛି ଦିନ ହେବ ସାରା ଭାରତରେ ଚର୍ଚ୍ଚାରେ ରହିଛି ଆଲିଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ (ଏଏମୟୁ)। ଉକ୍ତ ବିଶ୍ଵବିଦ୍ୟାଳୟକୁ ମିଳିଥିବା ସଂଖ୍ୟା ଲଘୁ ଅନୁଷ୍ଠାନ ମାନ୍ୟତାକୁ ନେଇ ବିବାଦ ଦେଖା ଦେଇଥିଲାବେଳେ ଏହାକୁ ବଜାୟ ରଖିଛନ୍ତି ସୁପ୍ରିମକୋର୍ଟ। ୧୯୬୭ରେ ଦେଇଥିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ସୁପ୍ରମକୋର୍ଟଙ୍କ ଖଣ୍ଡପୀଠ।

୧୯୬୭ ନିଷ୍ପତ୍ତିରେ ସୁପ୍ରିମକୋର୍ଟ କହିଥିଲେ, ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟକୁ ସଂଖ୍ୟା ଲଘୁ ସଂସ୍ଥାର ମାନ୍ୟତା ମିଳିବ ନାହିଁ। କାରଣ ଏହାର ପ୍ରତିଷ୍ଠା ଆଇନ ଅନୁଯାୟୀ ହୋଇଥିଲା। ତେବେ ଆଲିଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟକୁ ନେଇ ଏହା ପ୍ରଥମ ବିବାଦ ନୁହେଁ। ଏହି ବିଶ୍ଵବିଦ୍ୟାଳୟକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖା ଦେଇଛି। ଏପରିକି ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜା ମହେନ୍ଦ୍ର ପ୍ରତାପ ସିଂହ ଦେଇଥିବା ଜମିକୁ ତାଙ୍କ ବଂଶଜ ଲିଜ ଶେଷ ହୋଇଯିବା ପରେ ଫେରାଇ ନେବାକୁ କହିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା।

କିଏ ଥିଲା ରାଜା ମହେନ୍ଦ୍ର ପ୍ରତାପ ସିଂହ

ରାଜା ମହେନ୍ଦ୍ର ପ୍ରତାପ ଜଣେ ସ୍ୱାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ ନେତା, ଲେଖକ ତଥା ସମାଜ ସଂସ୍କାରକ ଥିଲେ। ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାବେଳେ ସେ ଜମି ଦାନରେ ଦେଇଥିଲେ।

ରାଜା ମହେନ୍ଦ୍ର ପ୍ରତାପ ସିଂହ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୧୯୧୫ରେ କାବୁଲରେ ଭାରତର ଅସ୍ଥାୟୀ ସରକାରର ସ୍ଥାପନା କରିଥିଲେ। ତାଙ୍କର ଏପରି କାମକୁ ଦେଖି ଇଂରେଜମାନେ ଟାର୍ଗେଟ କରିଥିଲେ। ଏହା ପରେ ସେ ଦୀର୍ଘ ବର୍ଷ ଜାପାନରେ କଟାଇଥିଲେ। ସ୍ୱାଧୀନତା ପ୍ରାପ୍ତିର ଏକ ବର୍ଷ ପୂର୍ବରୁ ରାଜା ମହେନ୍ଦ୍ର ପ୍ରତାପ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ନିଜ ଦେଶକୁ ଫେରିବା ପରେ ମହାତ୍ମା ଗାନ୍ଧୀଙ୍କ ସହ ମିଶି କାମ କରିବା ଆରମ୍ଭ କରିଥିଲେ। ୧୯୫୭ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ ମଧ୍ୟ। ସ୍ୱାଧୀନ ଭାରତରେ ସେ ପଞ୍ଚାୟତିରାଜ ଯୋଜନାକୁ ଅତି ନିଷ୍ଠାର ସହ ଆଗକୁ ନେଇଥିଲେ।

ମାତ୍ର ୧୬ ବର୍ଷରେ କରିଥିଲେ ବିବାହ

୧୮୮୬ରେ ଉତ୍ତରପ୍ରଦେଶର ହାଥରସର ମୁରସାନ ଇଷ୍ଟେଟର ଶାସକ ଜାଟ ପରିବାରରେ ରାଜା ମହେନ୍ଦ୍ର ପ୍ରତାପଙ୍କର ଜନ୍ମ ହୋଇଥିଲା। ୧୯୦୨ରେ ତାଙ୍କର ବିବାହ ବଲବୀର କୌରଙ୍କ ସହ ସମ୍ପନ୍ନ ହୋଇଥିଲା। ବଲବୀର ଶିଖ ସଂପ୍ରଦାୟର ଥିଲେ। ୧୯୦୭ରେ ସେ ନିଜ ପତ୍ନୀଙ୍କୁ ନେଇ ବିଶ୍ୱ ଯାତ୍ରାରେ ବାହାରିଲେ। ସେଠାରୁ ଫେରିବା ପରେ ମଥୁରାରେ ଥିବା ତାଙ୍କର ଏକ ଘରକୁ ସ୍କୁଲ ପାଇଁ ଦେଇଥିଲେ। ୧୯୦୯ରେ ଏହାକୁ ପ୍ରେମ ମହାବିଦ୍ୟାଳୟ ନାମ ଦିଆ ଯାଇଥିଲା। ଏହା ଦେଶର ପ୍ରଥମ ପଲିଟେକ୍ନିକ୍ କଲେଜ ଥିଲା।

