ଓଡ଼ିଶାଲାଇଭ ବ୍ୟୁରୋ
ବାତ୍ୟା ‘ଫନି’ ମୁକାବିଲା ଲାଗି ରାଜ୍ୟସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି। ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଓ କ୍ୟାବିନେଟ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।
ବାତ୍ୟା ‘ଫନି’ ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ। ଏହାପରେ ବାତ୍ୟା ‘ଫନି’ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର ଦେଇ ଗତିକରିବ। ଏହାପରେ ‘ଫନି’ ଭଦ୍ରକ, ବାଲେଶ୍ୱର,ମୟୂରଭଞ୍ଜ ଦେଇ ଏହା ପଶ୍ଚିମବଙ୍ଗକୁ ଗତି କରିବ।
ଉଦ୍ଧାର ଓ ରିଲିଫ ଲାଗି କେନ୍ଦ୍ରକୁ ୨ଟି ହେଲିକେପ୍ଟର ମାଗାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ।
“ଏନଡିଆରଏଫର ଅତିରିକ୍ତ ଟିମ୍ ପଠାଇବା ଲାଗି କେନ୍ଦ୍ରକୁ କହିଛୁ। ୨ରୁ ବର୍ଷା ଆରମ୍ଭ ହେବ ଏବଂ ୨ରୁ ହିଁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଛି”, କହିଛନ୍ତି ମୁଖ୍ୟ ଶାସନ ସଚିବ।
ବାତ୍ୟା ଫନି ମୁକାବିଲା ଲାଗି ୨୦ ୟୁନିଟ ଓଡ୍ରାଫ, ୧୨ ୟୁନିଟ ଏନ୍ଡିଆର୍ଏଫ୍ ଏବଂ ୩୩୫ ୟୁନିଟ୍ ଅଗ୍ନିଶମବାହିନୀ ପ୍ରସ୍ତୁତ ଅଛନ୍ତି।

















