ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରଥମ ସିନେମା ‘ପାଗଳ ପ୍ରେମୀ’ରେ ନିଜର ଚମତ୍କାର ଅଭିନୟ ପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଲା ପରେ ଲଭର ବୟ ସବ୍ୟସାଚୀ ମିଶ୍ର ଆଉ ପଛକୁ ଫେରି ଚାହିଁ ନାହାନ୍ତି।
‘ଏମିତି ବି ପ୍ରେମ ହୁଏ’ ପାଇଁ ପୁଣି ଥରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ‘ମୁଁ ଏକା ତୁମର’ ପାଇଁ ପୂର୍ବାଞ୍ଚଳ ଫିଲ୍ମଫେୟାର ପୁରସ୍କାର ପାଇ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ପ୍ରତ୍ୟେକଟି ସିନେମାରେ ଏକ ନୂଆ ପ୍ରକାର ଚରିତ୍ର କରିବାରେ ସେ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି।
କ୍ୟାରିୟରର ଦ୍ୱିତୀୟ ସିନେମା ‘ମୁଁ ସପନର ସୌଦାଗର’ରେ ସେ ନକରାତ୍ମକ ଭୂମିକାରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ। ତାଙ୍କ ଅଭିନୀତ ସିନେମାଗୁଡିକ ମଧ୍ୟରେ ‘ମତେ ଆଣି ଦେଲ ଲକ୍ଷେ ଫଗୁଣ’, ‘କେମିତି ଏ ବନ୍ଧନ’, ‘ପିଲାଟା ବିଗିଡିଗଲା’, ‘ହେଲା ମତେ ପ୍ରେମ ଜର’, ଅଭିମାନ ଆଦି ଅନ୍ୟତମ।
ଏବେ ସବ୍ୟଙ୍କର ଆଉ ଏକ ଫିଲ୍ମ ପରଦାକୁ ଆସୁଛି। ଯାହାର ଟାଇଟଲ ରହିଛି ମାଲ ମହୁ, ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି। ‘ମାଲ୍ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତୃତୀୟ ଥର ଲାଗି ଏକାଠି ଆସୁଛନ୍ତି ସବ୍ୟ-ଏଲିନା।

ଓଡ଼ିଶାଲାଇଭ୍ ସହ ସବ୍ୟସାଚୀଙ୍କ ସହ ବାର୍ତ୍ତାଳାପର ଅଂଶ:-
କେଉଁ ଚରିତ୍ର ସବ୍ୟଙ୍କର ସବୁଠାରୁ ପ୍ରିୟ?
ମୁଁ ନିଜକୁ ଭାଗ୍ୟବାନ ମନେ କରେ, ମତେ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଛି। ଲଭର ବୟ ଚରିତ୍ର ହେଉ ଅଥବା ଚୋର, ପୋଲିସ, ରାଉଡି, ଝିଅ ଚରିତ୍ର ସେସବୁ ମୋର ପ୍ରିୟ। ଏପରିକି ମୋର ଦ୍ୱିତୀୟ ସିନେମାରେ ଆଣ୍ଟି-ହିରୋ ଓ ପରେପରେ ପାଗଳ ପିଲାର ଭୂମିକାରେ ମଧ୍ୟ ଦର୍ଶକ ମତେ ପସନ୍ଦ କରିଛନ୍ତି। ଭବିଷ୍ୟତରେ ବାସ୍ତବିକଧର୍ମୀ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଲେ ମଧ୍ୟ ମୁଁ ଖୁସିରେ କରିବି।
ଓଡ଼ିଆ ସିନେଇଣ୍ଡଷ୍ଟ୍ରି ଓ ଅନ୍ୟ ଇଣ୍ଡଷ୍ଟ୍ରିରେ କ’ଣ ଭିନ୍ନତା ରହିଛି?
ସେଠାର ଲାଇଟମ୍ୟାନ୍ ଦିନକୁ ୨,୦୦୦ ଟଙ୍କା ପାଉଥିବା ବେଳେ ଆମର ଏଠାର ଲୋକ ୩୦୦ ଟଙ୍କା ପାଉଛନ୍ତି। କିନ୍ତୁ ଏଠାକାର ଲୋକଙ୍କ କାମର ପାରଦର୍ଶିତା କୌଣସି ମାତ୍ରାରେ କମ୍ ନୁହେଁ। ଏଠାରେ ଜଣେ ଆଉ ଜଣଙ୍କର କାମ ବିନା ଦ୍ୱିଧାରେ ମଧ୍ୟ କରିବାକୁ ଆଗଭର ହୋଇଯା’ନ୍ତି, ଯାହା ସେଠାକାର ଲୋକଙ୍କୁ ଆଚମ୍ବିତ କରେ। ସେଥିପାଇଁ ମୋର କୌଣସି ବି ତେଲୁଗୁ ସିନେମାର ଗୋଟେ ଭାଗ ସୁଟିଂ ସେଡ୍ୟୁଲ ମୁଁ ଓଡ଼ିଶାରେ ରଖିବାକୁ ପ୍ରାଧାନ୍ୟ ଦିଏ।



















