ଓଡ଼ିଶାଲାଇଭ୍ ବ୍ୟୁରୋ
ମାତ୍ର ୧୩ ବର୍ଷ ବୟସରେ ସାଇକେଲ ଚାଳନାରେ ପାଦ ରଖିଥିଲେ ମୀନତି ମହାପାତ୍ର। ସାଇକ୍ଲିଂ କରି ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି ସେ। ଏହି ସାଇକ୍ଲିଂ କରି ସେ ସାଇକେଲିଷ୍ଟ ଭାବେ ଭାରତର ପ୍ରଥମ ମହିଳା ଅର୍ଜୁନ ପୁରସ୍କାର ବିଜେତା ମଧ୍ୟ ହୋଇପାରିଛନ୍ତି।
ନିକଟରେ ଓଡ଼ିଶାଲାଇଭ୍କୁ ଦେଇଥିବା ଏକ ସାକ୍ଷାତକାରରେ ମୀନତି ମହାପାତ୍ର ତାଙ୍କ ସାଇକେଲ୍ ଯାତ୍ରା ସମ୍ପର୍କରେ କହିଛନ୍ତି।
‘‘୧୯୭୦ ମସିହାରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ସାଇକ୍ଲିଂରେ ପଦକ ଜିତିଥିଲି। ଏହାପରେ ସାଇକ୍ଲିଂରେ ଆଗକୁ ବଢ଼ିଥିଲି’’, କହିଛନ୍ତି ମୀନତି।
ମୀନତି ସାଇକେଲ ଚଲାନ୍ତୁ ଏକଥା ତାଙ୍କ ମା’ ଆଦୌ ଚାହୁଁନଥିଲେ। କାରଣ ତାଙ୍କ ମା’ ଭାବୁଥିଲେ ଝିଅ ଯଦି ସାଇକେଲ ଚଳାଇବା ବେଳେ କିଛି ଦୁର୍ଘଟଣା ହେବ। ଝିଅର ବାହାଘରରେ ସମସ୍ୟା ହେବ। ହେଲେ ଯେତେବେଳେ ମୀନତି ସାଇକ୍ଲିଂ କରି ଜାତୀୟସ୍ତରରେ ନାଁ କଲେ ସେତେବେଳେ ତାଙ୍କ ପରିବାର ଲୋକ ମଧ୍ୟ ମୀନତିଙ୍କୁ ସାହସ ଦେଲେ।
କଠିନ ଅଭ୍ୟାସ ବଳରେ ମୀନତି ୮ଥର ସାଇକ୍ଲିଂରେ ଜାତୀୟ ଚାମ୍ପିୟନ ହୋଇଛନ୍ତି। ୧୯୮୦ରେ ଓଡ଼ିଶା ପ୍ରଥମ କ୍ରୀଡ଼ାବିତ୍ ଭାବେ ସେ ଅର୍ଜୁନ ପୁରସ୍କାର ପାଇଥିଲେ। କେବଳ ଏତିକି ନୁହେଁ ମୀନତି ଭାରତ-ଶ୍ରୀଲଙ୍କା ସାଇକେଲ ଚମ୍ପିୟନସିପ୍ ସିରିଜରେ ୫ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
‘‘ସୁସ୍ଥ ରହିବା ବା ଫିଟ୍ ରହିବା ପାଇଁ ସାଇକେଲ ଚଳାଇବା ନିହାତି ଦରକାର। ସାଇକେଲ ଚଳାଇବା ଦ୍ୱାରା ପରିବେଶ ମଧ୍ୟ ପ୍ରଦୂଷଣରୁ ମୁକ୍ତି ପାଇବ’’, କହିଛନ୍ତି ମୀନତି।
ସେ ଆହୁରି ମଧ୍ୟ କହିଛନ୍ତି, ‘‘ପୂର୍ବରୁ କ୍ରୀଡ଼ା କ୍ଷେତ୍ରରେ ଯେତିକି ସୁବିଧା ମିଳୁନଥିଲା ଏବେ ପିଲାଙ୍କୁ ଅନେକ ସୁବିଧା ମିଳୁଛି। ଏବେର ପିଲାମାନେ ଏହି ସୁବିଧାର ଉପଯୋଗ କରି ନିଶ୍ଚୟ ଆଗକୁ ବଢ଼ନ୍ତୁ।’’ ନିଜର ସଫଳତାର ଶ୍ରେୟ ମୀନତୀ ନିଜର ପ୍ରଶିକ୍ଷକ ସ୍ୱର୍ଗତ ଚନ୍ଦ୍ର ଶେଖର ଜେନାଙ୍କୁ ଦେଇଛନ୍ତି।









