ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଲୋକସଭା ନିର୍ବାଚନ ଚାଲିଥିବାବେଳେ ବିବାଦୀୟ ବୟାନକୁ ନେଇ ରାଜନୀତି ସରଗରମ ରହିଛି। ଏହାରି ଉପରେ ନିର୍ବାଚନ କମିଶନ ମଧ୍ୟ କଡ଼ା ପଦକ୍ଷେପ ନେଉଛନ୍ତି।  କିନ୍ତୁ ନିର୍ବାଚନୀ ରାଲିରେ ନେତାଙ୍କ ତୁଣ୍ଡ ବୋଲ ମାନୁନି। ନିର୍ବାଚନୀ ରାଲିରେ ନେତାମାନେ ବିବାଦୀୟ ବୟାନ ଦେବାରେ ଲାଗିଛିନ୍ତି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ, ମାୟାବତୀ ଓ ଆଜମ ଖାନଙ୍କ ପରେ ବର୍ତ୍ତମାନ ଅଡୁଆରେ ପଡ଼ିପାରନ୍ତି କଂଗ୍ରେସର ଷ୍ଟାର ପ୍ରଚାରକ ନବଜୋତ୍‌ ସିଂ ସିଦ୍ଧୁ।

ବିହାର କଟିହାର ଜିଲ୍ଲାରେ ଏକ ନିର୍ବାଚନୀ ରାଲିରେ ସମ୍ବୋଧିତ କରୁଥିବାବେଳେ ସିଦ୍ଧୁ ବିବାଦୀୟ ବୟାନ ଦେଇଥିଲେ।  “ଯଦି ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହରାଇବାର ଅଛି, ତାହାଲେ ମୁସଲିମ ସମୁଦାୟ ଏକାଠି ହୋଇ ଭୋଟ୍ ଦିଅନ୍ତୁ” ସିଦ୍ଧୁ କହିଥିଲେ।

ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଥିଲେ ‘ଆପଣମାନେ ଅଳ୍ପସଂଖ୍ୟକ ହୋଇ ମଧ୍ୟ ଏଠାରେ ବହୁସଂଖ୍ୟକ ଅଟନ୍ତି’। ସିଦ୍ଧୁଙ୍କ ଏହି ବୟାନ ପରେ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।

ପ୍ରଚାରରେ ଏହିଭଳି ବିବାଦୀୟ ବୟାନ ପାଇଁ କଟିହାର ନିର୍ବାଚନ କମିଶନ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଏଥିସହ ଭାଷଣର ସିଡି ନିର୍ବାଚନ କମିଶନରଙ୍କ ପାଖରେ ଦାଖଲ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କଂଗ୍ରେସକୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଛନ୍ତି। “ଭୋଟ୍ ଭାଗବଣ୍ଟା ରାଜନୀତି କଂଗ୍ରେସ ଡିଏନଏରେ ରହିଛି। ଏହା କୌଣସି ନୂଆ ପରମ୍ପରା ନୁହେଁ। ଯେତେବେଳେ ଜେଏନୟୁରେ ଦେଶକୁ ଭାଗ ଭାଗ କରିବା ପାଇଁ କୁହାଯାଉଥିଲା ସେତେବେଳେ ରାହୁଲ ଗାନ୍ଧି ଏହାକୁ ସମର୍ଥନ କରିବାକୁ ସେଠାକୁ ଯାଇଥିଲେ” କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ।

LEAVE A REPLY

Please enter your comment!
Please enter your name here