ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଅଙ୍କ ଛିଣ୍ଡୁନି। କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ବିଜେପି ଏବଂ ଶିବସେନା ଭିତରେ କସରତ ଚାଲିଛି। ଶିବସେନା ଫିପ୍ଟି-ଫିପ୍ଟି ପଲିସିକୁ ଜାବୁଡ଼ି ଧରିଥିବାରୁ କିଏ ସରକାର ଗଢ଼ିବ ତାହା ଅନିଶ୍ଚିନ୍ତତାରେ ରହିଛି।

ଆଜି ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ଏବଂ ଶିବସେନା ଭିତରେ ଆଲୋଚନା ହେବାର ଥିଲା। କିନ୍ତୁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ବୈଠକ ବର୍ଜନ କରିଥିଲେ।

ବୈଠକ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ୍ଙ୍କ ମନ୍ତବ୍ୟକୁ ନେଇ ଶିବସେନା ବୈଠକ ବର୍ଜନ କରିଥିବା କୁହାଯାଉଛି।

ଦେବେନ୍ଦ୍ର ଫଡ୍‌ନାବିସ୍‌ କହିଥିଲେ ଯେ ବିଜେପି-ଶିବସେନା ମଧ୍ୟରେ ଫିପ୍ଟି ଫିପ୍ଟି ଫର୍ମୁଲାକୁ ନେଇ କୌଣସି ଚୁକ୍ତି ହୋଇନାହିଁ। ତେଣୁ ଆଗାମୀ ପାଞ୍ଚ ବର୍ଷ ପାଇଁ ସେ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ।

ଅନ୍ୟପଟେ ଶିବସେନାର ୪୫ ଜଣ ବିଧାୟକ ବିଜେପି ସମ୍ପର୍କରେ ରହିଥିବା ବିଜେପି ସାଂସଦ ସଞ୍ଜୟ କାକଡେ କହିଥିଲେ। ଏହି ଶିବସେନା ବିଧାୟକମାନେ ଲଗାତାର ଭାବେ ଫୋନ୍ କରି ସରକାରରେ ମିଶିବାକୁ ଅନୁରୋଧ କରୁଛନ୍ତି ବୋଲି କାକଡେ କହିଥିଲେ।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ରଖିବା ନେଇ ଶିବସେନା ଫିପ୍ଟି ଫିପ୍ଟି ଫର୍ମୁଲା ଆପଣେବାକୁ କହୁଥିଲାବେଳେ ବିଜେପି ଏଥିରେ ରାଜି ହେଉନାହିଁ। ଯାହାକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଲାଗି ରହିଛି।

ଶିବସେନା ଶାସନର ଅଧା ସମୟ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ଚାହୁଁଥିବାବେଳେ ବିଜେପି ଦେବେନ୍ଦ୍ରଙ୍କୁ ପାଞ୍ଚବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରୁଛି।

ଚଳିତ ନିର୍ବାଚନରେ ବିଜେପି- ଶିବସେନା ମେଣ୍ଟ ମିଳିତ ଭାବେ ୧୬୧ଟି ସିଟ୍ ଜିତି ସରକାର ଗଠନ ପାଇଁ ଯୋଗ୍ୟ ହୋଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

LEAVE A REPLY

Please enter your comment!
Please enter your name here