ଓଡ଼ିଶାଲାଇଭ୍ ବ୍ୟୁରୋ
ଜୀବନରେ ସଠିକ୍ ନିଷ୍ପତ୍ତି କେମିତି ନେବେ? କେମିତି ଜାଣିବେ ଆପଣ ନିଜ ଜୀବନରେ ନେଇଥିବା ନିଷ୍ପତ୍ତି ଠିକ୍ କି ଭୁଲ? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥାଏ। କ’ଣ ଆପଣ ଏଭଳି କିଛି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛନ୍ତି? ତେବେ ଜାଣନ୍ତୁ ଏହି ପ୍ରସଙ୍ଗରେ କ’ଣ କହୁଛନ୍ତି ସଦ୍ଗୁରୁ…
କେହିବି ବ୍ୟକ୍ତି ଏହା ଜାଣିନଥା’ନ୍ତି ସେ ଠିକ୍ କାମ କରୁଛନ୍ତି କି ନାହିଁ। ଯାହାକୁ ଲାଗେ ସେ ସବୁବେଳେ ଠିକ୍, ସେମାନେ ଅହଂକାରୀ ଲୋକ।
ଯେତେବେଳେ ଆପଣ ପୂରା ସ୍ଥିର ଓ ଖୁସିରେ ଥିବେ ସେତେବେଳେ ଗୋଟିଏ ନିର୍ଣ୍ଣୟ ନିଅନ୍ତୁ ଆଉ ସେଥିରେ ନିଜର ସମସ୍ତ ଉଦ୍ୟମ ଲଗାଇ ଦିଅନ୍ତୁ। ଦେଖିବେ ନିଶ୍ଚୟ କିଛି ଚମତ୍କାର ହେବ।
ଅନେକ ନିଜ ଭିତରେ ଏକ ସଂଘର୍ଷ ସୃଷ୍ଟି କରିଦିଅନ୍ତି ଯେ ଆମେ ଯାହା କରୁଛେ ତାହା ଠିକ୍ କି ଭୁଲ୍। ସବୁ ଛୋଟ ବଡ଼ କଥାରେ ଆମେ ଭାବୁ ଆମେ କିଛି ଭୁଲ କରିଦେବା ବା କିଛି ଭୁଲ ହୋଇଯିବ। ଏହାକୁ ନେଇ ମନରେ ଏକ ଦ୍ଵନ୍ଦ୍ଵ ସୃଷ୍ଟି ହୁଏ।
ବେଳେ ବେଳେ କିଛି ଭୁଲ ଖୁସି ଖୁସି କରିବା ମଧ୍ୟ ଭଲ। କାରଣ କେହିବି ଏହା ଶତ ପ୍ରତିଶତ ଜାଣିନଥାନ୍ତି ଯେ, ସେ ଯାହା କରୁଛନ୍ତି ତାହା ଠିକ ବା ଭୁଲ। ତେବେ ଏଭଳି ପରିସ୍ଥିତିରେ ଅଧିକ ଚିନ୍ତିତି ହେବା କଥା ନୁହେଁ।
ଯେତେବେଳେ ଆପଣ କିଛି ନିଷ୍ପତ୍ତି ନେବେ, କେବଳ ଗୋଟିଏ ଦିଗ ଉପରେ ଧ୍ୟାନ ଦେବେ ଯେ, ଏହାଦ୍ୱାରା ଆପଣ ଏବେଂ ଆପଣଙ୍କ ଆଖପାଖରେ ଥିବା ଲୋକ ଖୁସି ହେଉଛନ୍ତି କି ନାହିଁ? ଏହା ହିଁ ଆପଣଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ହେବା ଦରକାର। ଆପଣ ଠିକ କରିଛନ୍ତି କି ଭୁଲ? ଏହା ଅନ୍ୟ କେହି ସ୍ଥିର କରିପାରିବେ ନାହିଁ। ଯଦି ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କ ଆଖପାଖ ଲୋକ ଖୁସି ହେଉଛନ୍ତି ତାହାଲେ ଆପଣ ଜାଣି ରଖନ୍ତୁ ଆପଣ ନେଇଥିବା ନିଷ୍ପତ୍ତି ଏକଦମ୍ ସଠିକ।
