ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଲୋକ ଜୀବଜନ୍ତୁ ପାଳିବାର ସୌଖିନ ରଖିଥାନ୍ତି। ବେଳେବେଳେ ଏହା ମହଙ୍ଗା ସାବ୍ୟସ୍ତ ହୋଇଥାଏ। ନିଜର ଏହି ସଉକ ପାଇଁ ୟୁରୋପ ଦେଶର ଜଣେ ୩୩ ବର୍ଷିୟ ଯୁବକଙ୍କୁ ନିଜ ଜୀବନ ଦେବାକୁ ପଡିଛି। ଯୁବକ ଜଣଙ୍କ ନିଜ ପୋଷା ସିଂହକୁ ଖାଇବା ଦେବାକୁ ଯିବା ସମୟରେ ସିଂହଟି ତାଙ୍କୁ ଜୀବନରୁ ମାରିଦେଇଥିଲା।
ଘଟଣାଟି ଘଟିଛି ୟୁରୋପୀୟ ଦେଶଚେକ୍ ରିପବ୍ଳିକର ଏକ ଗାଁରେ। ଏଠାରେ ବାଡ ଭିତରେ ବନ୍ଧା ଥିବା ଏକ ସିଂହ ନିଜର ମାଲିକକୁ ଜୀବନରୁ ମାରିଦେଇଛି। ୩୩ ବର୍ଷିୟ ମାଇକେଲ ପ୍ରାସେକ ନିଜ ଘର ପଛପଟେ ଥିବା ବାଡ ଭିତରକୁ ପୋଷା ସିଂହକୁ ଖାଇବାକୁ ଦେବାକୁ ଯାଇଥିଲେ।

ମାଇକେଲ ୨୦୧୬ ମସିହାରେ ନିଜ ଘରକୁ ଏକ ସିଂହ ଆଣିଥିଲେ। ହିଂସ୍ର ଜନ୍ତୁକୁ ପାଖରେ ରଖୁଥିବାରୁ ଏହାକୁ ସ୍ଥାନୀୟ ଲୋକ ବିରୋଧ କରିବା ସତ୍ତ୍ୱେ ନିଜ ଜିଦରେ ଅଡିବସିଥିଲେ। ୨୦୧୮ରେ ମାଇକେଲ ଏକ ସିଂହିକୁ ମଧ୍ୟ ଆଣିଥିଲେ ଏବଂ ସିଂହ ରହୁଥିବା ସେହି ବାଡ଼ ଭିତରେ ରଖିଥିଲେ। ଏଭଳି ହିଂସ୍ର ଜଙ୍ଗଲୀ ଜନ୍ତୁଙ୍କୁ ରଖିବା ପାଇଁ ମାଇକେଲ ପ୍ରଶାସନର ଅନୁମତି ମଧ୍ୟ ନେଇନଥିଲେ। ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କ ଠାରୁ ଜରିମାନା ଆଦାୟ କରିଥିଲା। ମାଇକେଲ ପ୍ରାୟତଃ ଭୟଙ୍କ ସିଂହ ଓ ସିଂହିଙ୍କ ବାଡ ଭିତରକୁ ଯାଇଥାନ୍ତି ଏବଂ ସେମାନଙ୍କ ସହିତ ଫଟୋ ଉଠାଇଥାନ୍ତି।

କିନ୍ତୁ ଗୁରବାର ମାଇକେଲଙ୍କ ଶବ ସିଂହର ବାଡ ଭିତରୁ ସେହି ସମୟରେ ମିଳିଥିଲା ଯେତେବେଳେ ସେ ସିଂହକୁ ଖାଇବାକୁ ଦେବାପାଇଁ ଯାଇଥିଲେ। ବାଡ ଭିତରେ ଗୋଟେ ନଅ ବର୍ଷିୟ ସିଂହ ଏବଂ ସିଂହି ଥିଲେ। ସେମାନେ ମାଇକେଲକୁ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ହିଁ ମାଇକେଲଙ୍କର ମୃତ୍ୟୁ ହୋଇଥିଲା। ଯାହା ମାଇକେଲଙ୍କ ବାପା କିଛି ସମୟ ଆସି ଦେଖିବା ପରେ ଏହା ଜାଣିବାକୁ ପାଇଥିଲେ।
ଏହାପରେ ପରିବାର ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚିବାପରେ ମାଇକେଲଙ୍କ ଶବକୁ ସେଠାରୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା ଯାହା ବିଫଳ ହୋଇଥିଲା। ଫଳରେ ସେମାନେ ଦୁଇଟି ଯାକ ସିଂହ ଏବଂ ସିଂହିଙ୍କୁ ମାରିଦେଇଥିଲେ। ଏହାପରେ ମାଇକେଲଙ୍କ ଶବକୁ ଉଦ୍ଧାର କରାଯାଇଥିଲା।









