ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ସିନେଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିବା ନାୟକ ଅରିନ୍ଦମ ରୟ ଏଥର ଦଶହରାରେ ଧମାଲ ମଚାଇବା ପାଇଁ ଏକ୍‌ଦମ୍‌ ପ୍ରସ୍ତୁତ।
ଓଲିଉଡ୍ ସେନ୍‌ସେସନ୍‌ ଅର୍ଚ୍ଚିତାଙ୍କ ସହ ଅରିନ୍ଦମ୍‍ ବର୍ତ୍ତମାନ ‘ଶିବା – ନଟ୍ ଆଉଟ୍’ ସିନେମାର ସୁଟିଂରେ ବ୍ୟସ୍ତ। ଏହି ସିନେମାକୁ ଅରିନ୍ଦମ ନିଜେ ହିଁ ପ୍ରଯୋଜନା ମଧ୍ୟ କରୁଛନ୍ତି। ରତ୍ନା ଫିଲ୍ମସ ବ୍ୟାନରରେ  ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶନା ସୁଧାଂଶୁ ସାହୁ ଦେଇଥିବା ବେଳେ ଏହାର ସଙ୍ଗୀତ ଦେଉଛନ୍ତି ପ୍ରେମ ଆନନ୍ଦ।
“ଏହା ଏକ ଆକ୍ସନଧର୍ମୀ ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ। ଦର୍ଶକଙ୍କୁ ଅନ୍ୟାନ୍ୟ ମନୋରଞ୍ଜନ ଖୋରାକ ମଧ୍ୟ ଏହା ଯୋଗାଇବ। ମୋ ଚରିତ୍ର ଅନୁଯାୟୀ ମୁଁ ମୋ ନିଜ ସହ ସଂଘର୍ଷ କରୁଛି ଏବଂ ପରେ ସିନେମାରେ ଥିବା ଭିଲିଆନ୍ ସହ ଲଢ଼େଇ କରୁଛି ମୋର ପ୍ରେମିକାର ପ୍ରେମ ପାଇବା ପାଇଁ। ଏହା ଓଡିଆ ସିନେ ଜଗତର ଅନ୍ୟ ଏକ ବ୍ୟୟ ବହୁଳ ସିନେମା’’, ଓଡ଼ିଶାଲାଇଭ୍ ସହ କଥା ହେବା ବେଳେ ଅରିନ୍ଦମ କହିଛନ୍ତି।
ଏହି ସିନେମାର ଗୀତଗୁଡ଼ିକ ଅତ୍ୟନ୍ତ ମନଛୁଆଁ ହୋଇପାରିଛି ଓ ଦଶହରା ସମୟରେ ଏହା ସବୁଠାରୁ ଅଧିକ ଲୋକପ୍ରିୟ ହେବ ବୋଲି ତାଙ୍କର ଆଶା।
ରଜ ପାଇଁ ତିଆରି ହୋଇଥିବା ତାଙ୍କର ଅଭିନୀତ ସିନେମା ‘ରୋମିଓ ଜୁଲିଏଟ୍’ ବିଳମ୍ବରେ ମୁକ୍ତିଲାଭ କରିଥିବାରୁ ସେ ଆଘାତ ପାଇଥିଲେ। ଏଥର କିନ୍ତୁ ‘ଶିବା – ନଟ୍ ଆଉଟ୍’ ଦଶହରା ସମୟରେ ପୁରା ମାର୍କେଟ୍ ନେବ ବୋଲି ତାଙ୍କର ବିଶ୍ୱାସ।
ଏହି ସିନେମାରେ ଅପରାଜିତା ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ମନୋଜ ମିଶ୍ର ଓ ଦେବ୍‌ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରୁଛନ୍ତି।
ପୂର୍ବରୁ ଅରିନ୍ଦମ ଓ ଅର୍ଚ୍ଚିତା ଏକାଠି ୨୦୦୮ରେ ନିର୍ମିତ ‘ମୁଁ ସପନର ସୌଦାଗର’ ଓ ୨୦୧୨ରେ ନିର୍ମିତ ‘ରଜା ଝିଅ ସାଥେ ହୋଇଗଲା ଭାବ’ ସିନେମାରେ ନଜର ଆସିଥିଲେ। ପୂର୍ବପରି ଏଥର ମଧ୍ୟ ଦର୍ଶକ ତାଙ୍କ ଅନ୍-ସ୍କ୍ରିନ୍ କେମେଷ୍ଟ୍ରିକୁ ପସନ୍ଦ କରିବେ ବୋଲି ଅରିନ୍ଦମ କହିଛନ୍ତି।
‘ଶିବା – ନଟ୍ ଆଉଟ୍’ ସିନେମାର ସୁଟିଂ ଜୋର୍‌ସୋର୍‌ରେ ଚାଲିଛି। ଗୀତଗୁଡ଼ିକର ସୁଟିଂ ଓଡ଼ିଶା ବାହାରେ କରାଯିବାର ଯୋଜନା ରହିଛି।
ଏହି ସିନେମାଟି ସାରା ଓଡ଼ିଶାରେ ଦୁର୍ଗା ପୂଜା ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି।
Tags: Arindam, Arindam Roy, Archita, Shiva-Not Out, Ollywood, Odia Cinema, Odia Cine Industry, Aparajita, Pradyumna Lenka, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment