ବିଶ୍ଵଜିତ ସାହୁ

ମୀନତି ମହାପାତ୍ର। ଭାରତର ପ୍ରଥମ ମହିଳା ସାଇକେଲିଷ୍ଟ୍ ଆଉ ଓଡ଼ିଶାର ପ୍ରଥମ କ୍ରୀଡ଼ାବିତ ଭାବରେ ସେ ଅର୍ଜୁନ ପୁରସ୍କାର ପାଇଥିଲେ। ତାଙ୍କ ସାଇକେଲର ପେଡାଲ ପରେ ପେଡାଲ ଭାରତକୁ ଆଣିଦେଇଥିଲା ମେଡାଲ ପରେ ମେଡାଲ। ଆଜି ଓଡ଼ିଶାର ଶହ ଶହ କ୍ରୀଡ଼ାବିତଙ୍କ ଲାଗି ସେ ରୋଲ୍ ମଡେଲ। ଓଡ଼ିଶାଲାଇଭ୍ ସହ ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ମୀନତି ତାଙ୍କ ପିଲାବେଳ, ଖେଳ ଜୀବନ, ସ୍ଵପ୍ନ, ସଂଘର୍ଷ, ସାଧନା ଓ ସଫଳତାର କାହାଣୀକୁ ବିସ୍ତୃତ ଭାବେ କହିଛନ୍ତି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାଣନ୍ତୁ, ମୀନତି ମହାପାତ୍ରଙ୍କ ସାଇକେଲ-ଜୀବନ-କାହାଣୀ।୧୨ ବର୍ଷ ବୟସରୁ ସାଇକେଲ ପ୍ରେମରେ ପଡ଼ିଥିଲେ ମୀନତି

ପିଲାଟିବେଳୁ ବିଭିନ୍ନ ପ୍ରକାର ଖେଳକୁଦରେ ଆଗୁଆ ଥିଲେ ମୀନତି। ସ୍କୁଲରେ ହାଇଜମ୍ପ୍, ଲଙ୍ଗଜମ୍ପ୍, ଦୌଡ଼କୁଦ, ଯୋଗ ଆଦି କରିବାକୁ ସେ ପସନ୍ଦ କରୁଥିଲେ। ମାତ୍ର ୧୨ ବର୍ଷ ବୟସରେ ସାଇକେଲ ପ୍ରେମରେ ପଡ଼ିଯାଇଥିଲେ ମୀନତି। ତାଙ୍କ ବାପାଙ୍କର ଏକ ଜେଣ୍ଟସ୍ ରାଲେ ସାଇକେଲ ଥିଲା। ସେହି ସାଇକେଲରୁ ହିଁ ମୀନତିଙ୍କ ସାଇକେଲିଂ ଜୀବନର ମୂଳଦୂଆ ପଡ଼ିଥିଲା। ପରେ ଖେଳ କୋଚ୍‌ଙ୍କଠାରୁ ସାଇକେଲ ଆଣି ସାଇକେଲିଂ ଅଭ୍ୟାସ କରୁଥିଲେ ମୀନତି।

ମା’ ଚାହୁଁନଥିଲେ ମୀନତି ସାଇକେଲିଂ କରନ୍ତୁ

ମୀନତି ସାଇକେଲ ଚଲାନ୍ତୁ ଏକଥା ତାଙ୍କ ମା’ ଆଦୌ ଚାହୁଁନଥିଲେ। କାରଣ ତାଙ୍କ ମା’ ଭାବୁଥିଲେ ଝିଅ ଯଦି ସାଇକେଲ ଚଳାଇବା ବେଳେ କିଛି ଦୁର୍ଘଟଣା ହେବ। ତେବେ ଝିଅର ବାହାଘରରେ ସମସ୍ୟା ହେବ। ହେଲେ ଯେତେବେଳେ ମୀନତି ସାଇକ୍ଲିଂ କରି ପ୍ରଥମେ ଜାତୀୟସ୍ତରରେ ନାଁ କଲେ ସେତେବେଳେ ତାଙ୍କ ମା’ ମୀନତିଙ୍କୁ ସାହସ ଦେଇଥିଲେ। ଏପରିକି ମୀନତିଙ୍କ ସାଇକେଲ ଅଭ୍ୟାସ ପାଇଁ ପ୍ରତିଦିନ ଖାଇବାରେ ସେ କ’ଣ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବେ ସେଥିପାଇଁ ତାଙ୍କ ମା’ ବିଶେଷ ଧ୍ୟାନ ଦେଉଥିଲେ ବୋଲି ମୀନତି କହନ୍ତି।ଟସ୍ କରି ବାଛିଥିଲେ ସାଇକେଲିଂ

