ଓଡ଼ିଶାଲାଇଭ୍ ବ୍ୟୁରୋ

ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ସମୟରେ ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍। ଫଳରେ ଖେଳ ଅଧ ଘଣ୍ଟା ପାଇଁ ବନ୍ଦ ରହିଥିଲା। ତେବେ ଏତେ ବଡ଼ ବିଭ୍ରାଟ କେମିତି ଓ କାହିଁକି ଘଟିଲା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ସମୟରେ ଫ୍ଲଡ ଲାଇଟ୍ ବିଫଳତା ଯୋଗୁଁ ହୋଇଥିବା ବାଧା ପାଇଁ କାରଣ ଦର୍ଶାନ୍ତୁ ବୋଲି ଓସିଏକୁ ଚିଠି ଲେଖିଛନ୍ତି କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ। ୧୦ ଦିନ ମଧ୍ୟରେ ଉତ୍ତର ଦାଖଲ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।
“ବାରବାଟୀରେ ଫ୍ଲଡ ଲାଇଟ୍ ବିଭ୍ରାଟ ଘଟଣା କ୍ରୀଡ଼ା ପ୍ରେମୀଙ୍କୁ ଆଘାତ ଦେଇଛି। କ୍ରୀଡ଼ା ବିଭାଗ ଏନେଇ ଓସିଏକୁ ନୋଟିସ୍ କରିଛି। ଫ୍ଲଡ ଲାଇଟ୍ ପାଇଁ ସଂସ୍ଥା ଓ କେଉଁ କମିଟି ଦାୟିତ୍ଵରେ ଥିଲେ ଜଣାଇବାକୁ କୁହାଯାଇଛି। କାହିଁକି ଜେନେରେଟର ଚଳାଇବାରେ ବିଳମ୍ବ ହେଲା ତାହାର ତଦନ୍ତ ହେବ। ଦାୟିତ୍ଵହୀନତା ପାଇଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ”, କହିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ରାଜ୍ୟ ସରକାର ଓ ଓସିଏକୁ ଘେରିଛନ୍ତି ବିରୋଧୀ। ବିଜେଡି ନେତା ପ୍ରତାପ ଜେନା ରାଜ୍ୟ ସରକାର ଓ ଓସିଏକୁ କଡ଼ା ସମାଲୋଚନା କରିଛନ୍ତି। ସେହିପରି କଟକ ବିଧାୟିକା ସୋଫିଆ ଫିରଦୋସ ମଧ୍ୟ ଏହି ଘଟଣାକୁ ନେଇ ତଦନ୍ତ ଦାବି କରିଛନ୍ତି।
ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚର ଦ୍ଵିତୀୟ ଇନିଂସରେ ଟିମ୍ ଇଣ୍ଡିଆର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂ କରୁଥିଲେ। ଏହି ସମୟରେ ଗୋଟିଏ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ପରେ ଖେଳ ବନ୍ଦ ହୋଇଥିଲା।
ଖେଳାଳିମାନେ ପ୍ୟାଭିଲିୟନକୁ ଫେରିଯାଇଥିଲେ ଓ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପ୍ରାୟ ୨୫ ମିନିଟ୍ ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା। ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା।
Tags: #IndiavsEnglandODI #Cricket #FloodLights #BarabatiStadium #Cuttack