ଓଡ଼ିଶାଲାଇଭ ବ୍ୟୁରୋ
‘‘ବାତ୍ୟା ‘ଫନି’ର ମୁକାବିଲା ଆମ ପାଇଁ ବଡ଼ ଚାଲେଞ୍ଜ ଥିଲା। ଏହି ବାତ୍ୟା ପୁରୀ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ଭୟଙ୍କର କ୍ଷୟକ୍ଷତି କରିଛି। ୧୯୯୯ ମହାବାତ୍ୟା ପରେ ଏହା ଥିଲା ସବୁଠୁ ବଡ଼ ବାତ୍ୟା’’, କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ।
ବାତ୍ୟା ‘ଫନି’ ଶୁକ୍ରବାର ସକାଳେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା। ଏହାପରେ ପବନର ବେଗ ଅଧିକ ବଢ଼ିଥିଲା। ପୁରୀ, ଭୁବନେଶ୍ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷୟ କ୍ଷତି କରିଥିଲା ଫନି।
ଏସ୍ଆର୍ସି ଆହୁରି କହିଛନ୍ତି, ‘’୧୨ ଲକ୍ଷ ଲୋକଙ୍କୁ ଆମେ ସୁରକ୍ଷିତ ସ୍ଥାନକୁ ସ୍ଥନାନ୍ତର କରିଥିଲୁ। ବିଭିନ୍ନ ସ୍ଥାନରେ ବହୁ କଚ୍ଚା ଘର ଏବଂ ଦୁର୍ବଳ ପକ୍କା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ପୁରୁଣା ଏବଂ ବଡ଼ ଗଛ ସବୁ ଉପୁଡ଼ି ପଡ଼ିଛି। ବିଦ୍ୟୁତ ଖୁଣ୍ଟ, ମୋବାଇଲ ଟାଓ୍ୱାର ଆଦି ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ ନଷ୍ଟ ହୋଇଯାଇଛି। ଏଗୁଡ଼ିକର ମରାମତି କରିବା ପାଇଁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଉଛି।’’
ସାରା ଦେଶରେ ନିଟ୍ ଏବଂ ଏମ୍ସ୍ର ପ୍ରବେଶିକା ପରୀକ୍ଷା ହେବାର ଥିଲା। କିନ୍ତୁ ବାତ୍ୟା ‘ଫନି’ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରିବାରୁ ଏହି ପରୀକ୍ଷାକୁ ଘୁଞ୍ଚାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏହାକୁ ସ୍ଥଗିତ ରଖାଯାଇଛି। ଓଡ଼ିଶାର ଯେଉଁ ପିଲାମାନେ ଏହି ପରୀକ୍ଷା ଦେବାର ଥିଲା ସେମାନେ ପଛରେ ପରୀକ୍ଷା ଦେବେ ବୋଲି କହିଛନ୍ତି ଏସ୍ଆର୍ସି ବିଷ୍ଣୁପଦ ସେଠୀ।
ସେହିପରି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି ବିଭିନ୍ନ ସ୍ଥାନରେ। ଅଧିକାଂଶ ସ୍ଥାନରେ ଟ୍ରାନ୍ସଫର୍ମର ବି ନଷ୍ଟ ହୋଇଛି। ଏହାର ମରାମତି କାମ ଜାରି ରହିଛି। ଷ୍ଟିଲ ଖୁଣ୍ଟର ଆବଶ୍ୟକତା ଥିବାରୁ ଆମେ ଏଥିପାଇଁ ସେଲକୁ ଅନୁରୋଧ କରିଛୁ ବୋଲି କହିଛନ୍ତି ଏସଆରସି।
ବାତ୍ୟା ଆଶ୍ରୟସ୍ଥଳରେ ଥିବା ଲୋକମାନଙ୍କୁ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଲୋକମାନଙ୍କ ପାଇଁ ଆହୁରି ୧୫ ଦିନ ଯାଏଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବ।

