ଏଏମୟୁ ସହ ସମ୍ପର୍କ

ମହେନ୍ଦ୍ର ପ୍ରତାପଙ୍କର ପ୍ରାଥମିକ ଶିକ୍ଷା ଆଲିଗଡ଼ ସରକାରୀ ସ୍କୁଲରେ ହୋଇଥିଲା। ପରେ ସେ ଆଲିଗଡ଼ର ମୋହମ୍ମଡନ ଏଗ୍ଲୋ-ଓରିଏଣ୍ଟାଲ କଲେଜରେ ନାମ ଲେଖାଇଥିଲେ। ଏହାକୁ ପରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ନାମରେ ନାମିତ କରାଗଲା। ଅବଶ୍ୟ ସେ ଏଠାରେ ନିଜର ସ୍ନାତକ ପୂରା କରି ନଥିଲେ। ତଥାପି ବିଶ୍ୱବିଦ୍ୟାଳୟର ପ୍ରମୁଖ ଛାତ୍ରଙ୍କ ମଧ୍ୟରେ ତାଙ୍କର ନାଁ ଥିଲା। ମହେନ୍ଦ୍ର ପ୍ରତାପଙ୍କ ବାପା ଏବଂ ଦାଦା ଶିକ୍ଷା ସଂସ୍କାରକ ତଥା ଏଏମୟୁର ପ୍ରତିଷ୍ଠାତା ସୟଦ ଅହମ୍ମଦ ଖାନଙ୍କର ଖୁବ ନିକଟତର ଥିଲେ।

ଯେତେବେଳେ ଏଏମୟୁର ମୂଳଦୁଆ ପଡ଼ିବା ପାଇଁ ଆଲୋଚନା ହେଲା ସେତେବେଳେ ମହେନ୍ଦ୍ର ପ୍ରତାପଙ୍କ ପରିବାର କିଛି ଜମି ଦାନ ସୂତ୍ରରେ ଦେଇଥିଲେ। ହେଲେ ୧୯୨୯ରେ ନିଜେ ରାଜା ମହେନ୍ଦ୍ର ପ୍ରତାପ ୩.୦୯ ଏକର ଜମି ଏଏମୟୁ ନାମରେ ପଟ୍ଟା କରି ଦେଇଥିଲେ।

ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ

୧୯୨୯ରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ବର୍ଲିନରେ ୱାର୍ଲଡ ଫେଡେରେଶନର ସ୍ଥାପନା କରିଥିଲେ। ୧୯୩୨ରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ସ୍ୱିଡିଶ ଡାକ୍ତର ଏନ.ଏ.ନିଲ୍ସନ ତାଙ୍କୁ ମନୋନୀତ କରିଥିଲେ। ନିଲ୍ସନ ସ୍ଥାୟୀ ଅନ୍ତର୍ଜାତୀୟ ଶାନ୍ତି ବ୍ୟୁରୋ ଆୟୋଗର ସଦସ୍ୟ ଥିଲେ। ନୋମିନେସନରେ ତାଙ୍କୁ ହିନ୍ଦୁ ଦେଶଭକ୍ତ, ୱାର୍ଲ ଫେଡେରେଶନର ସମ୍ପାଦକ ଏବଂ ଆଫଗାନିସ୍ଥାନର ଅନୌପଚାରିକ ଦୂତ ରୂପରେ ବର୍ଣ୍ଣନା କରାଯାଇଥିଲା।  

୧୯୭୯ ଏପ୍ରିଲ ୨୬ ତାରିଖରେ ତାଙ୍କର ଦେହନ୍ତ ହୋଇଥିଲା। ୨୦୨୧ ମାର୍ଚ୍ଚରେ ଉତ୍ତରପ୍ରଦେଶ ସରକାର ତାଙ୍କ ନାମରେ ଆଲିଗଡ଼ରେ ଆଉ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଘୋଷଣା କରିଥିଲେ। 

Tags: #AligarhMuslimUniversity #RajaMahendraPratapSingh #Philanthropist #Education #Uttarpradesh

LEAVE A REPLY

Please enter your comment!
Please enter your name here