ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶା ପରେ ମହାରାଷ୍ଟ୍ର ଓ ହରିୟାଣାରେ ବିଜେପିର କାମ କଲାନି ମିଶନ।
ମୋଦୀ ମ୍ୟାଜିକ୍ରେ ଆଉ ଚମକ ନାହିଁ। ଏହା ଆମେ କହୁନୁ, ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି। ହରିୟାଣାରେ ବିଜେପି ‘ମିଶନ୍-୭୫’ ଏବଂ ମହାରାଷ୍ଟ୍ରରେ ‘ମିଶନ୍-୨୦୦ ପ୍ଲସ୍’ ର ଲକ୍ଷ୍ୟ ରଖିଥିଲା ବିଜେପି। କିନ୍ତୁ ବିଜେପି ମିଶନ୍ କାମ ଦେଇନି।
ହରିୟାଣାରେ ବିଜେପି, ଜେଜେପି ସହ ମେଣ୍ଟ କରି ସରକାର ଗଠନ କରିଛି ସତ, ହେଲେ ଗତ ଥର ତୁଳନାରେ ବିଜେପିର ଆସନ ସଂଖ୍ୟା କମି ଯାଇଛି। ସେହିପରି ମହରାଷ୍ଟ୍ରରେ ମଧ୍ୟ ବିଜେପିକୁ ଏଥର ଝଟ୍କା ଲାଗିଛି। ବିଜେପିର ମିଶନ୍-୨୦୦ କାମ କରିନି। ଫଳରେ ବିଜେପିର ଲୋକପ୍ରିୟତା ହ୍ରାସ ପାଉଥିବା ଚର୍ଚ୍ଚା ହେଉଛି।
‘ଅବ୍ କି ବାର୍ ୭୫ ପାର୍’
ହରିୟାଣାରେ ପୁଣି ବିଜେପିକୁ କ୍ଷମତାସୀନ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଷ୍ଟ୍ରାଟେଜି ମେକର ଅମିତ ଶାହ। ଘନ ଘନ ହରିୟାଣା ଗସ୍ତ କରି ରାଜନୀତିକୁ କରିଥିଲେ ସରଗରମ୍। ବିଜେପିକୁ କ୍ଷମତାକୁ ଆଣିବା ପାଇଁ ମୋଦୀ-ଶାହ ‘ଅବ୍ କି ବାର୍ ୭୫ ପାର୍’ର ନାରା ଦେଇଥିଲେ। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ଆସନରେ ୭୫ରୁ ଅଧିକ ଆସନ ଅକ୍ତିଆର କରି ବିଜେପି ଏକାକୀ ସରକାର ଗଠନ କରିବାକୁ ବିଗୁଲ ବଜାଇଥିଲା। ହେଲେ ବିଜେପିର ଏହି ମିଶନ୍ ସଫଳ ହେଲାନି। ମ୍ୟାଜିକ୍ ସଂଖ୍ୟା ୪୬ ଛୁଇଁବାକୁ ବି ସମର୍ଥ ହେଲାନି ବିଜେପି।
୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ୪୭ଟି ଆସନ ପାଇଥିଲା। ଚଳିତ ନିର୍ବାଚନରେ ଏହି ଧାରା ଭାଙ୍ଗିଛି। ବିଜେପିର ଆସନ ସଂଖ୍ୟା ଏଥର ୪୦କୁ ଖସି ଆସିଛି। ବିଜେପିର ମିଶନ୍ ହରିୟାଣା କାହିଁକି ଫେଲ୍ ମାରିଲା ତାକୁ ନେଇ କାରଣ ଖୋଜା ଚାଲିଛି।
ମହାରାଷ୍ଟ୍ରରେ ମିଶନ୍-୨୦୦ ଫେଲ୍
ହରିୟାଣା ପରି ମହାରାଷ୍ଟ୍ରରେ ମଧ୍ୟ ବିଜେପିର ମିଶନ୍ ଫେଲ୍ ମାରିଛି। ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ‘ମିଶନ୍-୨୦୦ ପ୍ଲସ୍’ର ଲକ୍ଷ୍ୟ ରଖିଥିଲେ ମଧ୍ୟ ତାହା ସଫଳ ହୋଇନି। ବିଜେପି-ଶିବସେନା ମେଣ୍ଟକୁ ଜୋରଦାର ଝଟ୍କା ଲାଗିଛି। ଏହି ମେଣ୍ଟକୁ ମହାରାଷ୍ଟ୍ରବାସୀ ସରକାର ଗଠନ କରିବାକୁ ରାୟ ଦେଇଥିଲେ ହେଁ କାହିଁକି ମିଶନ୍ ସଫଳ ହେଲାନି ତାକୁ ନେଇ ମାନସମନ୍ଥନ ଚାଲିଛି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୫୨, ଶିବସେନ ୧୨୪ ଆସନରେ ଲଢ଼ିଥିଲେ। ଏଣୁ ସରକାର ଗଠନ କରିବା ପାଇଁ ମିଶନ୍-୨୦୦ର ନାରା ଦେଇଥିଲେ। ହେଲେ ମିଶନ୍ କାମ କଲାନି।
ବିଜେପି ୧୦୫ ଆସନ ପାଇଥିବା ବେଳେ ଶିବସେନା ୫୬ ଆସନରେ ସନ୍ତୁଷ୍ଟ ହୋଇଥିଲା। ୨୦୧୪ ନିର୍ବାଚନରେ ବିଜେପି ୧୨୨ ପାଇଥିବା ବେଳେ ଶିବସେନା ୬୩ ପାଇଥିଲା। ୨୦୧୪ ତୁଳନାରେ ଏଥର ମହାରାଷ୍ଟ୍ରରେ ବିଜେପିର ଆସନ ସଂଖ୍ୟା କମିଛି।
ଯଦିଓ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ କରିବା ପାଇଁ ହକ୍ଦାର ହୋଇଛନ୍ତି, ହେଲେ ଆସନ ସଂଖ୍ୟା କମିବା ବିଜେପି ପାଇଁ ସତର୍କଘଣ୍ଟି ବଜାଇଛି।
କାହିଁକି କମିଲା ଆସନ?
ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ବିଭିନ୍ନ ପ୍ରସଙ୍ଗକୁ ଲୋକଙ୍କ ଆଗରେ ରଖିଥିଲା। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ବାଲାକୋଟ୍ ଏୟାରଷ୍ଟ୍ରାଇକ୍, ତିନି ତଲାକ୍ ବିଲ୍ର ସଫଳତାକୁ ନେଇ ବିଜେପି ପ୍ରଚାର କରିଥିଲା। ମୋଦୀ, ଶାହଙ୍କ ସମେତ ଅନ୍ୟ ବିଜେପି ନେତାମାନେ ଯେଉଁଠି ପ୍ରଚାର କଲେ ସେଠି କଂଗ୍ରେସକୁ ଟାର୍ଗେଟ୍ କଲେ। ଏହି ପ୍ରସଙ୍ଗକୁ ନେଇ ବିଜେପି ତାର ଆସନ ସଂଖ୍ୟା ବଢ଼ିବ ବୋଲି ଆଶାବାଦୀ ଥିଲା। ହେଲେ ଭୋଟରଙ୍କ ଉପରେ ଏହାର ପ୍ରଭାବ ପଡ଼ି ନଥିବା କୁହାଯାଉଛି।
ସବୁଠୁ ବଡ଼ କଥା ହେଉଛି ଅମିତ ଶାହ ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ଗତ ସାଧାରଣ ନିର୍ବାଚନ ବେଳେ ଦଳକୁ ଜିତାଇବା ପାଇଁ ଯେମିତି ଷ୍ଟ୍ରାଟେଜି ତିଆରି କରୁଥିଲେ ଏବେ ଠିକ୍ରେ କରିବାକୁ ସମୟ ପାଉ ନାହାନ୍ତି। ଏଣୁ ବିଜେପିର ମିଶନ୍ ଏହି ଦୁଇଟି ରାଜ୍ୟରେ ଫେଲ୍ ମାରିଥାଇପାରେ ବୋଲି କୁହାଯାଉଛି।
ଓଡ଼ିଶାରେ ଫେଲ୍ ମିଶନ-୧୨୦
୨୦୧୯ ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶାରେ ‘ମିଶନ୍-୧୨୦’ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହି ମିଶନ୍କୁ ସଫଳ କରିବା ପାଇଁ ଶାହ ଅନେକ ଥର ଓଡ଼ିଶା ଗସ୍ତରେ ମଧ୍ୟ ଆସିଥିଲେ। କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବା ସହ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରିଥିଲେ। ଏପରିକି ନବୀନ ସରକାରଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କରି ସମାଲୋଚନା କରିବାକୁ ପଛାଇ ନଥିଲେ।
ବିଜେପି ଯେଉଁଭଳି ଢଙ୍ଗରେ ପ୍ରଚାର ପ୍ରସାର ଓଡ଼ିଶାରେ କରିଥିଲା ଆଶା କରାଯାଉଥିଲା କି ମିଶନ୍-୧୨୦ ସଫଳ ହେବ। କିନ୍ତୁ ତାହା ହେଲା ନାହିଁ। ବିଜେପି ୧୨୦ ତ ଦୂରର କଥା ୫୦ ଆସନ ଟପି ପାରିଲାନାହିଁ। ବିଜେପି ମାତ୍ର ୨୩ଟି ଆସନରେ ସନ୍ତୁଷ୍ଟ ରହିଥିଲା।
ଓଡ଼ିଶା ପରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିଲା ନିର୍ବାଚନ। ଏହି ଦୁଇଟି ରାଜ୍ୟ ଜାତୀୟ ରାଜନୀତି ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରିଥାଏ। ଏଣୁ ଏହି ରାଜ୍ୟରେ ମିଶନ୍ ସଫଳ କରିବାକୁ ବିଜେପି ଜୋରଦାର ପ୍ରୟାସ କରିଥିଲା। ହେଲେ ମିଶନ୍ ଫେଲ୍ ମାରିବାକୁ ନେଇ ବିଜେପି ଚିନ୍ତାରେ ପଡ଼ିଛି।