ଓଡ଼ିଶାଲାଇଭ ବ୍ୟୁରୋ
ପୁରୀ ଜିଲ୍ଲା ପିପିଲି ବ୍ଲକ ହରିପୁରର ହରିଜନ ବସ୍ତିରେ ବାତ୍ୟା ‘ଫନି’ରେ ଘଟିଛି ହୃଦୟବିଦାରକ ଘଟଣା। ବାତ୍ୟା ଦାଉରୁ ଛେଳିମାନଙ୍କୁ ରକ୍ଷା କରିବାକୁ ବାହାରକୁ ଯାଇଥିବା ସୌମ୍ୟରଞ୍ଜନ ବେହେରାଙ୍କ ଉପରେ ପଥର କାନ୍ଥ ମାଡ଼ି ବସିବାରୁ ତାଙ୍କର ମୃତ୍ୟୁ ହେବା ଭଳି ଦୁଃଖଦ ଘଟଣା ପୂରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ସବୁଠୁ ବଡ଼ କଥା ହେଉଛି ସୌମ୍ୟ ଗତ ୧୯୯୯ ମହାବାତ୍ୟାରେ ଜନ୍ମ ହୋଇଥିବା ବେଳେ ‘ଫନି’ ବାତ୍ୟାରେ ଚାଲି ଯାଇଛି।
ପୂରା ଗାଁରେ ଲୋକଙ୍କ ମୁହଁରେ ଗୋଟିଏ କଥା ବାତ୍ୟାରେ ଆସିଥିଲା, ବାତ୍ୟାରେ ଚାଲିଗଲା। ‘ଫନି’ ବାତ୍ୟାରେ ଏହି ଦୁଃଖଦ ଘଟଣା ଗାଁକୁ ସ୍ତବ୍ଧ କରିଦେଇଛି। ସୌମ୍ୟର ମା’ ବାପା ବୁକୁ ଫଟାଇ କାନ୍ଦୁଛନ୍ତି।

‘‘ମୋର ଟଙ୍କା ପଇସା ଦରକାର ନାହିଁ। ମତେ ମୋ’ ପୁଅକୁ ଫେରାଇ ଦିଅ। ମୋ’ ପୁଅ ହେଉଛି ମୋ’ ପାଇଁ ସବୁକିଛି। ସେ ହିଁ ମୋର ସବୁଥିଲା’’, କୋହ ଭରା କଣ୍ଠରେ ଏହା କହିଛନ୍ତି ସୌମ୍ୟଙ୍କ ବାପା।

ସୌମ୍ୟରଞ୍ଜନ ବେହେରା। ବୟସ ୧୯। ସେ ଡିପ୍ଲୋମା ପାସ୍ କରିଥିଲେ। ଚାକିରି ମଧ୍ୟ ପାଇଥିଲେ। କିଛିଦିନ ପରେ ଚାକିରିରେ ଯୋଗ ଦେଇଥାନ୍ତେ। ଜେଜେ ବାପାଙ୍କ ଦଶାହ କାମ ପରେ ସେ ଚାକିରିରେ ଯୋଗ ଦେଇଥାନ୍ତେ। ହେଲେ କିଏ ଜାଣିଥିଲା ଜେଜେ ବାପାଙ୍କ ଦଶାହକୁ ଆସିଥିବା ସୌମ୍ୟଙ୍କର ହଠାତ୍ ଦେହାନ୍ତ ହୋଇଯିବ!
ଦଶାହ କାମ ସାରି ସେ ନିଜ କର୍ମସ୍ଥଳୀକୁ ବାହାରୁଥିବା ବେଳେ ହଠାତ୍ ବାତ୍ୟା ‘ଫନି’ ମାଡ଼ି ଆସିଥିଲା। ବାତ୍ୟା ପରେ ଘରୁ ଯିବା ପାଇଁ ମନ ସ୍ଥିର କରିଥିଲେ ସୌମ୍ୟ। ହେଲେ ବାତ୍ୟା ଫନିରେ ତାଙ୍କ ଜୀବନ ଚାଲି ଯାଇଛି। ବାହାରେ ଛେଳିମାନଙ୍କୁ ଗୁହାଳକୁ ଆଣିବାକୁ ଯାଇଥିବା ସୌମ୍ୟ ପଥରକାନ୍ଥ ତଳେ ଚାପି ହୋଇ ଆରପାରିକୁ ଚାଲି ଯାଇଛନ୍ତି।

ପୁଅର ମୃତ୍ୟୁରେ ମା’ ଆଖିରୁ ଲୁହ ଶୁଖୁନି। କାନ୍ଦି କାନ୍ଦି ମା’ ଗଡ଼ି ଯାଉଛି। ପୁଅକୁ ହରାଇ ଥିବାରୁ ମା’ ମନ ବୁଝୁନି। ବାପା ବି କାଠ ପାଲଟିଗଲେଣି। ରୋଜଗାରିଆ ପୁଅ ଆଖି ଆଗରେ ଚାଲି ଯାଇଥିବାରୁ ମା’ ବାପା କାନ୍ଦି କାନ୍ଦି ନୟାନ୍ତ ହୋଇଗଲେଣି।

















