ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
କ୍ରମାଗତ ଭାବେ ପଞ୍ଚମଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ଉତ୍ସବ ଲାଗି ରାଜଭବନ ବାହାରେ ବିରାଟ ଆୟୋଜନ।
- ପ୍ରଥମଥର ଲାଗି ରାଜଭବନ ବାହାରେ ଶପଥ ନେବେ ମୁଖ୍ୟମନ୍ତ୍ରୀ
- ନବୀନଙ୍କ ସହ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ
- ୨୦ହଜାରରୁ ଅଧିକ ଲୋକ ସାମିଲ ହେବା ସମ୍ଭାବନା
- ଶପଥ ଗ୍ରହଣ ଉତ୍ସବ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
- ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ କଲେ ନବୀନ
- ମେକ ଇନ୍ ଓଡ଼ିଶା କନକ୍ଲେଭର ଶିଳ୍ପପତି ମାନଙ୍କୁ ମଧ୍ୟ ପଠାଯାଇଛି ନିମନ୍ତ୍ରଣ
ଦିନକପରେ ପଞ୍ଚମ ଥର ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନବୀନ ଓ ତାଙ୍କ ମନ୍ତ୍ରିମଣ୍ଡଳ ଆସନ୍ତାକାଲି ୧୦.୩୦ରେ ଶପଥ ନେବେ। ରାଜ୍ୟପାଳ ଗଣେଷୀ ଲାଲ୍ ଏମାନଙ୍କୁ ଶପଥ ପାଠ କରାଇବେ।
ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି। କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରାଯାଇଛି। ସିସିଟିଭିଠୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି ଜୋରସୋରରେ କରାଯାଇଛି।
ପ୍ରଥମ ଥରଲାଗି ରାଜଭବନ ବାହାରେ ଶପଥ ନେବ ଓଡ଼ିଶାର ନୂଆ ସରକାର। ଏଥିଲାଗି ମଞ୍ଚସଜା ଚାଲିଛି। ଏହି ଉତ୍ସବରେ ପାଖାପାଖି ୭୦୦୦ରୁ ଅଧିକ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏହା ସହିତ ଶପଥ ଉତ୍ସବକୁ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଚାଷୀ ସଂଗଠନ, ଶିକ୍ଷକ ସଂଗଠନ,ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କୁ ଦଳ ତରଫରୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତିତ୍ ସବୁ ଦଳର ନେତା ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଛି।
ଏଗଜିଭିସନ ହଲକୁ କାଲିର ଉତ୍ସବ ଲାଗି ସଜାଯାଉଛି। ବିଏମସି ଓ ପୋଲିସ ପକ୍ଷରୁ ବ୍ୟାପକ୍ ବ୍ୟବସ୍ଥା କରାଯାଉଛି। ଏହି ଉତ୍ସବରେ ରାଜ୍ୟପାଳଙ୍କ ସହିତ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନେକ ବିଶିଷ୍ଟ ଶିଳ୍ପପତି ଉପସ୍ଥିତ ରହିବାର କାର୍ଯକ୍ରମ ରହିଛି।
୩୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ପ୍ରଦର୍ଶନୀ ପଡିଆର ବିଭିନ୍ନ ସ୍ଥାନରେ ସାଧା ପୋଷାକ ଧାରୀ ପୋଲିସ ଉପସ୍ଥିତ ରହିବେ। ଡଗ୍ ସ୍କ୍ବାର୍ଡ ରହିବ। ଆଜି ମଧ୍ୟ କମିଶନରେଟ ପୋଲିସର ବହୁ ବରିଷ୍ଠ ପୋଲିସର ଅଧିକାରୀ ମାନେ ସ୍ଥିତିର ସମୀକ୍ଷା କରୁଛନ୍ତି। କମିଶନର ସତ୍ୟଜିତ୍ ମହାନ୍ତି ନିଜେ ଏହାର ତଦାରଖ କରୁଛନ୍ତି।
ମଧୂସଦନ ମାର୍ଗରେ ଟ୍ରାଫିକ୍ ନିୟମରେ ପରିବର୍ତ୍ତନ କରାଯାଇଛି। ଏଣ୍ଟ୍ରି ପାଇଁ ୫ଟି ଗେଟର ବ୍ୟବସ୍ଥା ରହିଛି। କମିଶନରଙ୍କ ସୂଚନାନୁସାରେ ୧ ଓ ୨ନମ୍ବର ଗେଟ ଦେଇ ବିଶିଷ୍ଠ ବ୍ୟକ୍ତି ମାନେ ଏଣ୍ଟ୍ରି କରିବେ। ସେହିପରି ୩ ନମ୍ବର ଗେଟ ଦେଇ ବିଧାୟକ ଓ ସାଂସଦ ମାନେ ଏଣ୍ଟ୍ରି କରିବେ, ୪ ଓ ୫ନମ୍ବର ଗେଟରେ ଅନ୍ୟାନ୍ୟ ନେତାମାନେ ଆସିବାଲାଗି ବ୍ୟବସ୍ଥା କରାଯିବ।
ପାଖାପାଖି ଦେଢ ଘଣ୍ଟା ଏହି ଶପଥ ଗ୍ରହଣ ଉତ୍ସବ ଚାଲିବାକୁ ଥିବାରୁ ସବୁକିଛି ପ୍ରସ୍ତୁତିକୁ ଚୂଡାନ୍ତ କରାଯାଉଛି। ଏକଜିଭିସନରେ ହଲରେ ସିସିଟିଭିର ବ୍ୟବସ୍ଥା କରାଯାଉଛି।
ସାମୁଦ୍ରିକ ଝଡ଼ ଫନି ପାଇଁ ଏଥର ବିଜେଡି ଦଳରେ ବିଜୟ ଉତ୍ସବ ବାତାବରଣ ଦେଖିବାକୁ ମିଳିନଥିଲା। ତେବେ ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ପାଇଁ ଯେଉଁ ଆୟୋଜନ ହେଉଛି ତାହା କମ୍ ଆଡମ୍ବର ନୁହଁ ବୋଲି ଆଲୋଚନା ହେଉଛି।

















