ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଜନ କମାଇବା ଲାଗି ଡାଏଟ୍ ନିୟନ୍ତ୍ରଣ, ବ୍ୟାୟାମ କରି ଥକି ପଡ଼ିଲେଣି କି? ଏହି ୬ଟି ସହଜ ଫର୍ମୁଲା ପାଳନ କରିବାକୁ ଚେଷ୍ଟା କରନ୍ତୁ।

-ଅଧିକାଂଶ ସ୍ଥଳରେ ଓଜନ କମାଇବା ଲାଗି ଲୋକମାନେ ମସଲାଯୁକ୍ତ ଖାଦ୍ୟକୁ ଏଡ଼ାଇ ଚାଲନ୍ତି। ପ୍ରକୃତରେ କିନ୍ତୁ ଏହାଦ୍ୱାରା ସେତେ ଅଧିକ ଫରକ ପଡ଼େନାହିଁ। ଆମେରିକାର ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ମସଲାଯୁକ୍ତ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ଯୋଗୁଁ ବ୍ୟକ୍ତିକୁ ପେଟପୂରିଗଲା ପରି ଅନୁଭବ ହୋଇଥାଏ। ତେଣୁ କମ୍ ଖାଇଲେ ବି ଚଳିଯାଇଥାଏ। ଏହି ନିୟମକୁ କିଛି ଦିନ ପାଳନ କରିବାକୁ ପ୍ରୟାସ କରନ୍ତୁ।

-ରେସ୍ତୋରାଁ ଗୁଡ଼ିକରେ ସୁନ୍ଦର ସୁନ୍ଦର ପ୍ଲେଟରେ ଖାଦ୍ୟ ବଢାଯିବାର ଆପଣ ଦେଖିଥିବେ। ଏହାଦ୍ୱାରା ଖାଇବାର ଇଚ୍ଛା ବଢିଯାଇଥାଏ। ତେଣୁ ନିଜ ରୋଷେଇ ଘରେ ରଙ୍ଗୀନ ବାସନକୁସନକୁ ଏଡ଼ାଇ ଚାଲନ୍ତୁ। ଯାହାଦ୍ୱାରା କି ଆପଣଙ୍କର ଖାଦ୍ୟ ପ୍ରତି ଇଚ୍ଛା କମିଯିବ। ଏବଂ ଆପଣ କମ୍ ଖାଇବେ।

-ଏସିର ତାପମାତ୍ରାକୁ କମାଇ ରଖନ୍ତୁ। ଲଣ୍ଡନର ଏକ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଅନୁସାରେ କୋଠରୀର ତାପମାତ୍ରା କମିଗଲେ ତା ସହ ଖାପ ଖୁଆଇବା ଲାଗି ଶରୀରର ତାପମାତ୍ରା ଆପେ ଆପେ ବୃଦ୍ଧି ହୋଇଥାଏ। ଯାହାଦ୍ୱାରା କି ଚର୍ବିର ପରିମାଣ କମିଥାଏ। ତେଣୁ ଆବଶ୍ୟକ ପଡ଼ିଲେ ଘରେ ବା ଅଫିସରେ ଏସିର ତାପମାତ୍ରାକୁ ଦିନରେ କିଛି ସମୟ ପାଇଁ ହେଲେ ମଧ୍ୟ କମ୍ କରି ରଖନ୍ତୁ।
-ଶୋଇବାବେଳେ ଲାଇଟ ଜଳାଇ ରଖିବା ଅନେକଙ୍କର ଅଭ୍ୟାସ ଥାଏ। ଓଜନ କମାଇବା ପାଇଁ ଚାହୁୂଁଥିଲେ ଏଭଳି ଅଭ୍ୟାସ ଆଦୌ ଭଲ ନୁହେଁ। କାରଣ ଲାଇଟ୍ ଜଳାଇ ରଖିବା ଦ୍ୱାରା ନିଦ ଭଲ ହୁଏନାହିଁ। ଫଳରେ ମାନସିକ ଅବସାଦ ସୃଷ୍ଟି ହୋଇଥାଏ। ଏବଂ ବ୍ୟକ୍ତି ଅଧିକ ଖାଦ୍ୟ ଖାଇଥାନ୍ତି। ଏହାକୁ ଯଥାସମ୍ଭବ ଏଡ଼ାଇ ଚାଲନ୍ତୁ।


-ସ୍ଥାନୀୟ ବଜାର ବା ଆଖପାଖକୁ ଯାଉଥିଲେ ନିଜ ପାଖରେ କମ୍ ଟଙ୍କା ରଖନ୍ତୁ। ଏଟିଏମ୍ କାର୍ଡ ମଧ୍ୟ ସାଙ୍ଗରେ ନିଅନ୍ତୁ ନାହିଁ। ପାଖରେ ଟଙ୍କା କମ୍ ଥିଲେ ଆପଣ ଏଣୁତେଣୁ ଖାଇବାର ବଦଭ୍ୟାସରୁ ରକ୍ଷା ପାଇବେ। ଯାହାକି ଓଜନ ହ୍ରାସ କରାଇବାରେ ସହାୟକ ହେବ।
-ଡାଏଟିଂରେ ଥିବାବେଳେ ସାଧାରଣତଃ ଚକୋଲେଟ୍ ନ ଖାଇବା ଲାଗି କୁହାଯାଇଥାଏ। ପ୍ରକୃତରେ କିନ୍ତୁ ଏହି ଅଭ୍ୟାସ ସେତେ କାମ ଦିଏ ନାହିଁ। ବରଂ ସପ୍ତାହରେ ଥରେ ଦୁଇଥର ଚକୋଲେଟ୍ ଖାଆନ୍ତୁ। ଯାହାଦ୍ୱାରାକି ମନ ଭଲ ରହିବ ଏବଂ ଆପଣ ଆଉ ଅଧିକ ଖାଦ୍ୟ ଆବଶ୍ୟକ କରିବେ ନାହିଁ।

LEAVE A REPLY

Please enter your comment!
Please enter your name here