ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଲୋକପ୍ରିୟ ନାୟିକା ଅର୍ଚ୍ଚିତା ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଓ ମାଇଁ ଲଭ୍‌’ରୁ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୨୦୦୫ରୁ ୨୦୧୯ ଭିତରେ ଅନେକ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ୩ଟି ଫିଲ୍ମରେ ଅର୍ଚ୍ଚିତାଙ୍କ ଦିଓ୍ୱାନା ହୋଇଥିଲେ ଦର୍ଶକ।

ପିଲାଟା ବିଗିଡ଼ି ଗଲା

୨୦୧୫ରେ ମୁକ୍ତିଲାଭ କରିଥିବା ‘ପିଲାଟା ବିଗିଡ଼ିଗଲା’ ହେଉଛି ଅର୍ଚ୍ଚିତାଙ୍କ ଅଭିନୀତ ସବୁଠୁଁ ବଡ଼ ବ୍ଲକବଷ୍ଟର ମୁଭି। ଏହା ଏକ ରୋମାଣ୍ଟିକ୍‌ କମେଡି ଫିଲ୍ମ। ପୂଜା ଭରାଲାୱାଲ୍ ଏହି ଓଡ଼ିଆ ସିନେମାର ପ୍ରଯୋଜିକା ଏବଂ ବସନ୍ତ ସାହୁ ନିର୍ଦ୍ଦେଶକ।

‘ପିଲାଟା ବିଗିଡ଼ିଗଲା’ରେ ଅର୍ଚ୍ଚିତାଙ୍କ ବିପକ୍ଷରେ ନାୟକ ଭୂମିକାରେ ନଜର ଆସିଥିଲେ ସବ୍ୟସାଚୀ। ଏଥିରେ ଅର୍ଚ୍ଚିତାଙ୍କୁ ଜଣେ ଅନାଥ ଯୁବତୀ ଭୂମିକାରେ ଦେଖିବାକୁ ମିଳିଥିଲା। ଅର୍ଚ୍ଚିତାଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ପାଇବା ଲାଗି ନାୟକ ସବ୍ୟସାଚୀ କିଭଳି କାଣ୍ଡ ଭିଆଉଛନ୍ତି, ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଥିଲା।

‘ପିଲାଟା ବିଗିଡ଼ିଗଲା’ରେ ଅନ୍ୟମାନଙ୍କ ମଧ୍ୟରେ ପପୁ ପମ୍‌ପମ୍‌, ଲିପ୍‌ସା ମିଶ୍ର, ବିଜୟ ମହାନ୍ତି, ଜୀବନ ପଣ୍ଡା, କୁନା ତ୍ରିପାଠୀ ଓ ବାଙ୍କୁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ‘ପିଲାଟା ବିଗିଡ଼ିଗଲା’ର ସଂଳାପ ଲେଖକ ହେଲେ ରଜନୀ ରଞ୍ଜନ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ।

ଓଲିଉଡରେ ଚର୍ଚ୍ଚା ହୁଏ ଯେ, ଏହି ସିନେମା ଅନେକ ସେଣ୍ଟରରେ ରେକର୍ଡ ବ୍ରେକ୍ ବିଜିନେସ୍‌ କରିଥିଲା। ଖାଲି ସେତିକି ନୁହେଁ, ‘ପିଲାଟା ବିଗିଡ଼ିଗଲା’ର ବଜେଟ୍ ଯେତିକି ଥିଲା, ତା’ର ଦୁଇଗୁଣା ଆୟ କରିଥିଲା ସିନେମା। ଏ ଦୃଷ୍ଟିରୁ ‘ପିଲାଟା ବିଗିଡ଼ିଗଲା’ ଥିଲା ୨୦୧୫ର ସବୁଠାରୁ ବଡ଼ ବ୍ଲକ୍‌ବଷ୍ଟର।

ଆକାଶେ କି ରଙ୍ଗ ଲାଗିଲା

ଅର୍ଚ୍ଚିତାଙ୍କର ଅନ୍ୟ ଏକ ବିଗ୍‌ ବ୍ଲକବଷ୍ଟର ସିନେମା ହେଲା ‘ଆକାଶେ କି ରଙ୍ଗ ଲାଗିଲା’। ୨୦୦୯ରେ ମୁକ୍ତିଲାଭ କରିଥିଲା ‘ଆକାଶେ କି ରଙ୍ଗ ଲାଗିଲା’। ସୀତାରାମ ଅଗ୍ରୱାଲ ଏହାର ପ୍ରଯୋଜକ ଓ ଏସ୍‌. କେ ମୁରଲୀଧରନ୍ ନିର୍ଦ୍ଦେଶକ।

