ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : କୈଳାଶ ଚନ୍ଦ୍ର ଦାସଙ୍କ ପୁସ୍ତକ ‘ସାଗା ଅଫ ଦ ବାରବାଟୀ ଷ୍ଟାଡିୟମ୍’ ପୁସ୍ତକ ଲୋକାର୍ପିତ ହୋଇଛି । ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାର ଲୋକାର୍ପଣ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରଭାତ ମିଶ୍ର ଏବଂ ଖାରବେଳ ମହାନ୍ତି ଉପସ୍ଥିତ ଥିଲେ।
ସୃଜନଶୀଳତା ପାଇଁ ବୟସ କଣ୍ଟା ନୁହଁ। ଏହାକୁ ପ୍ରମାଣ କରିଛନ୍ତି ୯୦ବର୍ଷୀୟ କୈଳାଶ ଚନ୍ଦ୍ର ଦାସ। ବାରବାଟୀ ଷ୍ଟାଡିୟମ୍ ସହ ଜୀବନର ୬୦ବର୍ଷ ଜଡ଼ିତ ରହି ସେ ଯେଉଁ ଅନୁଭୂତି, ଅଭିଜ୍ଞତା ହାସଲ କରିଛନ୍ତି ତା’କୁ ପୁସ୍ତକ ଆକାରରେ ପ୍ରକାଶ କରିଛନ୍ତି।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କଠାରୁ ଆରମ୍ଭ କରି ଏବେ ଯାଏଁ ଓଡ଼ିଶା କ୍ରୀଡ଼ା ଇତିହାସକୁ ବ୍ୟାଖ୍ୟା କରି ଶ୍ରୀ ଦାସ ଏହି ପୁସ୍ତକରେ ଲେଖିଛନ୍ତି।

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ‘‘ଓଡ଼ିଶାର କ୍ରୀଡ଼ା ଇତିହାସ ଜାଣିବାକୁ ଏହି ପୁସ୍ତକଟି ବେଶ୍ ଭଲ। ଏହାକୁ ରେକର୍ଡ କରାଯାଇପାରିଲେ ନିଶ୍ଚିତ ଭାବେ ଆଗାମି ପିଢ଼ି ଏଥିପ୍ରତି ଆଗ୍ରହ ପ୍ରକାଶ କରିବେ।’’
ସେହିପରି ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଶିକ୍ଷାବିତ୍ ପ୍ରଭାତ ମିଶ୍ର କହିଲେ, ‘‘ଲଟେରୀ ଖେଳରୁ ସୃଷ୍ଟି ବାରବାଟୀ ଷ୍ଟାଡିୟମ୍ ଏଭିତରେ ବିକାଶର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। କିନ୍ତୁ ଏହି ଐତିହାସିକ ଷ୍ଟାଡିୟମ୍ ପଛରେ ଥିବା ପରିଶ୍ରମ, ବଳିଦାନ ଏବଂ ଉତ୍ସର୍ଗକୁ ଆମେ ଭୁଲି ଯିବା ଉଚିତ୍ ନୁହେଁ।’’
ଏହି ପୁସ୍ତକରେ ମୋଟ୍ ୧୭ଟି ଅଧ୍ୟାୟ ରହିଛି। କୈଳାସ ଚନ୍ଦ୍ର ଦାସ ଏକ ଶତାବ୍ଦୀର ଇତିହାସକୁ ଏହି ୩୩୦ ପୃଷ୍ଠା ସମ୍ବଳିତ ପୁସ୍ତକରେ କଏଦ୍ କରିସାରିଛନ୍ତି।
ମିଲ୍ଖା ସିଂହଙ୍କ ବାରବାଟୀ ରେକର୍ଡ, ଧ୍ୟାନଚାନ୍ଦଙ୍କ ଓଡ଼ିଶା ଗସ୍ତ ସହିତ ଓଡ଼ିଶାର ମହିଳା ଖେଳାଳି ମିନତୀ ମହାପାତ୍ର, ଉଷାରାଣୀ ମିଶ୍ର, ମିନତୀ ମିଶ୍ର, ରଚିତା ପଣ୍ଡା, ସୁଷମା ବେହେରା, ଅନୁରାଧା ବିଶ୍ୱାଳଙ୍କ ଭଳି ଅନେକ କ୍ରୀଡ଼ାବିତ୍ଙ୍କୁ ସମ୍ପର୍କରେ ଏଥିରେ ଉଲ୍ଲେଖ ରହିଛି।















