ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଅନେକ ଫିଲ୍ମରେ ଅଭିନେତାମାନେ ଶାଢ଼ି ପିନ୍ଧି ଅଭିନୟ କରିଥିବା ଦେଖିବାକୁ ମିଳିଛି। ଏହି ଦୃଷ୍ଟିରୁ ଓଲିଉଡ ବି ପଛରେ ନାହିଁ। ଓଲିଉଡରେ ମଧ୍ୟ ଏମିତି କିଛି ଫିଲ୍ମ ରହିଛି ଯେଉଁଥିରେ ଅଭିନେତାମାନେ ଶାଢ଼ି ପିନ୍ଧି ଅଭିନୟ କରୁଥିବା ନଜର ଆସିଛନ୍ତି। ଦର୍ଶକ ମଧ୍ୟ ସେମାନଙ୍କୁ ପସନ୍ଦ କରିଛନ୍ତି।

 

ଅରିନ୍ଦମ

ଓଡ଼ିଆ ଫିଲ୍ମ ଜଗତର ଜଣେ ଆଗଧାଡ଼ିର ଅଭିନେତା ହେଲା ଅରିନ୍ଦମ। ଆକ୍ସନ, ରୋମାନ୍ସ ସବୁ ସିନ୍‌ରେ ସେ ହୋଇଯାଆନ୍ତି ଫିଟ୍‌। ଏହାଛଡ଼ା ଆରିନ୍ଦମଙ୍କୁ ନାରୀ ଅବତାରରେ ବି ଦେଖିଛନ୍ତି ଦର୍ଶକ। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଳକୀ’ରେ ଅରନ୍ଦିମ ଶାଢ଼ି, ଚୁଡ଼ି, ସିନ୍ଦୂର ପିନ୍ଧି କିଛିଟା ସିନ୍‌ କରିଥିଲେ। ଦର୍ଶକ ମଧ୍ୟ ଅରିନ୍ଦମଙ୍କୁ ଏହି ଅବତାରରେ ପସନ୍ଦ କରିଥିଲେ।

ବାବୁସାନ

ଓଲିଉଡରେ ଚକୋଲୋଟ ହିରୋ ଭାବେ ପରିଚିତ ବାବୁସାନ। ତାଙ୍କ ଫିଲ୍ମ ବି ଦର୍ଶକଙ୍କୁ ବେଶ ପସନ୍ଦ ଆସେ। କାରଣ ଏଥିରେ ଲଭ୍‌, ରୋମାନ୍ସ, ଆକ୍ସନ, କମେଡି ସବୁକିଛି ଭରପୂର ଥାଏ। ବାବୁସାନଙ୍କ ସବୁ ଫିଲ୍ମ ଅପେକ୍ଷା ‘ସିଷ୍ଟର ଶ୍ରୀଦେବୀ’ ଥିଲା ନିଆରା। ଏହି ଫିଲ୍ମରେ ବାବୁସାନ ଜଣେ ମହିଳା ନର୍ସଙ୍କ ଭୂମିକା କରିଥିଲେ। ଏଥିପାଇଁ ତାଙ୍କୁ ନର୍ସ ଡ୍ରେସ ପିନ୍ଧିବାକୁ ପଡ଼ିଥିଲା। ଏମିତିକି ଗୋଟିଏ ଗୀତରେ ବାବୁସାନ ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ଏଥିରେ ବାବୁସାନଙ୍କ ବିପକ୍ଷରେ ଥିଲେ ଶିବାନୀ।

ସବ୍ୟସାଚୀ

ଓଲିଉଡରେ ପାଗଳ ପ୍ରେମୀ ସବ୍ୟସାଚୀ ବହୁ ହିଟ୍‌ ଫିଲ୍ମ ନେଇ ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି। ସବ୍ୟସାଚୀଙ୍କ ଅଭିନୀତ ଫିଲ୍ମରେ ଥାଏ ନିଆରା ସ୍ୱାଦ। ପ୍ରଥମ ଥର ଫିଲ୍ମ ‘ଶ୍ୱଶୂର ଘର ଜିନ୍ଦାବାଦ’ ଫିଲ୍ମରେ ସବ୍ୟସାଚୀ ଶାଢ଼ି ପିନ୍ଧିବା ସହ କେଶରେ ଫୁଲ, ଆଖିରେ କାଜଲ ଲଗାଇ ଝିଅଙ୍କ ପରି ସଜେଇ ହୋଇଥିଲେ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ।

ରାଇମୋହନ ପରିଡ଼ା

ଖଳାନାୟକ ଭୂମିକା କରି ଘରେ ଘରେ ପରିଚିତ ହୋଇଛନ୍ତି ରାଇମୋହନ ପରିଡ଼ା। ତାଙ୍କର ଖତରନାକ ଅଭିନୟ ଦର୍ଶକଙ୍କୁ ଡରାଇଥାଏ। ତେବେ ରାଇମୋହନ ମଧ୍ୟ ଫିଲ୍ମରେ ଶାଢ଼ି ପିନ୍ଧିଥିବା ଦେଖାଯାଇଛି। ମନୋରଞ୍ଜନ ପାଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆସିବୁ କେବେ ସାଜି ମୋ ରାଣୀ’ରେ ରାଇମୋହନ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଅଭିନେତା ଆକାଶ ଦାସ ନାୟକ ମୁଖ୍ୟ ଚରିତ୍ରରେ ଥିଲେ।

ଏମାନଙ୍କ ବ୍ୟତୀତ କମେଡିଆନ ଗୁଡ୍ଡୁ, ହରି, ଅଭିନେତା ସମ୍ବିତ, ଅକ୍ଷୟ ବସ୍ତିଆ ମଧ୍ୟ ଏଭଳି ଭୂମିକାରେ ଦେଖାଯାଇଛନ୍ତି।

Comment