ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ। ମଙ୍ଗଳବାର ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଏହି ଉତ୍ସବ ଉଦ୍‍ଘାଟିତ ହୋଇଛି। ଚଳିତ ବର୍ଷ ଏହି ଉତ୍ସବ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ଆୟୋଜନ କରାଯାଉଛି। ଏହା ଜାନୁଆରୀ ୧୧ ତାରିଖ ଯାଏଁ ଚାଲିବ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଆୟୋଜିତ ହେଉଛି। ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ପ୍ରବାସୀ ଭାରତୀୟ ତଥା ପ୍ରତିନିଧିମାନଙ୍କ ଦ୍ୱାରା ଏହି ଉତ୍ସବକୁ ଦେଖିବାର ଲକ୍ଷ୍ୟ ରଖାଯାଇଛି।

ଏହି ୫ ଦିନିଆ ଉତ୍ସବରେ ଓଡ଼ିଶା ଓ ଭାରତ ସମେତ ବିଶ୍ଵର ବିଭିନ୍ନ ଦେଶର ୩୫୦ରୁ ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି। ଉତ୍ସବରେ ଓଡ଼ିଶାର କଳାପ୍ରେମୀଙ୍କ ସହ ଅନେକ ସଂଖ୍ୟାରେ ପ୍ରବାସୀ ଭାରତୀୟ ଦର୍ଶକଙ୍କ ଭିଡ଼ ଜମୁଛି।

ଉତ୍ସବର ଉଦ୍‍ଘାଟନୀ ସନ୍ଧ୍ୟାରେ ପ୍ରଥମେ ଏକକ ନୃତ୍ୟ ପର୍ଯ୍ୟାୟରେ ବିଶିଷ୍ଟ ନୃତ୍ୟଶିଳ୍ପୀ କୁମ୍‍କୁମ୍‍ ମହାନ୍ତିଙ୍କ ଦ୍ୱାରା ଶ୍ରୀରାମ ବନ୍ଦନା ପରେ ଗୀତଗୋବିନ୍ଦରୁ ଉଦ୍ଧୃତ ‘ଅଷ୍ଟପଦୀ ୟାମୀ ହେ’ ପରିବେଷିତ ହୋଇଥିଲା। ଏହାପରେ ପବିତ୍ର କୁମାର ପ୍ରଧାନଙ୍କ ଦ୍ୱାରା ଅଭିନୟ ‘ପ୍ରକୃତି ପୁରୁଷ’ ଏବଂ ଦ୍ୱୈତ୍ୟ ନୃତ୍ୟ ପର୍ଯ୍ୟାୟରେ ରାକ୍ଷୀ ଏସ୍‍.ଏସ୍‍ ଓ ଅର୍ଚ୍ଚନା ବାସୁଙ୍କ ଦ୍ୱାରା ‘ମଧୁବନ୍ତି ପଲ୍ଲବୀ’ ପରିବେଷିତ ହୋଇଥିଲା।

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହି‎ତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଦେବ ପ୍ରସାଦ ଦାଶ, ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର, ବିଶିଷ୍ଟ ଗାୟିକା ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣୀ ଦେବୀ ଓ ବିଶିଷ୍ଟ ସଂସ୍କୃତ ପ୍ରଫେସର ପ୍ରଫୁଲ୍ଲ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

Tags: #InternationalOdissiDanceFestival #OdissiDance #RabindraMandap #Bhubaneswar

Comment