ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଡ଼କ ଦୁର୍ଘଟଣା ଯୋଗୁଁ ଆଜିକାଲି ଦେଖୁ ଦେଖୁ ଆଖି ଆଗରେ ଅନେକ ଜୀବନ ହରାଉଛନ୍ତି। ଏହି ଦୁର୍ଘଟଣା ଜନିତ ମୃତ୍ୟସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖାସ୍‌କରି ଆଜିର ଯୁବପିଢ଼ି ଏହାର ଶିକାର ହୋଇ ଅକାଳେ ପ୍ରାଣ ହରାଉଛନ୍ତି। ସଚେତନତାର ଅଭାବ ଏହି ସମସ୍ୟାର ଏକ ପ୍ରମୁଖ କାରଣ। କାହିଁକି ନା ଆଜିକାଲି ଯୁବପିଢ଼ି ଗାଡ଼ି ଚଳାଇବା ବେଳେ ସମାନ୍ୟ ସଚେତନ ରହୁନାହନ୍ତି।

ବେପରୁଆ ଗାଡ଼ିଚାଳନା, ଅନ୍ୟମନସ୍କ, ମୋବାଇଲ ଫୋନ୍‌ର ବ୍ୟବହାର ଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସଚେତନ କରାଇବା ପାଇଁ ଓଲିଉଡର ଯୁବ ଅଭିନେତା ତଥା ନିର୍ଦ୍ଦେଶକ ହର ପ୍ରସାଦ ରଥ ଏକ ସର୍ଟ ଫିଲ୍ମ ପ୍ରସ୍ତୁତ କରିଛନ୍ତି।

‘‘ ଦୁର୍ଘଟଣାକୁ ରୋକିବା ପାଇଁ ଆମ ଦେଶରେ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଉଛି। ହେଲେ ତଥାପି ଦୁର୍ଘଟଣାକୁ ରୋକା ଯାଇପାରୁନି। କାରଣ ଯେତେ ନିୟମ କାନୁନ ହେଲେବି ଯେତେବେଳ ଯାଏଁ ଲୋକେ ନିଜେ ସଚେତନ ନହେବେ ଏହି ଆଇନର ଫଳ ମିଳିବ ନାହିଁ। ବିଶେଷ କରି ମୋଟର ଯାନ ଆଇନରେ ଯେଉଁସବୁ ଆଇନ ରହିଛି ତାହାର ଉଦ୍ଦେଶ୍ୟ ଲୋକଙ୍କ ଧନ ଜୀବନ ବଞ୍ଚେଇବା। ଏହି ଆଇନ ମାନିବା ପାଇଁ ମଧ୍ୟ ଲୋକଙ୍କୁ ସଚେତନ ହେବାକୁ ପଡ଼ିବ। ନିଜେ ସଚେତନ ହୋଇ ନିଜର ଜୀବନ ବଞ୍ଚେଇବା ସହ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଲୋକଙ୍କୁ ସଚେତନ କରିବା ଏହି ସର୍ଟ ଫିଲ୍ମର ମୁଖ୍ୟ ଉଦ୍ଦେଶ୍ୟ’’, ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ କହିଛନ୍ତି ହର ରଥ।

ଏହି ଟ୍ରାଫିକ ସଚେତନତା ଉପରେ ସର୍ଟ ଫିଲ୍ମ ତିଆରି କରି ଓଡ଼ିଶାଲାଇଭ୍‌ ସହ ଯୋଡ଼ି ହୋଇଥିବାରୁ ଓଡ଼ିଶାଲାଇଭର ମୁଖ୍ୟ ସଂପାଦକ ନୀଳାମ୍ବର ରଥ, ହର ରଥଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି।

Comment