ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦ୍ରରେ ଚନ୍ଦ୍ରଯାନ ୨ର ଲାଣ୍ଡିଙ୍ଗ୍କୁ ଅପେକ୍ଷା କରିଥିଲା ସାରାଦେଶ। ହେଲେ ଶେଷ ମୁହୂର୍ତ୍ତରେ ଲାଣ୍ଡର ବିକ୍ରମ ସହ ଇସ୍ରୋ ବୈଜ୍ଞାନିକଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେହି ସମୟରେ ଇସ୍ରୋ ମୁଖ୍ୟାଳୟରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ମୋଦୀ।
ଏହାପରେ ଶନିବାର ସକାଳେ ପୁଣିଥରେ ମୋଦୀ ବୈଜ୍ଞାନିକଙ୍କୁ ସାନ୍ତ୍ୱନା ଦେବା ପାଇଁ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚିଥିଲେ। ବୈଜ୍ଞାନିକଙ୍କୁ ସାନ୍ତ୍ୱନା ଦେଇ ଫେରିବା ସମୟରେ ଇସ୍ରୋ ମୁଖ୍ୟ କେ ଶିଭନ ମୋଦୀଙ୍କୁ ଆଲିଙ୍ଗନ କରି କାନ୍ଦି ପକାଇଲେ। ମୋଦୀ ଶିଭନଙ୍କ ପିଠି ଥାପୁଡ଼ାଇ ତାଙ୍କୁ ସାହସ ଦେଇଛନ୍ତି।
‘‘ଜୀବନରେ ସଫଳତା ବିଫଳତା ଲାଗି ରହିଛି। ଏଥିରେ ଭାଙ୍ଗି ପଡ଼ିବା ଠିକ୍ ନୁହେଁ। ଧୈର୍ଯ୍ୟର ସହିତ ପରିସ୍ଥିତିର ମୁକାବିଲା କରନ୍ତୁ। ଆଗକୁ ଆମର ଏହି ଯାତ୍ରା ଜାରି ରହିବ। ମନରେ ସାହସ ସଞ୍ଚାର କରନ୍ତୁ। ନିରାଶ ନହୋଇ ଆଗକୁ ବଢ଼ନ୍ତୁ। ଦେଶର ବୈଜ୍ଞାନିକମାନଙ୍କ ସହିତ ମୁଁ ସବୁବେଳେ ଅଛି” ମଧ୍ୟ ରାତିରେ ଇସ୍ରୋ ବୈଜ୍ଞାନିକଙ୍କୁ କହିଥିଲେ ମୋଦି।
ଗତକାଲି ମଧ୍ୟ ରାତ୍ରରେ ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏବେ ଇସ୍ରୋ ବୈଜ୍ଞାନିକ ଏହା ଉପରେ ସମୀକ୍ଷା କରୁଛନ୍ତି।
