ପ୍ରଥମରୁ ମୀନତି ଆଥଲେଟିକ୍ସ କରୁଥିଲେ। ସେ ରାଜ୍ୟସ୍ତରରେ ବହୁ ଆଥଲେଟିକ୍ସ ଇଭେଣ୍ଟସରେ ଭଲ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ। ତେଣୁ ଯେତେବେଳେ କଟକ ବାରବାଟୀ ଷ୍ଟାଡିୟମରେ ନାସନାଲ୍ ଗେମ୍ସ୍ ଆୟୋଜିତ ହୋଇଥିଲା, ସେଥିରେ ଭାଗ ନେବାକୁ ମୀନତି ରାଉରକେଲାରୁ କଟକ ଆସିଥିଲେ। ଆଥଲେଟିକ୍ସ ସହ ମୀନତି ଭଲ ସାଇକେଲିଂ କରୁଥିବାରୁ ତାଙ୍କୁ ଦୁଇଟିଯାକ ଇଭେଣ୍ଟସରେ ଖେଳିବାକୁ କୋଚ୍‌ମାନେ ପ୍ରସ୍ତାବ ଦେଇଥିଲେ।

“ଆଥଲେଟିକ୍ସ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମରେ ସକାଳ ୬ଟାରେ ରିପୋର୍ଟିଂ କରିବାର ସମୟ ଥାଏ। ସେହି ସମାନ ସମୟରେ ସତ୍ୟବ୍ରତ ଷ୍ଟାଡିୟମରେ ମଧ୍ୟ ସାଇକେଲିଂ ଅଭ୍ୟାସ ପାଇଁ ରିପୋର୍ଟିଂ କରିବାର ଥିଲା। ତେଣୁ ଦୁଇଟି ଭିତରୁ କୋଉ ଇଭେଣ୍ଟସ୍ ବାଛିବି ମୁଁ କିଛି ଠିକ୍ କରିପାରୁ ନଥାଏ। ଶେଷରେ ଗୋଟେ କଏନ୍‌ରେ ମୁଁ ଟସ୍ କରିଥିଲି। ତିନିଥର ଟସ୍‌ରେ ସାଇକେଲିଂ ଇଭେଣ୍ଟ ହିଁ ଆସିଥିଲା। ତେଣୁ ସାଇକେଲିଂ ଇଭେଣ୍ଟରେ ଭାଗ ନେଲି, ଆଉ ସେଥିରେ ମତେ ଭଲ ସଫଳତା ବି ମିଳିଥିଲା”, କହିଛନ୍ତି ମୀନତି ମହାପାତ୍ର।‘ଭଲ ଖେଳାଳି ହେବାକୁ ହେଲେ ପ୍ରଥମେ ଖେଳକୁ ଭଲ ପାଇବା ଦରକାର’

କ୍ରୀଡ଼ାକ୍ଷେତ୍ର ପ୍ରତି ଆଗ୍ରହ ରଖୁଥିବା ବା ଯେଉଁମାନେ ସଫଳ କ୍ରୀଡ଼ାବିତ ହେବାକୁ ଚାହୁଛନ୍ତି ସେମାନଙ୍କ ଲାଗି ବାର୍ତ୍ତା ଦେଇ ମୀନତି ମହାପାତ୍ର କହିଛନ୍ତି, “ସଫଳ କ୍ରୀଡ଼ାବିତ ହେବାକୁ ହେଲେ ପ୍ରଥମ ଆବଶ୍ୟକତା ହେଉଛି ଦୃଢ଼ ଇଚ୍ଛା। ଏଥିପାଇଁ ପ୍ରଥମେ ଖେଳକୁ ଭଲପାଇବା ଦରକାର। ତେଣୁ ଯିଏ ଏ ଖେଳ ଦୁନିଆକୁ ଆସୁଛନ୍ତି ବା ଆସିବାକୁ ଯୋଜନା କରୁଛନ୍ତି ମନରେ ଦୃଢ଼ ଇଚ୍ଛାଶକ୍ତି ରଖନ୍ତୁ, ନିଶ୍ଚୟ ସଫଳତା ମିଳିବ।”

ସେ ଆହୁରି ମଧ୍ୟ କହିଛନ୍ତି, ‘‘ପୂର୍ବରୁ କ୍ରୀଡ଼ା କ୍ଷେତ୍ରରେ ଯେତିକି ସୁବିଧା ମିଳୁନଥିଲା ଏବେ ପିଲାଙ୍କୁ ଅନେକ ସୁବିଧା ମିଳୁଛି। ଏବେର ପିଲାମାନେ ଏହି ସୁବିଧାର ଉପଯୋଗ କରି ନିଶ୍ଚୟ ଆଗକୁ ବଢ଼ନ୍ତୁ।’’ଦୁର୍ଘଟଣା ପରେ ବି ସାଇକେଲିଂ ଛାଡ଼ିନାହାନ୍ତି

