ଓଡ଼ିଶାଲାଇଭ୍ ବ୍ୟୁରୋ
(ଫଟୋ – ଷ୍ଟୁଡିଓ ମାମା, ପୁରୀ ଏବଂ ବଦ୍ରିଶନାରାୟଣ ପତି)
ଜନ୍ମବେଦୀରେ ଲୀଳାଖେଳା ଶେଷ କରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ରଥ ସିଂହଦ୍ୱାର ସମ୍ମୁଖରେ ଲାଗିଛି। ଭକ୍ତମାନେ ତିନି ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ବାହୁଡ଼ା ଯାତ୍ରା ଦେଖିବା ପାଇଁ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା।
କିଏ ମହାପ୍ରଭୁଙ୍କୁ ହାତଟେକି ନିଜକୁ ସମର୍ପଣ କରିଦେଇଥିଲା ତ ପୁଣି ଆଉ କିଏ ବଡ଼ଦାଣ୍ଡରେ ଗଡ଼ି ଯାଇଥିଲା। ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଭଜନ, କୀର୍ତ୍ତନରେ ମଜ୍ଜି ଯାଇଥିଲେ। ହରିବୋଲ, ହୁଳହୁଳି ଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ।

ଶୃଙ୍ଖଳିତ ନୀତିକାନ୍ତି
ଗୁଣ୍ଡିଚା ଯାତ୍ରା ପରି ବାହୁଡ଼ା ଯାତ୍ରା ମଧ୍ୟ ଶୃଙ୍ଖଳିତ ହୋଇଥିଲା। ସେବାୟତମାନେ ମହାପ୍ରଭୁଙ୍କ ସେବା ପୂଜା ଠିକ୍ ସମୟରେ ଶେଷ କରିଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ହୋଇଥିଲା ଏବଂ ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିଲା। ୭ ଦିନ ହେଲା ମହାପ୍ରଭୁ ଆଡ଼ପମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଥିଲେ। ଗୁରୁବାର ସନ୍ଧ୍ୟା ଦର୍ଶନ ଶେଷ ହେବା ପରେ ବାହୁଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ଭୋରରୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମଇଲମ୍, ତଡ଼ପଲାଗି, ରୋଷହୋମ, ଅବକାଶ ନୀତି ଶେଷ ହେବା ପରେ ସକାଳଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସେନାପଟା ଲାଗି ହେବା ପରେ ତିନିଠାକୁର ଧାଡ଼ି ପହଣ୍ଡିରେ ରଥ ଉପରକୁ ଆସିଥିଲେ। ସକାଳ ୯ଟା୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ୧୧ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା।
ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ଗୁଣ୍ଡିଚା ମନ୍ଦିର ନିକଟକୁ ଆସିଥିଲେ। ତିନି ରଥରେ ଛେରା ପହଁରା କରିଥିଲେ। ଅପରାହ୍ଣ ୪ଟାରେ ରଥ ଟଣା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ରଥଟଣା ହୋଇଥିଲା। ଦିନ ୧ଟା୧୫ରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭକ୍ତମାନେ ଆନନ୍ଦ ଉଲ୍ଲାସର ସହ ଟାଣିଥିଲେ।
ଲକ୍ଷ୍ମୀ ନାରାୟଣ ଭେଟ
ବାହୁଡ଼ାଯାତ୍ରାର ସବୁଠାରୁ ଆକର୍ଷଣୀୟ ଥିଲା ଲକ୍ଷ୍ମୀ ନାରାୟଣ ଭେଟ। ଏହି ଭେଟ ନିଜେ ସ୍ୱୟଂ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୂଜାର୍ଚ୍ଚନା ସହ ସମାପନ କରିଥିଲେ। କାଳିଆର ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ରହିଥିଲା। ଏହି ସମୟରେ ଶ୍ରୀମନ୍ଦିରରେ ମହାଜନ ସେବକମାନେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟ୍ଟବସ୍ତ୍ର, ଫୁଲମାଳ, ଅଳଙ୍କାରରେ ସଜ୍ଜିତ କରି ସାତ ପାହାଚ ପାଲିଙ୍କିରେ ବିଜେ କରାଇଥିଲେ।
ପାଲିଙ୍କିରେ ମା’ ବସି ଆନନ୍ଦ ବଜାର ପାଣିଟାଙ୍କି ପାଖରେ ଥିବା ଚାହାଣି ମଣ୍ଡପକୁ ଯାଇ ନନ୍ଦିଘୋଷ ରଥକୁ ଦେଖିଥିଲେ। ପରେ ଶ୍ରୀନଅର ପାଖକୁ ଯାଇଥିଲେ। ବାଟରେ ସିଂହଦ୍ୱାର ନିକଟରେ ଦେଢ଼ଶୂର ଥିବାରୁ ତାଙ୍କୁ ରଥକନା ଘେରରେ ଲୁଚାଇ ରଖାଯାଇଥିଲା।
ଗଜପତି ଦହିପଟି ମଣୋହି ପୂଜା କରିଥିଲେ। ଗଜପତି ନିଜ ହାତରେ ମା’ ଲକ୍ଷ୍ମୀଙ୍କୁ ଧରି ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଦର୍ଶନ କରାଇବା ପରେ ରଥ ଚାରିପଟ ବୁଲିଥିଲେ। ପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ମା’ ଶ୍ରୀମନ୍ଦିରକୁ ଫେରିଥିଲେ। ଏହି ଭେଟ ବେଳେ ଭିତରଛୁ, ପତି ମହାପାତ୍ର, ଗରାବଡ଼ୁ, ବିମାନବଡ଼ୁ, ମହାଜନ, ବଜନ୍ତରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପରେ ନନ୍ଦିଘୋଷ ଟଣା ହୋଇ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା।
ରେକର୍ଡ ଭାଙ୍ଗିଲା ଚଳିତ ବର୍ଷର ରଥଯାତ୍ରା
ପୂର୍ବ ବର୍ଷମାନଙ୍କରେ ହୋଇଥିବା ରଥଯାତ୍ରାରେ ବିଭ୍ରାଟ ଦେଖାଦେଇଥିଲା। କିନ୍ତୁ ଚଳିତ ବର୍ଷର ରଥଯାତ୍ରା ରେକର୍ଡ ଭାଙ୍ଗିଛି। ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ତିନି ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି।

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରିଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୁରୀ ସହର ପୋଲିସ ଛାଉଣୀରେ ପରିଣତ ହୋଇଥିଲା।
ଆସନ୍ତାକାଲି ସୁନାବେଶ
ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ ଲାଗିଛି। ଭକ୍ତମାନେ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ଶନିବାର ତିନି ରଥରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହେବେ ଶ୍ରୀଜୀଉ। ସୁନାବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ପୂରା ପ୍ରସ୍ତୁତି ଶେଷ ହୋଇଛି। ତିନି ରଥକୁ ପୋଲିସ ବ୍ୟାରିକେଡ୍ ଭିତରେ ରଖାଯାଇଛି।


















