ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଃଖୀନି ଝିଅଟିଏ। ଜୀବନରେ ଅନେକ ଦୁଃଖ, ଯନ୍ତ୍ରଣା ସହିଛି। ବାରମ୍ବାର ସେ ଭାବୁଛି ଭାଗ୍ୟ କାହିଁକି ତା’କୁ ସାହା ହେଉନି। ଜୀବନରେ ସଫଳ ହୋଇପାରୁନି ସେ। ହେଲେ ସେ ଯେତେବେଳେ ଆଉ ଜଣକ ଜୀବନରେ ଆସୁଛି, ତା’ର ଭାଗ୍ୟ ବଦଳି ଯାଉଛି। ସେହି ହତଭାଗା ଝିଅଟି ଆଉ ଜଣଙ୍କ ପାଇଁ ପାଲଟୁଛି ‘ସୌଭାଗ୍ୟବତୀ’।

ଆଜ୍ଞା ହଁ, ଏ ହେଉଛି ଜି ସାର୍ଥକର ନୂଆ ମେଗା ଧାରାବାହିକ ‘ସୌଭାଗ୍ୟବତୀ’ର ଓ୍ୱାନଲାଇନ୍ ଷ୍ଟୋରି।

ଆଜି (୨୨ ଜୁଲାଇ, ସୋମବାର) ରାତି ୯ଟାରେ ଏହି ମେଗା ଧାରାବାହିକ ଆରମ୍ଭ ହେବାକୁ ଯାଉଛି। ଏଣିକି ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରତିଦିନ ରାତି ୯ଟାରେ ଓଡ଼ିଆ ଟେଲି ଦର୍ଶକମାନଙ୍କ ପାଇଁ ମନୋରଞ୍ଜନର ନୂଆ ଅବତାର ହୋଇ ଆସୁଛି ‘ସୌଭାଗ୍ୟବତୀ’।

‘ସୌଭାଗ୍ୟବତୀ’ର ମୁଖ୍ୟ ନାୟିକା ହେଉଛନ୍ତି ଦେବସ୍ମିତା। ସେହିପରି ତାଙ୍କ ବିପକ୍ଷରେ ନାୟକ ଭାବରେ ଅଭିନୟ କରିଛନ୍ତି ଆଶିଷ। ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କ ଓମ୍ ସାଇ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଛି ଧାରାବାହିକ।

ଏଥିରେ ଜଣାଶୁଣା ଅଭିନେତାମାନଙ୍କ ମଧ୍ୟରେ ରହିଛନ୍ତି ଅଶ୍ରୁମୋଚନ, ଜର୍ଜ ତିଆଡ଼ି, ଈଷା ବେବର୍ତ୍ତା।

‘‘ସୌଭାଗ୍ୟବତୀର କାହାଣୀ ଦର୍ଶକମାନଙ୍କୁ ଭଲ ଲାଗିବ। ତା’ ସାଙ୍ଗକୁ ପ୍ରତିଷ୍ଠିତ ଏବଂ ନୂଆ ପିଢ଼ିର କଳାକାରଙ୍କୁ ନେଇ ଆମେ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରୁଛୁ। ମୋର ଆଶା ଆମର ଅନ୍ୟ ସିରିୟଲଗୁଡ଼ିକ ଭଳି ଏହା ଅନ୍ତତଃ ୧ହଜାର ଏପିସୋଡ ଅତିକ୍ରମ କରିବ’’ , ଓଡ଼ିଶାଲାଇଭ୍‌କୁ କହିଛନ୍ତି ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା।

ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପ୍ରଯୋଜିତ ବିଭିନ୍ନ ଧାରାବାହିକ ମଧ୍ୟରେ ରହିଛି ଗାୟତ୍ରୀ (ଇଟିଭି), ‘ଟୋପାଏ ସିନ୍ଦୂର’ (ତରଙ୍ଗ), ‘ତୋ ଅଗଣାର ତୁଳସୀ ମୁଁ’ (ଜି ସାର୍ଥକ) ଏବଂ ‘ମାନିନୀ’ (ଜି ସାର୍ଥକ)। ତା ଭିତରୁ ‘ତୋ ଅଗଣାର ତୁଳସୀ ମୁଁ’ ପ୍ରାୟ ୨ହଜାର ଅଧ୍ୟାୟ ଛୁଇଁପାରିଥିଲା।

ସୌଭାଗ୍ୟବତୀର ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ସେହିପରି ଶରତ ନାୟକ ଏହାର ସଙ୍ଗୀତ ଭାର ତୁଲାଇ ଥିବାବେଳେ ଏହାର ନିର୍ଦ୍ଦେଶକ ରହିଛନ୍ତି ସନ୍ତୋଷ।

ଟେଲିଭିଜନ୍ ପରଦାରେ ଯେତେ ପ୍ରକାର କାହାଣୀ ଆସିଲେ ମଧ୍ୟ ଓଡ଼ିଆ ଦର୍ଶକମାନେ ପାରିବାରିକ କାହାଣୀକୁ ସବୁଠାରୁ ଅଧିକ ଭଲ ପାଇବା ଦେଇ ଆସିଛନ୍ତି। ତା’ଛଡ଼ା ନାରୀଙ୍କୁ ମୁଖ୍ୟ ଚରିତ୍ର ଭାବେ ନେଇ ପ୍ରସ୍ତୁତ ହୋଇଥିବା ଅନେକ ମେଗା ସିରିୟଲ ସୁପରହିଟ୍‌ ହୋଇଥିବା ଦେଖିବାକୁ ମିଳିଛି। ଓଡ଼ିଆ ଟେଲିଭିଜନ ଫିକ୍ସନ୍‌ ରେସ୍‌ରେ ସୌଭାଗ୍ୟବତୀ ଲୋକ୍ରପିୟ ହୋଇପାରିବ ବୋଲି ଜି ସାର୍ଥକ ଟେଲିଭିଜନର ପ୍ରୋଗ୍ରାମିଂ ଟିମ୍ ଆଶା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here