ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ଥିବାବେଳେ ସବୁ ଦଳର ଛାମୁଆ ନେତାଙ୍କ ପ୍ରଚାରରେ କମ୍ପୁଛି ବାଲେଶ୍ୱର ଓ ତିର୍ତ୍ତୋଲ।

ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ପଡ଼ିବ ଭୋଟ୍‌। ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହେଉଥିବାରୁ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ସବୁ ଦଳର ତାରକା ପ୍ରଚାରକ ଓ ହେଭିୱେଟ୍‌ ନେତା ସେଠାରେ ଭିଡ଼ ଜମାଇଛନ୍ତି। ସେମାନଙ୍କୁ ନେଇ ସଭାସମିତି, ରୋଡ୍‌ ଶୋ’, ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା ଅଭିଯାନ ପୂରା ଦମ୍‌ରେ ଚାଲିଛି। ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ହେଭିୱେଟ୍‌ମାନେ ସବୁ କସରତ କରୁଛନ୍ତି। ଶେଷ ପର୍ଯ୍ୟାୟର ଏହି ପ୍ରଚାର ଅଭିଯାନରେ ବାଲେଶ୍ୱର ଓ ତିର୍ତ୍ତୋଲ ଅଞ୍ଚଳ କମ୍ପୁଛି।

ବିଜେପି ପ୍ରଚାରରେ ଧର୍ମେନ୍ଦ୍ର, ବୈଜୟନ୍ତ, ଜୁଏଲ, ଅଶ୍ୱିନୀ ବୈଷ୍ଣବ

ବାଲେଶ୍ୱରରେ ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିୟମିତ ପ୍ରଚାର ଚଳାଇଛନ୍ତି। ସେଠାରୁ ମାନସ ଦତ୍ତ ଜିତିବା ତାଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରସଙ୍ଗ। ପୂର୍ବରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ପ୍ରଚାର କରି ଫେରିଛନ୍ତି। ଅନ୍ୟପକ୍ଷରେ ଗତ ଦୁଇଦିନ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରେ ପ୍ରଚାର କରି ଭୋଟ୍‌ ମାଗିଛନ୍ତି।

ଏକଦା ବାଲେଶ୍ୱର ଜିଲାର ଜିଲାପାଳ ଥିବା ଅଶ୍ୱିନୀ ବୈଷ୍ଣବ ପ୍ରଚାର ବେଳେ ଲୋକଙ୍କ ସହ ସିଧାସଳଖ ମିଶି ଭାବ ବିନିମୟ କରିଥିଲେ। ଶନିବାର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବାଲେଶ୍ୱର ଓ ତିର୍ତ୍ତୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶାଳ ରୋଡ୍‌ ଶୋ’ କରିଛନ୍ତି। ସେହିପରି ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ ମଧ୍ୟ ପ୍ରଚାରରେ ସାମିଲ ହୋଇ ବିଜେପି ଶିବିରରେ ଉତ୍ସାହ ଭରିଛନ୍ତି।

ବିଜେଡି ପାଇଁ ମନ୍ତ୍ରୀ, ବରିଷ୍ଠ ନେତାଙ୍କ କସରତ

ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଦିନରେ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଡିଜିଟାଲ ପ୍ରଚାର କରିସାରିଛନ୍ତି। ଭିଡିଓ କନଫରେନ୍ସିଂରେ ସେ ଉଭୟ ନିର୍ବାଚନ ମଣ୍ଡଳୀର ଜନତାଙ୍କୁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ନିବେଦନ କରିଛନ୍ତି। ସେହିପରି ବିଜେଡି ଦଳର ମନ୍ତ୍ରୀ, ବରିଷ୍ଠ ନେତାମାନେ ମଧ୍ୟ ଉଭୟ ନିର୍ବାଚନ ଅଞ୍ଚଳରେ ଡେରା ପକାଇଛନ୍ତି।

ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ଦାଶ, ଦେବୀ ମିଶ୍ର, ପ୍ରସନ୍ନ ପ୍ରାଟ୍ଟଶାଣୀ ପ୍ରମୁଖ ଶନିବାର ପ୍ରଚାର କରି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି। ପ୍ରଚାରରେ ଚିତ୍ର ତାରକା ତଥା ନେତା ଭାବେ ଆକାଶ ଦାସ ନାୟକ ଓ ଅରିନ୍ଦମ ସାମିଲ ହୋଇଥିଲେ। ସେହିପରି ତିର୍ତ୍ତୋଲରେ ଅତନୁ ସବ୍ୟସାଚୀ ନାୟକ, ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

କଂଗ୍ରେସ ପ୍ରଚାରରେ ଉତ୍ସାହ ଭରିଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ

କଂଗ୍ରେସ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁର ରାଉତରାୟ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ପ୍ରଚାର ଚଳାଇଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱରରେ ଥିବା ବଙ୍ଗୀୟ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ କଂଗ୍ରେସର ପଶ୍ଚିମବଙ୍ଗ କ୍ୟାଡର ନେତା ବାଲେଶ୍ୱରରେ ଆସି ଡେରା ପକାଇଛନ୍ତି।

ପୂର୍ବତନ ରାଷ୍ଟ୍ରପତି ତଥା ଦିବଂଗତ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ପଶ୍ଚିମବଙ୍ଗରୁ ଆସି ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ଶନିବାର ପ୍ରଚାର ଚଳାଇଛନ୍ତି। ଏହା ଦଳୀୟ କର୍ମୀଙ୍କ ଭିତରେ ଉତ୍ସାହ ଭରିଛି। ସେହିପରି ଶନିବାର ବାଲେଶ୍ୱରରେ ତାରାପ୍ରସାଦ ବାହିନୀପତି ଓ ତିର୍ତ୍ତୋଲରେ ସୁର ରାଉତରାୟ, ବାପି ସାର୍ଖେଲ ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି।

ପ୍ରଚାର ଅଭିଯାନ ବେଳେ ସବୁ ଦଳର ଛାମୁଆ ନେତାଙ୍କ ବାକ୍ ଯୁଦ୍ଧ ମଧ୍ୟ ବେଶ୍‌ ଜମିଛି। ଅନ୍ୟ ଦଳର ଖୁଣ, ବିଫଳତାକୁ ଉପସ୍ଥାପନ କରିବା ସହ ନେତାମାନେ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନତାଙ୍କୁ ଭୋଟ୍‌ ନିବେଦନ କରିଛନ୍ତି।

Comment