ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ସପକ୍ଷରେ ୩୭୦, ବିପକ୍ଷରେ ୭୦ ଭୋଟ
  • ଧାରା ୩୭୦ ଆତଙ୍କବାଦର ଜନକ : ଅମିତ ଶାହ
  • ବାଜପେୟୀଙ୍କୁ ମନେପକାଇଲେ ଅମିତ ଶାହ
  • କଂଗ୍ରେସର ଜୋରଦାର ବିରୋଧ
  • କଂଗ୍ରେସ ସାଂସଦ ଶଶୀ ଥରୁର କହିଲେ ‘କଳା ଦିନ’

ଇତିହାସ ରଚିଲେ ମୋଦି ସରକାର। ରାଜ୍ୟସଭା ପରେ ଆଜି ଲୋକସଭାରେ ପାସ୍‌ ହେଲା ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌। ଲୋକସଭାରେ ମଙ୍ଗଳବାର ଦିନ ସାରା ଚର୍ଚ୍ଚା ହେବା ପରେ ଭୋଟିଂ ହୋଇଥିଲା।

ବିଲ୍‌ ସପକ୍ଷରେ ୩୭୦ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ୭୦ଟି ଭୋଟ୍‌। ଏହାପରେ ଲୋକସଭାରେ ବିଲ୍‌ ପାସ୍ ହୋଇଥିଲା। ରାଜ୍ୟସଭାରେ ସୋମବାର ବିଲ୍‌ ପାସ୍‌ ହୋଇଥିଲା। ସପକ୍ଷରେ ୧୨୫ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ୬୧ଟି ଭୋଟ୍‌। ଏହି ବିଲ୍ ରାଷ୍ଟ୍ରପତିଙ୍କ ମୋହର ଅପେକ୍ଷାରେ ରହିଛି।

ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌ ହେବା ପରେ ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସଂରକ୍ଷଣ ବିଲ୍‌ ପ୍ରତ୍ୟାହାର

ଜମ୍ମୁ କଶ୍ମୀରର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ସଂରକ୍ଷଣ ବିଲ୍‌ ରାଜ୍ୟସଭାରେ ଉପସ୍ଥାପିତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଲୋକସଭାରେ ମଧ୍ୟ ଏହି ବିଲ୍‌ ପାସ୍‌ କରିବା ପାଇଁ ଉପସ୍ଥାପିତ ହୋଇଥିଲା। ହେଲେ ମନ୍ତ୍ରୀ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଅମିତ ଶାହ କହିଥିଲେ ଯେ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ଉଭୟ ଗୃହରେ ପାସ୍‌ ହୋଇଛି। ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ୩୭୦ ଧାରା ଉଛେଦ ହୋଇଯିବ। ଫଳରେ ଜମ୍ମୁ କଶ୍ମୀରରେ ସଂରକ୍ଷଣ ନିୟମ ଲାଗୁ ହେବ। ଏଣୁ ଏହି ବିଲ୍‌ ପାସ୍‌ କରିବାର କୌଣସି ଆବଶ୍ୟକତା ନାହିଁ।

ଧାରା ୩୭୦ ବିରୋଧରେ ଲଢୁଥିଲେ ବାଜପେୟୀ

ଲୋକସଭାରେ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ଉପରେ ଆଲୋଚନା କରିବା ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ମନେପକାଇଥିଲେ।

ଶାହ କହିଥିଲେ, ‘‘ଜମ୍ମୁ କଶ୍ମୀର ହେଉଛି ପୃଥିବୀର ସ୍ୱର୍ଗ। ଅଟଳବିହାରୀ ବାଜପେୟୀ ଜୀବନ ସାରା ଧାରା ୩୭୦ ବିରୋଧରେ ଲଢ଼ି ଆସୁଥିଲେ। ଏଥିପାଇଁ ଜେଲ୍‌ ମଧ୍ୟ ଯାଇଥିଲେ। ଆଜି ବାଜପେୟୀଙ୍କ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହୋଇଛି। ଫଳରେ ଧାରା ୩୭୦ ଉଛେଦ ହୋଇଛି।’’

ଧାରା ୩୭୦ ବଢ଼ାଉଥିଲା ଆତଙ୍କବାଦ

ଧାରା ୩୭୦ ପାଇଁ ଜମ୍ମୁ କଶ୍ମୀରରେ ଆତଙ୍କବାଦ ବଢୁଥିଲା। ଦୁର୍ନୀତି ସୀମା ଟପୁଥିଲା। ଜମ୍ମୁ କଶ୍ମୀରର ବିକାଶ ପାଇଁ ଯାହା ଟଙ୍କା ଯାଉଥିଲା ତାକୁ ସେଠାକାର ନେତା ହଡ଼ପ କରୁଥିଲେ। ତିନୋଟି ପରିବାର ପାଇଁ ଜମ୍ମୁ କଶ୍ମୀରବାସୀଙ୍କ ଅବସ୍ଥା ସଙ୍ଗୀନ ହୋଇଯାଇଥିଲା। ଯଦି ଏହି ତିନି ପରିବାରର ନାଁ କହିବି ତାହାଲେ ଦେଶରେ ହଇଚଇ ସୃଷ୍ଟି ହେବ। ଲୋକେ ଜାଣିଛନ୍ତି ଏହି ତିନି ପରିବାର କିଏ ବୋଲି ଅମିତ ଶାହ କହିଛନ୍ତି।

ଧାରା ୩୭୦ ଉଛେଦ ପରେ କଶ୍ମୀରବାସୀଙ୍କୁ କ’ଣ ମିଳିବ ସୁବିଧା?

ପୂର୍ବରୁ ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା। ଏବେ ଏହି ମାନ୍ୟତା ହରାଇବ ଜମ୍ମୁ କଶ୍ମୀର। ଜମ୍ମୁ କଶ୍ମୀରରେ ଅଲଗା ସମ୍ବିଧାନ ରହିପାରିବ ନାହିଁ। ପୂର୍ବରୁ ଜମ୍ମୁ କଶ୍ମୀରରେ ସ୍ୱତନ୍ତ୍ର ସମ୍ବିଧାନ ଥିଲା। ବିଧାନସଭା କାର୍ଯ୍ୟକାଳ ୬ ବର୍ଷ ପରିବର୍ତ୍ତେ ୫ ବର୍ଷ ରହିବ।

କଶ୍ମୀରର ସ୍ୱତନ୍ତ୍ର ପତାକା ପରିବର୍ତ୍ତେ ତ୍ରିରଙ୍ଗା ହିଁ ଏକମାତ୍ର ପତାକା ରହିବ। ରାଜ୍ୟପାଳ ଶାସନ ବ୍ୟବସ୍ଥା ପରିବର୍ତ୍ତେ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ହେବ। ବାହାର ଲୋକ ଜମ୍ମୁ କଶ୍ମୀରରେ ସମ୍ପତ୍ତି କିଣି ପାରୁନଥିଲେ ଏବେ ବାହାର ଲୋକ ସମ୍ପତ୍ତି କିଣି ପାରିବେ।

ଜମ୍ମୁ କଶ୍ମୀରର ନାଗରିକମାନଙ୍କର ୨ ପ୍ରକାରର ନାଗରିକତା ମିଳିଛି। ଏହି ଧାରା ଉଠିବା ପରେ କେବଳ ଭାରତୀୟ ନାଗରିକତା ମିଳିବ।

LEAVE A REPLY

Please enter your comment!
Please enter your name here