ଓଡ଼ିଶାଲାଇଭ ବ୍ୟୁରୋ

ଚଳିତ ବିଶ୍ଵକପର ପ୍ରଥମ ସେମିଫାଇନାଲରେ ବୁଧବାର ନ୍ୟୁଜିଲାଣ୍ଡଠୁ ଭାରତ ୧୮ରନରେ ପରାସ୍ତ ହୋଇଛି। ଏହାସହ ଭାରତ ଚତୁର୍ଥ ଥର ପାଇଁ ବିଶ୍ଵକପ ସେମିଫାଇନାଲରୁ ବାଦ ପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆଇସିସି ବିଶ୍ଵକପର ୧୨ତମ ସଂସ୍କରଣ ସରି ଆସିଲାଣି। ଏଥିରେ ଭାରତ ଦୁଇଥର ଚାମ୍ପିୟନ ହୋଇଥିବା ବେଳେ ଥରେ ରନର୍ସ ଅପ ଓ ୪ଥର ସେମିଫାଇନାଲରୁ ବିଦା ହୋଇଛି। ତେବେ ଅନ୍ୟ ସଂସ୍କରଣ ଗୁଡ଼ିକ ଭାରତ ପାଇଁ ଏତେ ଭଲ ରହିନଥିଲା।

ଚଳିତ ବିଶ୍ଵକପକୁ ମିଶାଇ ଭାରତ ବିଶ୍ଵକପରେ ଚତୁର୍ଥ ଥର ପାଇଁ ସେମିଫାଇନାଲରୁ ବିଦା ହୋଇଛି। ୧୯୮୭, ୧୧୯୬, ୨୦୧୫ ଓ ୨୦୧୯ରେ ଭାରତ ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲା। ଲିଗ ମ୍ୟାଚ ଗୁଡ଼ିକରେ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଦଳ ପରାଜୟର ଶିକାର ହୋଇ ବିଶ୍ଵକପରୁ ବାହାରିଛି।

୧୯୮୭ ବିଶ୍ଵକପ ସେମିଫାଇନାଲ  

ଏହି ବିଶ୍ଵକପରେ ଦଳ ଗ୍ରୁପ ‘ଏ’ର ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଥିଲା। ଦଳ ୬ଟି ମ୍ୟାଚ ଖେଳି ୫ଟିରେ ବିଜୟ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା। ପରେ ସେମିଫାଇନାଲରେ ଇଂଲଣ୍ଡଠାରୁ ୩୬ରନରେ ପରାସ୍ତ ହୋଇ ବିଶ୍ଵକପରୁ ବାଦ ପଡ଼ିଥିଲା। ୨୫୪ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ୨୧୯ରନ କରି ଅଲଆଉଟ ହୋଇଯାଇଥିଲା। ସେହି ମ୍ୟାଚରେ ଦଳ ପକ୍ଷରୁ  ମହମ୍ମଦ ଆଝାରୁଦ୍ଦିନ ସର୍ବାଧିକ ୬୪ ରନ କରିଥିଲେ।

୧୯୯୬ ବିଶ୍ଵକପ ସେମିଫାଇନାଲ

ଭାରତ ଏହି ବିଶ୍ଵକପରେ ବେଶ ଭଲ ପ୍ରଦର୍ଶନ କରିଥିଲା। ନକଆଉଟ ଷ୍ଟେଜରେ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ମାତ୍ର ସେମିଫାଇନାଲରେ ଶ୍ରୀଲଙ୍କାଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। କେବଳ ସଚିନ ତେନ୍ଦୁଲକରଙ୍କୁ ଛାଡ଼ିଦେଲେ କୌଣସିବି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ। ଫଳରେ ଦଳ ୧୨୦ରନରେ ସୀମିତ ରହିଥିଲା।

୨୦୧୫ ବିଶ୍ଵକପ ସେମିଫାଇନାଲ

ଚଳିତ ବିଶ୍ଵକପ ଭଳି ଏହି ବିଶ୍ଵକପ ମଧ୍ୟ ଅନେକ ପ୍ରଶଂସକଙ୍କୁ ନିରାଶ କରିଥିଲା। ଲିଗ ମ୍ୟାଚରେ କୌଣସିବି ମ୍ୟାଚରେ ପରାସ୍ତ ହୋଇନଥିବା ଭାରତୀୟ ଦଳ ସେମିଫାଇନାଲରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା। ୩୨୮ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ମାତ୍ର ୨୩୩ରନରେ ଅଲଆଉଟ ହୋଇଯାଇଥିଲେ। ଏହି ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ସର୍ବାଧିକ ୬୫ରନ କରିଥିଲେ।

