ଓଡ଼ିଶାଲାଇଭ ବ୍ୟୁରୋ
ସାମୁଦ୍ରିକ ଝଡ଼ ଫନି ମେ’ ୩ରେ ତାର ତାଣ୍ଡବ ରଚିଲା। ଏଥିରେ ରାଜଧାନୀ ଭୁବନେଶ୍ଵର ସମେତ ପୁରୀ, ଖୋର୍ଦ୍ଧାରେ ବ୍ୟାପକ କ୍ଷତି ହୋଇଛି। ଏହାସହିତ ଅନେକ ଜରୁରୀ ଓ ଅତ୍ୟାବଶ୍ୟକ ସେବା ବ୍ୟାହତ ହୋଇଛି।
ତାହା ମଧ୍ୟରୁ ମୋବାଇ ସେବା ଅନ୍ୟତମ। ଆଜିକା ସମାଜରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିସାରିଛି ମୋବାଇଲ। ଲୋକେ ସେମାନଙ୍କ ନିତିଦିନିଆ ଜୀବନରେ ମୋବାଇଲ ବ୍ୟବହାର କରିଥାନ୍ତି। କିନ୍ତୁ ଫନି ପରର ୩ରୁ ୪ଦିନ ଯାଏଁ କୌଣସି ପ୍ରକାର କଥାହେବା ବି ସମ୍ଭବ ହୋଇନଥିଲା।
ଧିରେ ଧିରେ କିଛି ମୋବାଇଲ ସିମ୍ କମ୍ପାନୀ ଏହାକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ଏହାରି ଭିତରେ ଫନିକୁ ୧୫ଦିନ ବିତିସାରିଛି ମାତ୍ର ଫୋନରେ ଇଣ୍ଟରନେଟ ସେବା ପୂର୍ବପରି ସ୍ବାଭାବିକ ହୋଇପାରିନାହିଁ।
ଅନେକ ସ୍ଥାନରେ ଯଦିଓ ମୋବାଇଲରେ କଥାବାର୍ତ୍ତା କରିବା ସମ୍ଭବ ହେଉଛି ମାତ୍ର ଇଣ୍ଟରନେଟ ସୁବିଧାରୁ ଲୋକେ ଆଜିବି ବଞ୍ଚିତ ହେଉଛନ୍ତି। ଯେଉଁଥିପାଇଁ ଲୋକେ ଅନେକ ହଇରାଣ ହେଉଛନ୍ତି।
ଏହି ସମସ୍ୟାର ସମ୍ମୁଖୀନ କେବଳ ଯୁବପିଢୀ ନୁହଁ, ବ୍ୟବାସାୟୀଙ୍କ ଠୁ ଆରମ୍ଭ କରି ରୋଗୀ ,ଛାତ୍ର ଅଭିଭାବକ ସମସ୍ତେ ହେଉଛନ୍ତି।
ଆଜିକା ସମୟରେ ଇଣ୍ଟରନେଟ କୌଣସି ବିଳାସ ନୁହଁ ବରଂ ଏହା ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପାଲଟିଗଲାଣି।
ମୋବାଇଲରେ ଇଣ୍ଟରନେଟ ନଥିବାରୁ ରୋଗୀଠୁ ଆରମ୍ଭ କରି ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି।
ବିଶେଷକରି ଡିଜିଟାଲ ସମୟରେ ଅନେକ ଲୋକ ଖବର ଜାଣିବାଲାଗି ଟିଭି କିମ୍ବା ପେପରଠୁ ଅଧିକ ଡିଜିଟାଲ ମିଡିଆକୁ ଗୁରୁତ୍ବ ଦେଇଥାନ୍ତି। ମାତ୍ର ଗତ ୧୫ଦିନ ହେବ ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କାରଣ ସେମାନେ କୌଣସି ଖବର ଜାଣିପାରୁନାହାନ୍ତି।
ମେଡିକାଲ ଛାତ୍ରୀ ମୋନାଲିସାଙ୍କ କହିବା କଥା, “ଗତକିଛି ଦିନ ହେବ ମୁଁ ମୋବାଇଲରେ ଇଣ୍ଟରନେଟ ବ୍ୟବହାର କରିପାରୁନି। ଯାହାର ପ୍ରଭାବ ସିଧା ମୋ ପାଠପଢ଼ା ଉପରେ ପଡ଼ୁଛି। ଯଦି ଅନ୍ୟ ସେବା ପରି ମୋବାଇଲରେ ଇଣ୍ଟରନେଟ ସେବାକୁ ଯୁଦ୍ଧକାଳୀନ ସମୟ ବ୍ୟବଧାନରେ ଠିକ୍ କରାଯାଇପାରନ୍ତା ତେବେ ସମସ୍ତଙ୍କ ଲାଗି ଭଲ ହୁଅନ୍ତା।”
ଆଉ ଜଣେ ଛାତ୍ରୀ ଯେ ପ୍ରତିଯୋଗିତା ପରୀକ୍ଷାଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ତାଙ୍କ କହିବା କଥା, “ଫନିକୁ ୧୫ଦିନ ବିତିଥିଲେ ବି ଫୋନରେ ଇଣ୍ଟରନେଟ ବ୍ୟବାହର ପୂର୍ବପରି ହୋଇପାରୁନି। ଯଦି ବି କେତେବେଳେ କେମିତି ହେଉଛି ତାହା ଭାରି ସ୍ଲୋ ହେଉଛି। ଆମର ଆଗକୁ ଅନଲାଇନ ପରୀକ୍ଷା ଅଛି। ତାହାର ଷ୍ଟାଟସ କଣ ବି ଆମେ ଜାଣି ପାରୁନୁ।”
ରାଜଧାନୀଠୁ ଆରମ୍ଭକରି ପୁରୀ, ଖୋର୍ଦ୍ଧା ସବୁଠି ମୋବାଇଲରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ ମାତ୍ର ଏହାରି ଭିତରେ ଗୋଟିଏ ପ୍ରଶ୍ନ ମୋବାଇଲ କମ୍ପାନୀ ମାନେ କେତେ ଶିଘ୍ର ସେମାନଙ୍କ ଗ୍ରାହକମାନଙ୍କୁ ପୂର୍ବପରି ଇଣ୍ଟରନେଟ ସୁବିଧା ଯୋଗାଇଦେଉଛନ୍ତି । ବିଶେଷକରି ଫନି ପାଇଁ ଯେଉଁ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି ସେହିଠାରେ ଇଣ୍ଟରନେଟର ଆବଶ୍ୟକତା ରହୁଛି। ସେମାନେ ନିଜ ଲୋକଙ୍କୁ ଯୋଗାଯୋଗ ପାଇଁ ହେଉ ଅବା ସରକାର ତାଙ୍କ ଅଞ୍ଚରେ ସ୍ଥିତି ସୁଧାରିବା ଲାଗି କଣ ପଦକ୍ଷେପ ନେଉଛନ୍ତି ତା ବାବଦରେ ଜାଣିବାଲାଗି।
ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।