ଓଡ଼ିଶାଲାଇଭ୍‌ ବ୍ୟୁରୋ

କଥାରେ ଅଛି ମନରେ ଯଦି ଦୃଢ଼ ଇଚ୍ଛା ଶକ୍ତି ଥିବ ତାହାଲେ ସ୍ୱପ୍ନ  ନିଶ୍ଚିତ ବାସ୍ତବରେ ପରିଣତ ହେବ। ଏମିତି କିଛି କରି ଦେଖାଇଛନ୍ତି ଜମ୍ମୁ-କଶ୍ମୀର ଆମିର ହୁସେନ ନାମକ ବ୍ୟକ୍ତି। ଦୁଇ ହାତ ନଥିବା ସତ୍ୱେ ବଡ଼ ବଡ଼ ଛକା ଚୌକା ମାରିବାରେ ମାହିର ଆମିର।

୨୬ ବର୍ଷୀୟ ହୁସେନ କଶ୍ମୀର ପାରା କ୍ରିକେଟ ଟିମର ଅଧିନାୟକ ଅଟନ୍ତି। ୮ ବର୍ଷ ବୟସରେ ଏକ ଦୁର୍ଘଟଣାରେ ତାଙ୍କର ଦୁଇ ହାତକୁ କାଟିବାକୁ ପଡ଼ିଥିଲା। କ୍ରିକେଟ ବ୍ୟାଟ୍ ତିଆରି ହେଉଥିବା ମେସିନରେ ତାଙ୍କର ହାତ କଟି ଯାଇଥିଲା। ସେ ମେଡିକାଲରେ ପାଖାପାଖି ୩ବର୍ଷ ଧରି ଚିକିତ୍ସାଧୀନ ଥିଲେ।

ହୁସେନଙ୍କ ବାପା ବସିର ଅହମ୍ମଦ ବ୍ୟାଟ ତିଆରି କାମ କରୁଥିଲେ। ପୁଅର ଚିକିତ୍ସା ପାଇଁ ହୁସେନ ତାଙ୍କର ସମସ୍ତ ସମ୍ପତ୍ତିକୁ ବିକ୍ରି କରିଦେଇଥିଲେ। ୩ବର୍ଷ ହସ୍ପିଟାଲରେ ରହିବା ପରେ ହୁସେନ ନୂଆ ଜୀବନ ଆରମ୍ଭ କରିଥିଲେ।  ତାଙ୍କର ବୁଢ଼ୀ ମାଙ୍କ ସାହାଯ୍ୟରେ ଭିନ୍ନକ୍ଷମ ଲୋକଙ୍କ ପରି କାମ କରିବା ଆରମ୍ଭ କରିଥିଲେ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ହୁସେନ ଗୋଡ଼ ସାହାଯ୍ୟରେ ବି ପେଣ୍ଟିଙ୍ଗ କରିପାରନ୍ତି। ଛୋଟବେଳୁ ହାତ ହରାଇଥିବା ସତ୍ୱେ କ୍ରିକେଟ ଖେଳିବାକୁ ଭୁଲିନଥାନ୍ତି।

ହାତ ନଥିବା ସତ୍ୱେ ସେ ବିଭିନ୍ନ ଷ୍ଟାଇଲରେ ବ୍ୟାଟିଂ କରିଥାନ୍ତି। କାନ୍ଧ ଏବଂ ଗଳା ମଧ୍ୟରେ ବ୍ୟାଟ ରଖି ସଟ୍ ଖେଳିଥାନ୍ତି। ଏହାଛଡ଼ା ସେ ଗୋଡ଼ର ମଝି ଆଙ୍ଗୁଳି ମଧ୍ୟରେ ବଲ୍ ରଖି ବୋଲିଂ କରିଥାନ୍ତି। ଏଭଳି ଅଭ୍ୟାସ କରିବା ପରେ ତାଙ୍କର ଯେଉଁ ସ୍ୱପ୍ନ ଥିଲା ତାହା ବାସ୍ତବରେ ପରିଣତ ହୋଇଥିଲା। ହୁସେନଙ୍କ ଦକ୍ଷତା ଦେଖି ୨୦୧୩ରେ ଜମ୍ମୁ-କଶ୍ମୀର ପାରା କ୍ରିକେଟ ଟିମରେ ସାମିଲ କରାଯାଇଥିଲା। ଭଲ ପ୍ରଦର୍ଶନ ପାଇଁ ସେ ଦୀର୍ଘ ୬ ବର୍ଷ ଧରି ଅଧିନାୟକ ହୋଇ ରହିଛନ୍ତି।

LEAVE A REPLY

Please enter your comment!
Please enter your name here