ଓଡ଼ିଶାଲାଇଭ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଦୁର୍ଗା ପୂଜାକୁ ନେଇ ଉନ୍ମୋଚନ ହେଲା ଇ-ବୁକ ଶୁଭପଲ୍ଲବ। ଦୁର୍ଗାପୂଜା ଅବସରରେ ଓଡ଼ିଶାର ଦୁର୍ଗାପୂଜାକୁ ନେଇ ଉତ୍ତୋଳିତ କିଛି ଫଟୋଚିତ୍ର ସହ ଦୁର୍ଗାପୂଜାର ବିଧି ପାଳନ ଓ ଆୟୋଜନ ସମ୍ୱନ୍ଧୀୟ ସୂଚନା ଥିବା ଏକ ପୁସ୍ତକ ରଚନା କରାଯାଇଛି। ଏହାକୁ ରଚନା କରିଛନ୍ତି ଭଦ୍ରକର ଚରମ୍ପାରେ ରହୁଥିବା ଓଡ଼ିଆ ଯୁବକ ସଂଗ୍ରାମ କେଶରୀ ସେନାପତି।
ସଂଗ୍ରାମ ଓଡ଼ିଶା ଇ-ପତ୍ରିକା ‘ଶୁଭପଲ୍ଲବ’ର ପ୍ରତିଷ୍ଠାତା ଓ ସମ୍ପାଦକ। ଏହି ଇ-ପତ୍ରିକା ଏବେ ଓଡ଼ିଆ ଭାଷା ବ୍ୟତୀତ ଇଂରାଜୀ, ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ଭାଷାରେ ମଧ୍ୟ ଉପଲବ୍ଧ।

ସଂଗ୍ରାମ ବାଲେଶ୍ଵରସ୍ଥିତ ‘ନୋସି’ରେ ଥିବା ଷ୍ଟାର୍ଟ ଅପ୍ରେ ଆଇଟି ପରାମର୍ଶଦାତା ଭାବେ କାର୍ଯ୍ୟରତ। ଏଥିସହିତ ଓଡ଼ିଆ ଉଇକିପିଡ଼ିଆରେ ଲଗାତାର ଦୁଇବର୍ଷରୁ ଅଧିକ ସମୟ ଯାଏଁ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖି ବିଶ୍ୱ ରେକର୍ଡ଼ ସୃଷ୍ଟି କରିଛନ୍ତି।
ସେ ଓଡ଼ିଶାର ଭଦ୍ରକ ଏବଂ କଳାହାଣ୍ଡି ଜିଲ୍ଲାରୁ ସଂଗୃହୀତ କିଛି ଫଟୋଚିତ୍ରକୁ ସଜାଇ ଏକ ପୁସ୍ତକର ରୂପ ଦେଇଛନ୍ତି। ଓଡ଼ିଶାର ଦୁର୍ଗାପୂଜାର ମୁଖ୍ୟ ସମୟ ହେଉଛି ଷଷ୍ଠୀ ପୂଜାରୁ ଦଶହରା। ତେଣୁ ସେ ଏହି ଦିନଗୁଡ଼ିକୁ ମୁଖ୍ୟତଃ ଦୃଷ୍ଟିରେ ରଖି ଫଟୋଗୁଡ଼ିକ ନେଇ ଏହି ଫଟୋବୁକ୍ ପ୍ରସ୍ତୁତ କରିଛନ୍ତି।
ଏହା ଏବେ ଆମାଜନ୍ର କିଣ୍ଡଲ୍ ରେ ଉପଲବ୍ଧ। ଏହାର ସର୍ବନିମ୍ନ ମୂଲ୍ୟ ୬୯ଟଙ୍କା। ବହିଟି ଓଡ଼ିଆରେ ରଚିତ ହୋଇଛି ଏବଂ ଦୁର୍ଗାପୂଜା ସମ୍ବନ୍ଧୀୟ ତଥ୍ୟ ଏଥିରେ ଉଲ୍ଲେଖ ରହିଛି। ସପ୍ତମୀ ପୂଜାଠାରୁ ଦଶହରା ଯାଏଁ ଏହି ବହିଟିକୁ ଆପଣମାନେ କିଣ୍ଡଲରୁ ମାଗଣାରେ ପାଇପାରିବେ ବୋଲି ସଂଗ୍ରାମ ‘ଓଡ଼ିଶାଲାଇଭ୍’କୁ ସୂଚନା ଦେଇଛନ୍ତି।



















Thanks to Krushna Sir for this news.