୨୦୧୯ ବିଶ୍ଵକପ ସେମିଫାଇନାଲ

ଚଳିତ ବିଶ୍ଵକପରେ ମଧ୍ୟ ଭାରତକୁ ସେମିଫାଇନାଲରୁ ବିଦାୟ ନେବାକୁ ପଡ଼ିଛି। ଭାରତ ଲିଗ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଭାଗ୍ୟ ସାଥ ଦେଇନଥିଲା। ୨୩୯ରନର ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ଝଟକା ଲାଗିଥିଲା। ମାତ୍ର ୫ରନରେ ଦଳ ୩ଓ୍ଵିକେଟ ହରାଇଥିଲା। ପରେ ରବିନ୍ଦ୍ର ଜାଡେଜା ଓ ଧୋନି ଲଢେଇ କରିଥିଲେ ମଧ୍ୟ ଦଳ ପରାଜୟ ହୋଇଥିଲା।

୨୦୦୩ ବିଶ୍ଵକପରେ ରନର୍ସ   

ଏହି ବିଶ୍ଵକପରେ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଦଳ ୩ଟି ମ୍ୟାଚ ଖେଳି ୩ଟିରେ ବିଜୟ ହୋଇଥିଲା। ଦଳ ସେମିଫାଇନାଲରେ କେନିଆକୁ ପରାସ୍ତ କରି ଫାଇନାଲରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା। ୩୫୯ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ୨୩୪ରନରେ ଅଲଆଉଟ ହୋଇ ବିଶ୍ଵ ବିଜେତା ହେବାରୁ ବଞ୍ଚିତ ହୋଇଥିଲା। ଏହି ମ୍ୟାଚରେ ବିରେନ୍ଦ୍ର ସେହଓ୍ଵାଗ ସର୍ବାଧିକ ୮୨ରନ କରିଥିଲେ।

୧୯୮୩ ବିଶ୍ଵକପରେ ଚମ୍ପିୟାନ

ଭାରତ ତା’ର ପ୍ରଥମ ବିଶ୍ଵକପ ୧୯୮୩ ମସିହାରେ ହାସଲ କରିଥିଲା। କପିଳ ଦେବଙ୍କ ନେତୃତ୍ଵରେ ଦଳ ଏହି ସଫଳତା ହାସଲ କରିଥିଲା। ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ପରାସ୍ତ କରିବାପରେ ଫାଇନାଲରେ ଓ୍ଵେଷ୍ଟଇଣ୍ଡିଜକୁ ହରାଇ ବିଶ୍ଵକପ ହାସଲ କରିଥିଲା। ଏଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୩ରନରେ ଅଲଆଉଟ ହୋଇଯାଇଥିଲା। ପରେ ଓ୍ଵେଷ୍ଟଇଣ୍ଡିଜ ମଦନ ଲାଲଙ୍କ ବୋଲିଂର ଶିକାର ହୋଇ ୧୪୦ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ଭାରତ ୧୯୮୩ ବିଶ୍ଵକପକୁ ନିଜ ନାରେ କରିଥିଲା।

୨୦୧୧ ବିଶ୍ଵକପ ଚମ୍ପିୟାନ

ଦୀର୍ଘ ୨୮ ବର୍ଷ ପରେ ଭାରତ ପୁଣି ଆଉଥରେ ୨୦୧୧ରେ ବିଶ୍ଵକପ ହାସଲ କରିଥିଲା। ଏଥିରେ ଦଳର ନେତୃତ୍ଵ ନେଇଥିଲେ ମହେନ୍ଦ୍ର ସିଂ ଧୋନି। ଦଳ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ପରେ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ପୁଣି ବିଶ୍ଵ ବିଜେତା ହୋଇଥିଲା। ଏଥିରେ ୨୭୪ରନର ବିଜୟ ଲକ୍ଷ୍ୟକୁ ଭାରତ ୪୮ ଓଭରରେ ପୂରା କରିଥିଲା। ଦଳ ପକ୍ଷରୁ ଗୌତମ ଗମ୍ଭୀର ୯୭ ଓ ଧୋନି ୯୧ ରନ କରିଥିଲେ।

LEAVE A REPLY

Please enter your comment!
Please enter your name here