ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକ ପରେ ଜନ୍ମାଷ୍ଟମୀ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭୁବନେଶ୍ୱରର ଇସ୍‌କନ୍‌ ମନ୍ଦିର। ଜନ୍ମାଷ୍ଟମୀକୁ ଧୁମ୍‌ଧାମ୍‌ରେ ପାଳିବା ପାଇଁ ଇସ୍‌କନ୍‌ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଜନ୍ମାଷ୍ଟମୀକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଶ୍ରୀକୃଷ୍ଣଙ୍କ ସିଂହାସନର ସାଜସଜା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ଚଳିତ ବର୍ଷ ଶ୍ରୀକୃଷ୍ଣଙ୍କ ସିଂହାସନକୁ ସେଓରେ ସଜା ଯିବ ବୋଲି ଇସ୍କନ ମନ୍ଦିର ଉପସଭାପତି ସାତ୍ୱତ ପତି ଦାସ ଓଡ଼ିଶାଲାଇଭ୍‌କୁ କହିଛନ୍ତି।

‘‘ଗତ ବର୍ଷ ଶ୍ରୀକୃଷ୍ଣଙ୍କ ସିଂହାସନକୁ ଅଙ୍ଗୁରରେ ସଜା ଯାଇଥିଲା। ଏଥର ସିଂହାସନକୁ ସେଓରେ ସଜେଇବା ପାଇଁ ନିଷ୍ପତ୍ତି ହୋଇଛି। ଭକ୍ତମାନେ କିପରି ସୁରୁଖୁରୁରେ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି’’, କହିଛନ୍ତି ସାତ୍ୱତ ପତି ଦାସ।

ଭାଦ୍ରବ ମାସ କୃଷ୍ଣ ପକ୍ଷରେ ପାଳନ କରାଯାଏ ଜନ୍ମାଷ୍ଟମୀ। ଭାରତର କୋଣ ଅନୁକୋଣରେ ଭଗବାନ କୃଷ୍ମଙ୍କ ଜନ୍ମ ତିଥିକୁ ଖୁବ୍ ଆଡମ୍ବରରେ ପାଳନ କରାଯାଏ। ଭାରତ ବାହାରରେ ମଧ୍ୟ କୃଷ୍ଣ ଭକ୍ତମାନେ ଜନ୍ମାଷ୍ଟମୀ ପାଳନ କରନ୍ତି। ମୁଖ୍ୟତଃ ଭାରତ ଏବଂ ଭାରତ ବାହାରେ ଥିବା ଇସ୍କନ ମନ୍ଦିରଗୁଡ଼ିକରେ ଜନ୍ମାଷ୍ଟମୀ ପାଇଁ ବ୍ୟାପକ ଆୟୋଜନ କରାଯାଇଥାଏ।

ଭୁବନେଶ୍ୱରରେ ଥିବା ଇସ୍କନ ମନ୍ଦିରରେ ବି ଚଳିତ ବର୍ଷ ଧୁମ୍‌ଧାମ୍‌ରେ ପାଳନ ହେବ ଜନ୍ମାଷ୍ଟମୀ।

‘‘ଷୋଡ଼ଶ ଉପଚାରରେ ଶ୍ରୀକୃଷ୍ଣଙ୍କ ମହାଭିଷେକ କରାଯାଏ। ରାତି ୧୨ଟା ବେଳେ ଇସ୍କନରେ ପାଳନ କରାଯାଉଥିବା ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ କୌଣସି ଅନ୍ୟ କୌଣସି ମନ୍ଦିରରେ ପାଳନ ହୋଇ ନଥାଏ। କୃଷ୍ଣ ଚେତନାକୁ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହା ଏକ ପ୍ରୟାସ’’, କହିଛନ୍ତି  ସାତ୍ୱତ ପତି ଦାସ।

କୃଷ୍ଣ ହେଲେ ପରମ ପିତା। ମନୁଷ୍ୟ ହେଉଛି ଭଗବାନ କୃଷ୍ଣଙ୍କ ଅଂଶବିଶେଷ। ଜଣେ ମଣିଷ ଯେପରି ନିଜ ପିତାଙ୍କୁ ଚିହ୍ନିବା ଦରକାର,  ଠିକ୍ ସେହିପରି କୃଷ୍ଣଙ୍କୁ ବି ସମସ୍ତେ ଜାଣିବା ଦରକାର। ଏହାକୁ ସମସ୍ତେ ଭୁଲି ଯାଇଛୁ। ଏହି ପରମ୍ପରା ଲୋକଙ୍କୁ ମନେ ପକାଇବା ପାଇଁ ଇସ୍କନରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଉଥିବା ଶ୍ରୀ ପତି ଦାସ କହିଛନ୍ତି।

LEAVE A REPLY

Please enter your comment!
Please enter your name here