‘ଆକାଶେ କି ରଙ୍ଗ ଲାଗିଲା’ ସିନେମା ଥିଲା ପାରିବାରିକ ରୋମାଣ୍ଟିକ୍‌ ସିନେମା। ଏଥିରେ ଅର୍ଚ୍ଚିତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଅନୁଭବ। ଏଥିରେ ଅର୍ଚ୍ଚିତା ଅନୁଭବଙ୍କ ପ୍ରେମିକା ଭୂମିକାରେ ନଜର ଆସିଥିଲେ।

ଫିଲ୍ମରେ କିନ୍ତୁ ଅର୍ଚ୍ଚିତାଙ୍କ ଭୂମିକାଟି ସଂକ୍ଷିପ୍ତ ଥିଲା। ତଥାପି ଅର୍ଚ୍ଚିତାଙ୍କ ଅଭିନୟ ବେଶ୍‌ ଦମ୍‌ଦାର ଥିଲା। ‘ଆକାଶେ କି ରଙ୍ଗ ଲାଗିଲା’ ଥିଲା ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ମୁକ୍ତିପ୍ରାପ୍ତ ପ୍ରଥମ ସିନେମା। ଏହାର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ଦେବୁ ବୋଷ, ଅନୀତା ଦାସ, ରାଲି ନନ୍ଦ, ସାତ୍ୟକୀ ମିଶ୍ର ଓ ପୃଥ୍ୱୀରାଜ ପ୍ରମୁଖ। ଏହାର ସଂଳାପ ଲେଖିଥିଲେ ପ୍ରଦୀପ୍ତ ନନ୍ଦ ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ବିକାଶ ଦାସ।

‘ଆକାଶେ କି ରଙ୍ଗ ଲାଗିଲା’ର କାହାଣୀ ଅନୁଯାୟୀ ଅର୍ଚ୍ଚିତାଙ୍କର ପ୍ରାଣହାନି ଘଟେ। ତାଙ୍କୁ ମାରିଥିବା ଲୋକଙ୍କୁ ଶାସ୍ତି ଦେଇ ଫସିଯାଏ ନାୟକ। ଏଭଳି ଏକ କାହାଣୀକୁ ନେଇ ନିର୍ମିତ ଏହି ସିନେମା ୨୦୦୯ ମସିହାରେ ସବୁଠାରୁ ବଡ଼ ବ୍ଲକବଷ୍ଟର ସିନେମା ଥିଲା।

କୁହାଯାଏ ଯେ, ‘ଆକାଶେ କି ରଙ୍ଗ ଲାଗିଲା’ ୨୦୦୯ ରଜରେ ରିଲିଜ୍‌ ହୋଇଥିବା ଅନ୍ୟ ଫିଲ୍ମ ‘ଲଭ ଡଟ୍‌ କମ୍‌’ ଓ ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’ ସିନେମାଠାରୁ ଢ଼େର ଅଧିକ ବ୍ୟବସାୟ କରିଥିଲା। ଏହି ସିନେମା ପାଇଁ ଅନୁଭବ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

ଚାମ୍ପିଅନ

ଓଲିଉଡର ପ୍ରଥମ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ‘ଚାମ୍ପିଅନ’। ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ଅର୍ଚ୍ଚିତା। ଅର୍ଚ୍ଚିତା ଏହି ଫିଲ୍ମରେ ଜଣେ ବକ୍ସର ଭୂମିକା ନିଭାଇ ଚର୍ଚ୍ଚାକୁ ଆସିଥିଲେ। ୨୦୧୯ରେ ରିଲିଜ ହୋଇଥିବା ଫିଲ୍ମ ‘ଚାମ୍ପିଅନ’ର ନିର୍ଦ୍ଦେଶନା ଦେଇଛନ୍ତି କେ. ମୂରଲୀକ୍ରିଷ୍ଣା। ଏହି ଫିଲ୍ମ ପାଇଁ ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।

Comment