ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ଆଣ୍ଡାମାନ ସାଗରରେ ରବିବାର ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘୂର୍ଣ୍ଣିଝଡ଼ରେ ଘନୀଭୂତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଘୂର୍ଣ୍ଣିଝଡ଼ ଏହାର ତୀବ୍ରତା ଏବଂ ଭାରତର ପୂର୍ବ ଉପକୂଳର କେଉଁ ସ୍ଥାନ ଦେଇ ଏହା ଗତି କରିବ ତାହା ଜଣାପଡ଼ି ନାହିଁ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏହାର ଗତି ଓ ତୀବ୍ରତା ବିଷୟରେ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ “ମହା” ଗୁଜରାଟ ଉପକୂଳ ଦେଇ ଗତି କରି ଦୁର୍ବଳ ହେବା ପରେ ସ୍ପଷ୍ଟ ଜଣାପଡ଼ିବ ବୋଲି ସେ କହିଛନ୍ତି। “ମହା” ନଭେମ୍ବର ୬ ତାରିଖ ସନ୍ଧ୍ୟା ବା ରାତ୍ରିରେ ଗୁଜରାଟ ଉପକୂଳ ସ୍ପର୍ଶ କରିବ ବୋଲି ଆକଳନ କରାଯାଇଛି।

ଆରବ ସାଗରରେ ସୃଷ୍ଟ  “ମହା” ବର୍ତମାନ ଏକ ପ୍ରଚଣ୍ଡ ଘୂର୍ଣ୍ଣିଝଡରେ ପରିଣତ ହୋଇ ପଶ୍ଚିମ-ଉତରପଶ୍ଚିମ ଦିଗରେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଗତି କରିବାର ସମ୍ଭାବନା ରହିଛି ଏବଂ ତା’ପରେ ଉତ୍ତରପୂର୍ବ ଦିଗକୁ ବୁଲି ପୁଣି ଗୁଜରାଟ ଉପକୂଳ ଆଡ଼କୁ ଆସି ନଭେମ୍ବର ୬ ତାରିଖରେ ଉପକୂଳ ଅତିକ୍ରମ କରିପାରେ ବୋଲି ସାହୁ କହିଛନ୍ତି।

ପରବର୍ତ୍ତୀ ସମୟରେ ଏହା ଦୁର୍ବଳ ହୋଇ ଉତ୍ତରପୂର୍ବ ଦିଗରେ ମଧ୍ୟ ଭାରତ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ନଭେମ୍ବର ୭ ତାରିଖରୁ ବର୍ଷାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Comment