ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣିଥରେ ଝଲସିବ ରାଜଧାନୀ ଭୁବନେଶ୍ୱର। ଭାରତର କ୍ରୀଡ଼ା ରାଜଧାନୀ କୁହାଯାଉଥିବା ଭୁବନେଶ୍ୱରରେ ହେବ ଆଉ ଏକ ଅନ୍ତର୍ଜାତୀୟ କ୍ରୀଡା ମହୋତ୍ସବ। ଏନେଇ ପ୍ରାଥମିକ ଭାବରେ କଳିଙ୍ଗ ଷ୍ଟାଡିୟମକୁ ମଞ୍ଜୁରୀ ମିଳିଛି।

୨୦୨୦ରେ ହେବାକୁ ଥିବା ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପର କିଛି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମକୁ ସବୁଜ ସଙ୍କେତ ମିଳିସାରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଲୋକାଲ ଅର୍ଗାନାଇଜିଙ୍ଗ୍ କମିଟିର ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ରୋମା ଖାନ୍ନା।

କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କାମକୁ ପ୍ରଶଂସା କରିବା ସହ ରୋମା ଏହା ଘୋଷଣା କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମିର ବିକାଶ ପରେ ଚଳିତ ବର୍ଷ ଶେଷ ଆଡ଼କୁ ଫିଫାର ଏକ ଟିମ୍ ଷ୍ଟାଡିୟମ ପରିଦର୍ଶନରେ ଆସିବେ। ସେହି ସମୟରେ ବିଧିବଦ୍ଧ ଭାବରେ କଳିଙ୍ଗ ଷ୍ଟାଡିୟମକୁ ଭେନ୍ୟୁ ଭାବରେ ଚୟନ କରାଯିବ।

ଏହି ପ୍ରତିଯୋଗିତାର ଆୟୋଜନ ହେବା ଦ୍ୱାରା ରାଜ୍ୟରେ ଫୁଟବଲର ଲୋକପ୍ରିୟତା ବଢିବ। ବିଶେଷକରି ଝିଅମାନେ ଏହି ଖେଳ ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି କୁହାଯାଇଛି। କଳିଙ୍ଗ ଷ୍ଟାଡିୟମ ସହ କୋଲକାତା, ନାଭି ମୁମ୍ବାଇ, ଗୋଆ ଏବଂ ଅହମ୍ମଦାବାଦ ସହରରେ ଏହି ବିଶ୍ୱକପ୍ ଆୟୋଜନ କରାଯିବ।

Comment