ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଡିସେମ୍ବର ୬ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଅଷ୍ଟ୍ରେଲିଆ ମାଟିରେ ଭାରତୀୟ କ୍ରିକେଟ ଦଳ ପାଇଁ ଟେଷ୍ଟ ଶୃଙ୍ଖଳା ଜିତିବା ସ୍ୱପ୍ନ ହୋଇ ରହିଛି। ୭୦ ବର୍ଷରୁ ଅଧିକ ଲମ୍ବା କ୍ରିକେଟ ଇତିହାସ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ସହ ଖେଳିଛନ୍ତି ମୋଟ ୯୪ ଟେଷ୍ଟ।

ଉଭୟ ଦଳ ମଧ୍ୟରେ ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଟେଷ୍ଟ ଶୃଙ୍ଖଳାରେ ୨୦୧୭ ମସିହା ପର୍ଯ୍ୟନ୍ତ ପରିସଂଖ୍ୟାନ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ଯେ ଶକ୍ତିଶାଳି ତାହା ସ୍ପଷ୍ଟ ହେଉଛି। ଅଷ୍ଟ୍ରେଲିଆ ମାଟିରେ ଭାରତ ୨୬ ଜିତିଥିଲା ବେଳେ ଅଷ୍ଟ୍ରେଲିଆ ଜିତିଛି ୪୧। ଅବଶିଷ୍ଟ ୨୭ ଟେଷ୍ଟ ଅମୀମାଂସିତ ରହିଛି।

ତେଣୁ ଅଷ୍ଟ୍ରେଲିଆ ମାଟିରେ ଭାରତର ସଂଘର୍ଷର ଅନ୍ତ ଘଟାଇବା ଲକ୍ଷ୍ୟରେ ଏଥର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ କେତେଦୂର ସଫଳ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷକରି ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍ ୱର୍ନରଙ୍କ ଅନୁପସ୍ଥିତିରେ କୋହଲି ବାହିନୀ କିପରି ଫାଇଦାର ଉପଯୋଗ କରିବେ ତାହା ଆଡିଲେଡ୍ ଟେଷ୍ଟରୁ ଜଣାପଡ଼ିଯିବ।

ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସମୟରେ ବାଜିରେ ଲାଗିବ ଭାରତର ଏକ ନମ୍ବର ଟେଷ୍ଟ ମାନ୍ୟତା। ମାତ୍ର  ଟିମ୍ ଇଣ୍ଡିଆ ଯଦି ଗୋଟିଏ ମ୍ୟାଚ୍ ଡ୍ର କରିନିଏ ତେବେ ନିଜର ଶୀର୍ଷ ମାନ୍ୟତା ବଞ୍ଚାଇ ରଖିବାରେ ସଫଳ ରହିବ। ଅଷ୍ଟ୍ରେଲିଆ ବର୍ତ୍ତମାନ ଆଇସିସି ଟେଷ୍ଟ ମାନ୍ୟତାର ପଞ୍ଚମ ସ୍ଥାନରେ ରହିଛି।

ଆଇସିସି ମୁତାବକ ଯଦି ଅଷ୍ଟ୍ରେଲିଆ ୪-୦ରେ  ବିଜୟୀ ହୁଏ, ତେବେ ଦଳ ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନ ହାସଲ କରିବ। ଅନ୍ୟପଟେ ଶୀର୍ଷ ସ୍ଥାନ ବଜାୟ ରଖିବା ପାଇଁ ଭାରତକୁ କେବଳ ଗୋଟିଏ ମ୍ୟାଚ୍ ଡ୍ର ରଖିବା ଜରୁରୀ ଅଟେ।

ଯଦି ଅଷ୍ଟ୍ରେଲିଆ ୪-୦ରେ ସିରିଜ୍ ଜିତିନିଏ ତେବେ ଦଳ ୧୧୦ ପଏଣ୍ଟ ସହିତ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିବ। ଅନ୍ୟପଟେ ଭାରତ ୧୦୮ ପଏଣ୍ଟ ସହିତ ତୃତୀୟ ସ୍ଥାନକୁ ଖସି ଆସିବ। ଯଦି ଅଷ୍ଟ୍ରେଲିଆ ୩-୦ରେ ବିଜୟୀ ହୁଏ ତେବେ କୋହଲିଙ୍କ ଦଳ ୧୦୯ ପଏଣ୍ଟକୁ ଖସି ଆସିବ ଏବଂ ଆୟୋଜକ ଦଳର ପଏଣ୍ଟ ୧୦୮ ହେବ।

ଅଷ୍ଟ୍ରେଲିଆ ୩-୧ରେ ସିରିଜ୍ ଜିତିଲେ ତାର ପଏଣ୍ଟ ୧୦୭ ହେବ ଏବଂ ଭାରତର ପଏଣ୍ଟ ୧୧୧କୁ ହ୍ରାସ ପାଇବ। ଭାରତ ବର୍ତ୍ତମାନ ୧୧୬ ପଏଣ୍ଟ ସହିତ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପଟେ ଆୟୋଜକ ଅଷ୍ଟ୍ରେଲିଆର ପଏଣ୍ଟ ୧୦୨ ରହିଛି। ଯଦି ଭାରତ ୪-୦ରେ ବିଜୟୀ ହୁଏ ତେବେ ଦଳର ପଏଣ୍ଟ ୧୨୦କୁ ବୃଦ୍ଧି ପାଇବ ଏବଂ ଅଷ୍ଟ୍ରେଲିଆ ୧୦୨ରୁ ୯୭ ପଏଣ୍ଟ ଖସି ଆସିବ।

LEAVE A REPLY

Please enter your comment!
Please enter your name here