ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏଣିକି ଅନଲାଇନରେ ଛାତ୍ରଛାତ୍ରୀ ପାଇପାରିବେ ଯୁକ୍ତ ଦୁଇ ସାର୍ଟିଫିକେଟ
  • ଅନଲାଇନରେ ମାର୍କସିଟ୍, ମାଇଗ୍ରେସନ୍ ସାର୍ଟିଫିକେଟ ଓ କଲେଜ ଲିଭିଂ ସାର୍ଟିଫିକେଟ ପାଇପାରିବେ
  • ଏଥର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ
  • ୭୫ ପ୍ରତିଶତ ଉପସ୍ଥାନନଥିଲେ କରିପାରିବେନି ଫର୍ମ ପୂରଣ

ଏଣିକି ଘରେ ବସି ଛାତ୍ରଛାତ୍ରୀମାନେ ପାଇପାରିବେ ନିଜର ସାର୍ଟିଫିକେଟ୍। ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ଏହି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏହାସହ ୨୦୨୦ ପରୀକ୍ଷାରେ ସଂସ୍କାର ଆଣିବାକୁ ପଦକ୍ଷେପ ନେଉଛନ୍ତି ସରକାର।

ଚଳିତ ବର୍ଷ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨୫ ସୁଦ୍ଧା ଓ ସମସ୍ତ ବିଷୟର ଥିଓରୀ ପରୀକ୍ଷା ମାର୍ଚ୍ଚମାସ ୨୨ ତାରିଖସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ନିଜର ମାର୍କସିଟ୍, ମାଇଗ୍ରେସନ୍ ସାର୍ଟିଫିକେଟ୍ ଓ କଲେଜ ଲିଭିଂ ସାର୍ଟିଫିକେଟ୍ ଆଦି ଅନଲାଇନରେ ଆବେଦନ କରି ପାଇପାରିବେ। ହେଲେ ପୂର୍ବଭଳି ଓରିଜିନାଲ୍ ସାର୍ଟିଫିକେଟ୍ ଛାତ୍ରଛାତ୍ରୀମାନେ କଲେଜ ଯାଇ ସଂଗ୍ରହ କରିବେ।

ଏହି ଅନଲାଇନ୍ ସାର୍ଟିଫିକେଟ ପାଇଁ ପରିଷଦର କାର୍ଯ୍ୟାଳୟରେ ଗୋଟିଏ କମ୍ପୁଟର ସେଲ୍ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ୫ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିଭଳି ଯୁକ୍ତ ଦୁଇ ପରୀକ୍ଷାରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଆଣିବାକୁ ଅଣ୍ଟାଭିଡ଼ିଛି ବିଭାଗ। ଗତବର୍ଷ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା। ଅଧିକାଂଶ କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ ୪୫ଟି କେନ୍ଦ୍ରରେ ସିସିଟିଭି ଲାଗିପାରିନଥିଲା। କିନ୍ତୁ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଛି।

ସେହିପରି ଏଥର ପରୀକ୍ଷା କେନ୍ଦ୍ର ଚୟନକୁ ନେଇ ଆଗୁଆ ପ୍ରସ୍ତୁତ ହେଉଛି ପରିଷଦ। ପିଲାମାନେ ଫର୍ମ ପୂରଣ କରିବା ସମୟରୁ ହିଁ ପରୀକ୍ଷା କେନ୍ଦ୍ର ଚୟନ କରାଯିବ। ପରିଷଦର ଏକ ପ୍ରତିନିଧି ଦଳ ପରୀକ୍ଷା କେନ୍ଦ୍ର ଚୟନ କରିବ। ଆବଶ୍ୟକ ଭିତ୍ତିଭୂମି ନଥିଲେ ପରୀକ୍ଷା କେନ୍ଦ୍ରକୁ ବାତିଲ ମଧ୍ୟ କରିଦିଆଯିବ।

ସେହିଭଳି ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନକୁ ମଧ୍ୟ କଡାକଡିଭାବରେ ପାଳନ କରାଯିବ। ୭୫ ପ୍ରତିଶତ ଉପସ୍ଥାନ ନଥିବା ଛାତ୍ରଛାତ୍ରୀମାନଙ୍କୁ ଫର୍ମପୂରଣ କରିବାକୁ ଦିଆଯିବନି ବୋଲି ପରିଷଦ ପକ୍ଷରୁ କଲେଜଗୁଡ଼ିକୁ ଜଣାଇଦିଆଯାଇଛି।

LEAVE A REPLY

Please enter your comment!
Please enter your name here