ଠିକ ଭୁଲ ଭାବିବା ପରିବର୍ତ୍ତେ ମଣିଷ ନିଜ ଭିତରେ ଥିବା ମଣିଷପଣିଆକୁ ଜାଗ୍ରତ କରିବା ଦରକାର। କାରଣ ମଣିଷର ପ୍ରକୃତି ସୀମାକୁ ବ୍ୟାପକ କରିବା ବା ଅନ୍ୟମାନଙ୍କୁ ନିଜ ସୀମାରେ ସାମିଲ କରିବା। ଠିକ୍ ସେହିପରି ଯଦି ଆମ ଦ୍ୱାରା କିଛି ଭୁଲ ହେଉଛି ତା’ହେଲେ ସେହି ଭୁଲକୁ ସ୍ଵୀକାର କରି ସେଥିରୁ ଯାହା ଭଲ ହୋଇପାରିବ ତା’ କରିବା ଦରକାର।
ଯେତେବେଳେ ଆପଣଙ୍କ ଲାଗୁଛି ଆପଣ ଯାହା କରୁଛନ୍ତି ଠିକ୍ ଅନ୍ୟମାନେ ଭୁଲ। ତେବେ ଏହା ଠିକ୍ର ନୁହେଁ ପାଗଳପଣର ଲକ୍ଷଣ। ତେଣୁ ଠିକ ଭୁଲ ଭିତରେ ନିଜର ସମୟ ନଷ୍ଟ ନକରି ଯେତେବେଳେ ଆପଣ କୌଣସି ବିଷୟରେ ସ୍ପଷ୍ଟ ଅଛନ୍ତି ଓ ଖୁସି ଅଛନ୍ତି ସେତେବେଳେ ଏକ ନିଷ୍ପତ୍ତି ନିଅନ୍ତୁ ଏବଂ ସେଥିରେ ନିଜକୁ ସମର୍ପିତ କରିଦିଅନ୍ତୁ, ତେବେ ଯାଇ ଆପଣଙ୍କ ନିଷ୍ପତ୍ତି ଠିକ୍ ହୋଇପାରିବ।
ଆପଣ ଦେଖିଥିବେ ବେଳେବେଳେ ଆମେ ନେଇଥିବା ନିଷ୍ପତ୍ତିର ପ୍ରଂଶସା ଅନ୍ୟମାନେ ସାଙ୍ଗେ ସାଙ୍ଗେ କରନ୍ତି। ଏମିତି ମଧ୍ୟ ହୁଏ ଯେ ସେହି ନିଷ୍ପତ୍ତି ପ୍ରଂଶସା କିଛି ଦିନ ବା କିଛି ବର୍ଷ ବା ମୃତ୍ୟୁ ପରେ ହୋଇଥାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଆପଣ ଯାହା କରୁଛନ୍ତି ସେଥିରେ ଅନ୍ୟମାନେ ବି ସାମିଲ ଥିବା ଦରକାର। ସେଥିରେ ଉପକୃତ ହେଉଥିବା ଦରକାର।
କାରଣ ଆପଣ ଏହା ସାରା ଜୀବନ ମଧ୍ୟ ସ୍ଥିର କରି ପାରିବେ ନାହିଁ କେଉଁଟି ଠିକ୍ କେଉଁଟି ଭୁଲ। ଆପଣଙ୍କୁ ଯାହା ଠିକ ଲାଗୁଥିବ, ତାହା ହୁଏତ ଆଉ କାହାକୁ ଭୁଲ ଲାଗୁଥାଇ ପାରେ।
ସଦଗୁରୁ ହେଉଛନ୍ତି ଜଣେ ଲେଖକ। ୧୯୫୭ରେ ମଇସୁରରେ ଜନ୍ମିତ ସୁଦଗୁରୁଙ୍କ ଅସଲ ନାଁ ହେଉଛି ଜାଗି ବାସୁଦେବ। ହେଲେ ତାଙ୍କୁ ସମସ୍ତେ ସଦଗୁରୁ ନାଁରେ ଜାଣନ୍ତି। ଇଶା ଫାଉଣ୍ଡେସନ ନାମରେ ତାଙ୍କର ଏକ ସଂସ୍ଥା ରହିଛି ଯାହା ଭାରତ ସମେତ ଆମେରିକାଳ, ଇଂଲଣ୍ଡ, ସିଙ୍ଗୁାପର, ଅଷ୍ଟ୍ରେଲିଆରେ ଯୋଗ କାଯ୍ୟକ୍ରମ ଟ୍ରେନିଂ ଦେଇଥାଏ। ଏହା ସହିତ ବିଭିନ୍ନ ସାମଜିକ କାର୍ଯ୍ୟକ୍ରମରେ ଏହି ଫାଉଣ୍ଡେସନ କାମ କରିଥାଏ। ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ରହିଛି ଯେଉଁଥିରେ ସେ ଜୀବନର କିଛି ପ୍ରସଙ୍ଗକୁ ନେଇ ପ୍ରେରଣାଦାୟୀ କଥା କହିଥାନ୍ତି। ଦେଶ ବିଦେଶରେ ଲକ୍ଷ ଲକ୍ଷ ଲୋକ ରହିଛନ୍ତି ଯେଉଁମାନେ ତାଙ୍କୁ ଅନୁକରଣ କରନ୍ତି।










