ଓଡ଼ିଶାଲାଇଭ୍ ଏଣ୍ଟରଟେନ୍ମେଣ୍ଟ ବ୍ୟୁରୋ
ସିନେପ୍ରେମୀଙ୍କ ପ୍ରତୀକ୍ଷାର ଅନ୍ତ। ରିଲିଜ ହେଲା ମାର୍ଭେଲ ଷ୍ଟୁଡିଓର ବର୍ତ୍ତମାନର ବିଗ୍ ବଜେଟ୍ ମୁଭି ‘ଆଭେଞ୍ଜର୍ସ -ଏଣ୍ଡଗେମ୍’। ଶୁକ୍ରବାର ସମଗ୍ର ବିଶ୍ୱବ୍ୟାପୀ ଏହି ଫିଲ୍ମ ରିଲିଜ ହୋଇଛି। ସବୁଠାରୁ ବଡ଼ କଥା ହେଲା ରିଲିଜ୍ର ପ୍ରଥମ ଦିନ ପ୍ରଥମ ସୋ’ ସାରା ଦେଶରେ ହାଉସ୍ଫୁଲ୍। ଫିଲ୍ମର କ୍ରେଜ୍ ଏତେ ଅଧିକ ଯେ, ଆସନ୍ତା କିଛି ଦିନ ଯାଏଁ ଫିଲ୍ମର ଟିକେଟ୍ ମିଳିବା କଷ୍ଟକର ହୋଇପଡ଼ିଛି।
ଆଭେଞ୍ଜର୍ସ ଏଣ୍ଡ୍ଗେମ୍ରେ ଖଳନାୟକ ‘ଥାନୋସ’ ବିରୋଧରେ ସବୁ ସୁପରହିରୋ ଏକାଠି ହେବେ। ଥାନୋସର ଗୋଟିଏ ଚୁଟ୍କିରେ ସାରା ବ୍ରହ୍ମାଣ୍ଡର ଅଧା ଜନସଂଖ୍ୟା ମରିଯାଇଥିଲେ। ତେବେ ଆଭେଞ୍ଜର୍ସର ଏହି ପାର୍ଟରେ ସମସ୍ତ ସୁପର ହିରୋ ଏକାଠି ହୋଇ ଥାନୋସ ବିରେୁଦ୍ଧରେ ଲଢ଼େଇ କରିବେ। କିଭଳି ଆଭେଞ୍ଜର୍ସ ଟିମ୍ ପ୍ରତିଶୋଧ ନେଉଛନ୍ତି ତାହା ଦେଖିବାକୁ ଅତି ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ସିନେପ୍ରେମୀ।
ବିଶେଷ ଭାବେ ଭାରତରେ ମଧ୍ୟ ଫିଲ୍ମକୁ ନେଇ ଅଧିକ ଉତ୍ସାହ। ଭାରତର ୨୫୦୦ରୁ ଅଧିକ ସ୍କ୍ରିନ୍ରେ ଏକାସାଙ୍ଗରେ ରିଲିଜ ହେଉଛି ଏହି ଫିଲ୍ମ । ଭାରତରେ ଏହି ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହୋଇଛି। ବଢୁଥିବା ସମୟ ସହ ଟିକେଟର ଦାମ୍ ମଧ୍ୟ ବଢିବାରେ ଲାଗିଛି। ଅନ୍ୟ ଫିଲ୍ମ ପାଇଁ ଟିକେଟ ଦାମ୍ ଅତି କମ୍ରେ ୧୫୦ଟଙ୍କା ଥିବାବେଳେ ଆଭେଞ୍ଜର୍ସ -ଏଣ୍ଡଗେମ୍ ପାଇଁ ଆରମ୍ଭରୁ ୩୫୦ଟଙ୍କାରେ ବିକ୍ରି ହୋଇଛି ଟିକେଟ୍। କେତେକ ସ୍ଥାନରେ ବ୍ଲାକ୍ରେ ୨୪୦୦ ଟଙ୍କା ମୂଲ୍ୟରେ ଟିକେଟ୍ ବିକ୍ରି ହୋଇଥିବା ଖବର ଆସିଛି।
ଆଭେଞ୍ଜର୍ସ- ଏଣ୍ଡ୍ଗେରେ କ୍ୟାପ୍ଟେନ ମାର୍ଭେଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏହାକୁ ସ୍ପଷ୍ଟ ଭାବେ ଦର୍ଶକଙ୍କୁ ଜଣାଇବା ପାଇଁ କିଛି ଦିନ ଗତ ମାସ ‘କ୍ୟାପ୍ଟେନ ମାର୍ଭେଲ’ ଫିଲ୍ମ ରିଲିଜ ହୋଇଥିଲା। ଆଭେଞ୍ଜର୍ସ ଏଣ୍ଡଗେମ୍ ଭାରତରେ ୩ଶହ କୋଟିରୁ ଅଧିକ ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି। ଯଦି ଏହା ହୁଏ, ତେବେ ଏଣ୍ଡଗେମ୍ ହେବ ଭାରତର ଏ ପର୍ଯ୍ୟନ୍ତ ରିଲଜ୍ ହୋଇଥିବା ସବୁଠାରୁ ସଫଳ ହଲିଉଡ୍ ଫିଲ୍ମ। ଏହା ପୂର୍ବରୁ ଆଭେଞ୍ଜର୍ସ-ଇନଫିନିଟି ୱାର ଭାରତରେ ୨୨୮ କୋଟି ଟଙ୍କା ଆୟ କରି ରେକର୍ଡ ସୃଷ୍ଟି କରିଥିଲା।