ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନରେ ଓଡ଼ଆ ସମାଜ ପକ୍ଷରୁ ଏପ୍ରିଲ ୫ରେ ଉତ୍କଳ ଦିବସ ପାଳିତ ହୋଇଛି।
ବାହାରିନ ଓଡ଼ିଆ ସମାଜ ତରଫରୁ ବିକେଏସ୍ ଅଡିଟୋରିୟମରେ ଏପ୍ରିଲ ୫ରେ ଧୁମଧାମର ସହ ଉତ୍କଳ ଦିବସ ପାଳିତ ହୋଇଯାଇଛି।
ଓଡ଼ିଆ ଶିଳ୍ପପତି ତଥା ଆମେରିକାନ ସୋସାଇଟି ଅଫ୍ ମ୍ୟୁଜି୍କ କମ୍ପୋଜରସ୍ ଗ୍ରୁପ୍ର ଅଧ୍ୟକ୍ଷ ଡକ୍ଟର ଦେବ ମହାନ୍ତି ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଭାରେ ଉଦବୋଧନ ଦେଇଥିଲେ।
“ପ୍ରବାସୀ ଓଡ଼ିଆ ସମଗ୍ର ବିଶ୍ଵରେ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଅନ୍ତୁ”, ଏହି ଉତ୍ସବରେ କହିଥିଲେ ଦେବ ମହାନ୍ତି।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ବାହାରିନର ପ୍ରସିଦ୍ଧ ଦାଦାଭାଇ ଗ୍ରୁପ୍ ଅଫ୍ କମ୍ପାନିର ସଂସ୍ଥାପକ ଅଧ୍ୟକ୍ଷ ସୁଶ୍ରୀ ବତୁଲ ମହମ୍ମଦ ଦାଦାଭାଇ (ବିସିସିଆଇ ସଦସ୍ୟ) ଯୋଗ ଦେଇଥିଲେ। ବିଦେଶରେ ଉତ୍କଳ ଦିବସ ପାଳନ ପାଇଁ ଓଡ଼ିଆ ସମାଜକୁ ସେ ଧନ୍ୟବାଦ ଦେଇଥିଲେ।
ମେଡିହିଲ ହସ୍ପିଟାଲ ଗ୍ରୁପର ସଂସ୍ଥାପକ ସ୍ଵରୁପ ରଞ୍ଜନ ମିଶ୍ର ମଧ୍ୟ ସମ୍ମାନିତ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ। ଉତ୍ସବରେ ଦର୍ଶକ ତାଙ୍କ ଜୀବନ ଦର୍ଶନ ଓ ବାକ୍ ଚାତୁରୀ ଶୁଣି ମନ୍ତ୍ରମୁଗ୍ଧ ହେବା ସହ ପ୍ରେରଣା ପାଇଥିଲେ।

ବାହାରିନରେ ଭାରତୀୟ ରାଷ୍ଟ୍ରଦୂତ ଓମ ପ୍ରକାଶ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଏପରି ଆହୁରି କାର୍ଯ୍ୟକ୍ରମ କରିବା ପାଇଁ ସେ ପ୍ରୋତ୍ସାହିତ କରିଥିଲେ।

ସୁନାମଧନ୍ୟା ଓଡ଼ିଆ ଗାୟିକା ଗୀତା ଦାସ ଏବଂ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡ଼ିଶୀ କଳାକାର ମଧୁଲିତା ମହାପାତ୍ର ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଏମାନଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ବାହାରିନରେ ଶ୍ରୀଲଙ୍କା ରାଷ୍ଟ୍ରଦୂତ ମେଣ୍ଡିସ, ନେପାଳ ରାଷ୍ଟ୍ରଦୂତ ପଦମ ସୁଂଦାସ, କୁଏତ ରାଷ୍ଟ୍ରଦୂତ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ।
ଏହି ଉତ୍ସବରେ ଜିସିସି ଆସୋସିଏସନ-କଲିଙ୍ଗନ-କେଏସଏ, ବାହାରିନ ଆଇଏଲଏ, ଟିଏଏସସିଏ, ଆଇସିଆରଏଫ, ଗୁଜୁରାଟି ସମାଜ, ଟିଏଚସି, କର୍ଣ୍ଣାଟକ ସୋଶଲ କ୍ଲବ, ତେଲୁଗୁ କଳା ସମିତି ସମେତବିଭିନ୍ନ ଭାରତୀୟ ସଙ୍ଗଠନ ଯୋଗ ଦେଇଥିଲେ।
ବାହାରିନ ଓଡ଼ିଆ ସମାଜର ସଭାପତି ମହେଶ ଦାଶ ନିଜ ବକ୍ତବ୍ୟରେ ଓଡ଼ିଆ ସମାଜର ସମର୍ପଣ ଓ ସେବା କରିବାର ମନୋଭାବର ପ୍ରଂଶସା କରିବା ସହ ଏପରି କାର୍ଯ୍ୟକ୍ରମ ଆୟୋଜନର ଶ୍ରେୟ ସମସ୍ତ ସଦସ୍ୟଙ୍କୁ ଦେଇଥିଲେ। ବିଓଏସ୍ର ସଦସ୍ୟ ଓ ଛୋଟ ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ଏକ ବିଶେଷ ସ୍ମରଣିକା ୨୦୧୯ ଉଦଘାଟନ କରାଯାଇଥିଲା।


















