ଓଡ଼ିଶାଲାଇଭ୍ ବ୍ୟୁରୋ

ସିଆଇଏସ୍ଏଫ୍ର ୫୦ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି।
ଆଜି ହେଉଛି କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(ସିଆଇଏସ୍ଏଫ୍)ର ୫୦ତମ ପ୍ରତିଷ୍ଠା ଦିବସ। ଉତ୍ତରପ୍ରଦେଶ ଗାଜିଆବାଦର ଇନ୍ଦିରାପୁରମସ୍ଥିତ ସିଆଇଏସ୍ଏଫ୍ର ପଞ୍ଚମ ବାଟାଲିଅନରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ସିଆଇଏସ୍ଏଫ୍ କର୍ମୀଙ୍କୁ ଶୁଭକାମନା ଜଣାଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଆଇଏସ୍ଏଫ୍ଙ୍କ ଉଦ୍ଦେଶ୍ୟରେ ନିଜ ଅଭିବାଦନ ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “୫୦ ବର୍ଷ ଧରି ସିଆଇଏସ୍ଏଫ୍ ଲୋକଙ୍କ ଆବଶ୍ୟକତା ଅନୁସାରେ କାମ କରିଛନ୍ତି। ଦେଶର ସୁରକ୍ଷାରେ ସିଆଇଏସ୍ଏଫ୍ର ଯୋଗଦାନ ଅତୁଳନୀୟ। ଦେଶର ସୁରକ୍ଷାରେ ଆପଣମାନଙ୍କର ସୁନ୍ଦର ପ୍ରଦର୍ଶନ ପାଇଁ ମୁଁ ଗର୍ବିତ। ନୂଆ ଭାରତର ନୂତନ ଅଧୁନିକ ବ୍ୟବସ୍ଥାକୁ ସୁରକ୍ଷିତ କରିବାରେ ଆପଣମାନଙ୍କ ଅବଦାନ ଶ୍ରେଷ୍ଠ।”

କେରଳରେ ହୋଇଥିବା ବନ୍ୟା ସମୟରେ ସିଆଇଏସ୍ଏଫ୍ କର୍ମୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେହିପରି ନେପାଳ ଏବଂ ହୈତିରେ ସିଆଇଏସ୍ଏଫ୍ଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏହାକୁ ସାରା ଦୁନିଆ ଆଜି ପ୍ରଶଂସା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଜିର ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ୬ଜଣ ଅଧିକାରୀ ଏବଂ ଜଣେ ଯବାନଙ୍କୁ ସମ୍ମାନିତ କରିଛନ୍ତି।