ସାଇକେଲଟିଏ ସମସ୍ତଙ୍କ ପାଇଁ ସାଧାରଣ ସାଇକେଲ। କିନ୍ତୁ ମୀନତିଙ୍କ ପାଇଁ ସାଇକେଲ ହେଉଛି ଏକ ସ୍ଵପ୍ନ, ତାଙ୍କ ଜୀବନ। ତେଣୁ ସେ ସାଇକେଲିଂରୁ କେବେ ବିରତ ରହିପାରିନାହାନ୍ତି। ୨୦୨୦ରେ ଏକ ଦୁର୍ଘଟଣାରେ ମୀନତି ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ତେଣୁ ସେ ପୂର୍ବଭଳି ସାଇକେଲ କିମ୍ଵା ରେସିଂ ସାଇକେଲ ଚଲାଇବା ସକ୍ଷମ ରହିଲେ ନାହିଁ। କିନ୍ତୁ ସାଇକେଲ ପାଇଁ ଥିବା ତାଙ୍କ ଭଲପାଇବା ତାଙ୍କୁ ସାଇକେଲଠାରୁ ଦୂରେଇ ରଖିପାରିଲା ନାହିଁ ବୋଲି ମୀନତି କହନ୍ତି। ସେ ଘରେ ରହି ମଧ୍ୟ ଷ୍ଟାଣ୍ଡିଂ ସାଇକେଲରେ ପ୍ରତିଦିନ ଅଭ୍ୟାସ କରନ୍ତି। ତେଣୁ ପ୍ରତିଦିନ କିଛି ସମୟ ସାଇକେଲ ଚଲାଇବା ପାଇଁ ସେ ପରାମର୍ଶ ଦିଅନ୍ତି।

‘‘ସୁସ୍ଥ ରହିବା ବା ଫିଟ୍‌ ରହିବା ପାଇଁ ପ୍ରତିଦିନ ସାଇକେଲ ଚଳାଇବା ନିହାତି ଦରକାର। ସାଇକେଲ ଚଳାଇବା ଦ୍ୱାରା ପରିବେଶ ମଧ୍ୟ ପ୍ରଦୂଷଣରୁ ମୁକ୍ତି ପାଇବ’’, କହିଛନ୍ତି ମୀନତି ମହାପାତ୍ର।ମୀନତିଙ୍କ ସଫଳତା ଓ ପୁରସ୍କାର

ସାଇକେଲିଂ ପାଇଁ ୧୯୮୦ ମସିହାରେ ମୀନତି ମହାପାତ୍ରଙ୍କୁ କ୍ରୀଡ଼ା ଜଗତର ସମ୍ମାନଜନକ ପୁରସ୍କାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ମୀନତି ୮ ଥର ନାସନାଲ୍ ଗେମ୍ସରେ ଚାମ୍ପିୟନ ହୋଇଥିଲେ। କେବଳ ଏତିକି ନୁହେଁ ୧୯୭୯ରେ କଲୋମ୍ଵୋରେ ଅନୁଷ୍ଠିତ ଭାରତ-ଶ୍ରୀଲଙ୍କାରେ ସାଇକେଲିଂ ସିରିଜ୍‌ରେ ସାଇକେଲିଂର ବିଭିନ୍ନ ଇଭେଣ୍ଟସ୍‌ରେ ପ୍ରଥମ ହୋଇ ମୀନତି ଭାରତକୁ ଭେଟି ଦେଇଥିଲେ ୫ଟି ସ୍ଵର୍ଣ୍ଣ ପଦକ, ଯାହାକି ସେ ସମୟର ଏକ ରେକର୍ଡ ସୃଷ୍ଟି କରିଥିଲା। କ୍ରୀଡ଼ା କ୍ଷେତ୍ରକୁ ତାଙ୍କ ଅବଦାନ ପାଇଁ ୨୦୦୬ ମସିହାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମୀନତିଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ଜୀବନବ୍ୟାପି ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ବହୁ ଆଥଲେଟିକ୍ସ ଇଭେଣ୍ଟସ୍‌ରେ ମଧ୍ୟ ମୀନତି ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ସାଉଣ୍ଟିଛନ୍ତି।

Tags: #MinatiMohapatra #ArjunAwad #Cycle #CycleQueen #OdishaSports #NationalSportsDay #ମୀନତିମହାପାତ୍ର #ସାଇକେଲ #ଅର୍ଜୁନପୁରସ୍କାର

Comment